ସୁନ୍ଦରଗଡ଼: ଜିଲ୍ଲା ପରିଷଦ ନିର୍ବାଚନରେ ୬୫ ପ୍ରକାର ସାଙ୍ଗିଆଧାରୀ ପ୍ରାର୍ଥୀ

ସର୍ବାଧିକ ନାଏକ ସାଙ୍ଗିଆଧାରୀ ୧୨, ମୁଣ୍ଡା ୧୧ ଜଣ
କୋଇଡ଼ା-(କ) ଜୋନ୍‌ରେ ସବୁ ପ୍ରାର୍ଥୀଙ୍କ ସାଙ୍ଗିଆ ମୁଣ୍ଡା

ରାଉରକେଲା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଏବେ ବେଶ୍‌ ଜମିଲାଣି। ବିଶେଷକରି ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଏବେ ସମସ୍ତ ପ୍ରମୁଖ ରାଜନୈତିକ ଦଳର ନେତା ଡେରା ପକାଇଥିବାବେଳେ ଭୋଟର ବି ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଜିତାଇବାକୁ ମନ ସ୍ଥିର କରିସାରିଲେଣି। ନିର୍ବାଚନର ଗରମ ହାୱା ଭିତରେ ପ୍ରାର୍ଥୀମାନେ ଏବେ ଭିନ୍ନ ଭିନ୍ନ କାରଣରୁ ଚର୍ଚ୍ଚାରେ। ଏଥିମଧ୍ୟରୁ ଅନ୍ୟତମ ହେଲା ପ୍ରାର୍ଥୀଙ୍କ ସାଙ୍ଗିଆ। ଏଥର ଜିଲ୍ଲାର ମୋଟ୍‌ ୩୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଭିନ୍ନ ରାଜନୈତିକ ଦଳ, ଯଥା-ବିଜେଡି, ବିଜେପି, କଂଗ୍ରେସ, ଜେଏମ୍‌ଏମ୍‌, ସିପିଏମ୍‌, ସିପିଆଇ ସମେତ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇଲେ, ମୋଟ୍‌ ୧୬୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ। ଉଲ୍ଲେଖଯୋଗ୍ୟ ପ୍ରସଙ୍ଗ ହେଲା, ଏଥର ମୋଟ୍‌ ୬୫ ପ୍ରକାର ଭିନ୍ନ ଭିନ୍ନ ସାଙ୍ଗିଆଧାରୀ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏଥିମଧ୍ୟରୁ ସର୍ବାଧିକ, ଯଥାକ୍ରମେ-ନାଏକ, ମୁଣ୍ଡା ଓ କିଶାନ ସାଙ୍ଗିଆଧାରୀ ଅଛନ୍ତି।

ଏଥର ସର୍ବାଧିକ ୧୨ ଜଣ ପ୍ରାର୍ଥୀ ହେଉଛନ୍ତି ନାଏକ ସାଙ୍ଗିଆଧାରୀ। ସେହିଭଳି ଦ୍ବିତୀୟ ସର୍ବାଧିକ, ଅର୍ଥାତ୍‌ ୧୧ ଜଣ ମୁଣ୍ଡା ସାଙ୍ଗିଆଧାରୀ ଥିବାବେଳେ ତୃତୀୟ ସର୍ବାଧିକ ୮ ଜଣ କିଶାନ ସାଙ୍ଗିଆଧାରୀ ଅଛନ୍ତି। ଏତଦ୍‌ବ୍ୟତୀତ ପାତ୍ର ସାଙ୍ଗିଆଧାରୀ ୩ ଜଣ ଥିବାବେଳେ ଦାଶ ସାଙ୍ଗିଆଧାରୀ ଜଣେ, ବାରିକ ସାଙ୍ଗିଆଧାରୀ ୨ ଜଣ, ଓରାମ ୬ ଜଣ, ସାହୁ ୫ ଜଣ, ଏକ୍କା ୫ ଜଣ, ଲୁଗୁନ ୪ ଜଣ, ଖେସ୍‌ ୨ ଜଣ, ଲାକ୍ରା ୬ ଜଣ, ଧରୁଆ୧ ଜଣ, ତିର୍କୀ ୫ ଜଣ, ବଡ଼ନାୟକ ୧ ଜଣ, ବୁଡ଼ ୧ ଜଣ, ପ୍ରଧାନ ୬ ଜଣ, କାଣ୍ଡିର ୧ ଜଣ, ବୋଦ୍ରା ୧ ଜଣ, କାଲୋ ୨ ଜଣ, ଟେଟେ ୨ ଜଣ, ନାଗ ୧ ଜଣ, ଟପ୍ପୋ ୫ ଜଣ, ସିଂହ ୪ ଜଣ, କେର୍କେଟା ୩ ଜଣ, ବେକ୍‌ ୧ ଜଣ, କୁଜୁର ୫ ଜଣ, କାଣ୍ଡୁଲାନା ୧, କାଲଖୋ ୧, କିସପଟ୍ଟା ୨, ଟପ୍ନୋ‌ ୧, ମାହାତ ୧, ସ୍ବାଇଁ ୧, ଗୌଡ଼ ୧, ଦ୍ବିବେଦୀ ୧, କୁମ୍ଭାର ୧, କିଣ୍ଡୋ ୨, ମୁଣ୍ଡାରୀ ୧, ମିଞ୍ଜ ୫ ଜଣ, ଖାଖା ୧, ବାର୍ଲା ୨ ଜଣ, ତନ୍ତୀ ୧, ସେଠୀ ୧, ମୁର୍ମୁ ୧, ଯାଦବ ୧, ଡୁଙ୍ଗଡୁଙ୍ଗ ୨, ମହାନନ୍ଦିଆ ୧, ସୁନ୍ୟାନୀ ୧, ବାଦୀ ୧, ପଟେଲ ୪ ଜଣ, ଭୋଇ ୧, ଚୌଧୁରୀ ୧, ଡନସନା ୨, ମାଝୀ ୨, ସୋରେଙ୍ଗ ୨, ହେସ୍‌ ୧, ସାଏ ୧, ବାରୁଆ ୧, ଅଗ୍ରୱାଲ ୧, ମେହେର ୧, କୁଆ ୧, ଭିତିରିଆ ୧, ଘୋଷ ୧ ଓ ସେଠ୍‌ ସାଙ୍ଗିଆଧରୀ ୫ ଜଣ ପ୍ରାର୍ଥୀ ଅଛନ୍ତି।

ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ଆସନରେ ଭିନ୍ନ ଭିନ୍ନ ସାଙ୍ଗିଆଧାରୀ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ କୋଇଡ଼ା-(କ) ଜୋନ୍‌ ହେଉଛି ଏହାର ବ୍ୟତିକ୍ରମ। ଏହି ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ସମସ୍ତ ୫ ଜଣ ପ୍ରାର୍ଥୀ ହେଉଛନ୍ତି ମୁଣ୍ଡା ସାଙ୍ଗିଆଧାରୀ। ଏମାନେ ହେଉଛନ୍ତି ବିଜେପିର କୁନି ମୁଣ୍ଡା, ଜେଏମ୍‌ଏମ୍‌ର ପ୍ୟାରୀ ମୁଣ୍ଡା, କଂଗ୍ରେସର ଟୁରୀ ମୁଣ୍ଡା, ବିଜେଡିର ରମାମଣୀ ମୁଣ୍ଡା ଓ ସିପିଏମ୍‌ର ସୁଶୀଳା ମୁଣ୍ଡା।

ସମ୍ବନ୍ଧିତ ଖବର