ପୁରୀ: ମହାପ୍ରଭୁଙ୍କ ଲୀଳା ଯେପରି ଅନନ୍ୟ, ତାଙ୍କ ପାଇଁ ପ୍ରସ୍ତୁତ ରଥର ନିର୍ମାଣ କୌଶଳ ବି ସେହିପରି ସ୍ବତନ୍ତ୍ର। ଶୁଣିଲେ ହୁଏତ ବିଶ୍ବାସ ହେବ ନାହିଁ ଯେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ବ୍ୟବହୃତ ହୁଏ ୨ ଇଞ୍ଚରୁ ଆରମ୍ଭ କରି ସାଢ଼େ ୪ ଫୁଟର କଣ୍ଟା। ବ୍ୟବହୃତ କଣ୍ଟାର ପ୍ରକାର ଯେତିକି ଆଶ୍ଚର୍ଯ୍ୟଜନକ, ନାମକରଣ ମଧ୍ୟ ସେତିକି ରୋଚକ। ଗୋଡ଼ିଛାଲ ପାଇଁ ୨ ଇଞ୍ଚର କଣ୍ଟା ଲାଗୁଥିବା ବେଳେ ତେରପୋଟଳକୁ ଯୋଖିବା ପାଇଁ ଲାଗେ ୨୫ ଏମ୍ଏମ୍ର ସାଢ଼େ ୪ ଫୁଟିଆ କଣ୍ଟା। ଦୋଳବେଦି କୋଣରେ କମାର ସେବକମାନେ ପ୍ରତ୍ୟେକ ରଥ ପାଇଁ ୪ଟି ଲେଖାଏଁ ସାଢ଼େ ୪ ଫୁଟିଆ କଣ୍ଟା ପ୍ରସ୍ତୁତ କରନ୍ତି। ଏହି କଣ୍ଟାର ନାଁ ଜଂଘା। ମହାପ୍ରଭୁଙ୍କ ରଥର ତେରପରସ୍ତ ପୋଟଳକୁ ବାନ୍ଧି ରଖିବା ପାଇଁ ଏହି ଜଂଘାର ବିନିଯୋଗ କରାଯାଏ। ଅର, ଦଣ୍ଡାବାଡ଼ିଆ, ପୋଖରିଆ, ଗୟଳ, ଛନ୍ଦାଗୟଳ, ଯୋଖା, ଚଣାକ, ଭୂଇଁ ଭଳି ପ୍ରାୟ ୭୦ ପ୍ରକାରର କଣ୍ଟା ରଥରେ ବ୍ୟବହୃତ ହୁଏ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ଲୁହା ରଡ୍ ଓ ପ୍ଲେଟ୍ରେ ଓଝା ମହାରଣା ସେବକମାନେ ପ୍ରତି ରଥର ଅଖ, ଦଣ୍ଡାରେ କଣ୍ଟା ଲଗାଯିବା ଉଦ୍ଦେଶ୍ୟରେ ଯଥାକ୍ରମେ ନନ୍ଦିଘୋଷ ରଥ ପାଇଁ ୧୦ ଗଣ୍ଡା, ତାଳଦ୍ବଜ ରଥ ପାଇଁ ୯ଗଣ୍ଡା ଓ ଦେବଦଳନ ରଥ ପାଇଁ ୭ ଗଣ୍ଡା ୨ଟା କଣ୍ଟା ପ୍ରସ୍ତୁତ କରିଥାଆନ୍ତି। ତିନି ରଥ ପାଇଁ ମୋଟ୍ ୧୭ ଜଣ କମାର ସେବକ ନିୟୋଜିତ ହୋଇଛନ୍ତି। ନନ୍ଦିଘୋଷ ପାଇଁ ୬, ତାଳଧ୍ବଜ ପାଇଁ ୬ ଏବଂ ଦର୍ପଦଳନ ରଥ ପାଇଁ ୫ ଜଣ କମାର ସେବକ କଣ୍ଟା ପ୍ରସ୍ତୁତି କରିଛନ୍ତି। କେବଳ ତାଳଧ୍ବଜ ରଥର ଚକା ପାଇଁ ୩୨ଟି କଣ୍ଟା ସହ ୪ଟା ପନ୍ଦାରି ଚାବି, ୨ଟି ପନ୍ଦାରି, ୨ଟି ବଳା ଲାଗେ। ସେହିପରି ଯୋଖା, ଦଣ୍ଡାବାଡ଼ିଆ, ଅର କଣ୍ଟା ଭଳି ଆବଶ୍ୟକ ମୁତାବକ କଣ୍ଟା ପ୍ରସ୍ତୁତ କରାଯାଏ।
ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣର ଅନୁକୂଳ ସମୟରେ ମଧ୍ୟ ଓଝା ସେବକମାନେ ତିନିଟି ଟାଙ୍ଗିଆ ଯୋଗାଇ ଥାଆନ୍ତି। ଦୁଇ ତିନିଦିନ ପରେ ଦୋଳବେଦିଠାରେ କାର୍ଯ୍ୟ ଆରମ୍ଭ ହୋଇ ଭଉଁରି ଦିନ ପନ୍ଦାରି, ଜୋକିଆ ଓ ହୁକର ମଧ୍ୟ ଅନୁକୂଳ କରାଯାଇଥାଏ। ଶ୍ରୀମନ୍ଦିର ସ୍ବତ୍ତ୍ବଲିପିର ୧୦୧ ନମ୍ବର ସେବାରେ ଓଝାଙ୍କ ସେବା ସମ୍ବନ୍ଧରେ ଉଲ୍ଲେଖ ରହିଛି। କଣ୍ଟା ଯୋଗାଇବା ସହିତ ରଥଯାତ୍ରା ପୂର୍ବଦିନ ରଥଖଳାରୁ ସିଂହଦ୍ବାରକୁ ରଥ ବିଜେ କରିବା ସମୟରେ ରଥ ଉପରେ ଏହି ସେବକମାନେ ଚାନ୍ଦୁଆ ବାନ୍ଧିଥାନ୍ତି।