ଭୁବନେଶ୍ବର, ୧୨/୭ (ଇମିସ): ସରକାରୀ ଜମି ସବୁକୁ ଜବରଦଖଲ ମୁକ୍ତ କରିବାଲାଗି ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ବିଭାଗଗୁଡ଼ିକ ତତ୍ପର ହୋଇଛନ୍ତି। କେଉଁଠି କେତେ ଜମି ଜବରଦଖଲରେ ରହିଛି, ତାହାକୁ ଖୋଜିବାରେ ଲାଗିପଡ଼ିଛନ୍ତି। ଭୁବନେଶ୍ବରରେ ବିଶେଷକରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ବିଏମ୍‌ସି, ବିଡିଏ ଓ ବନବିଭାଗର ଜମି ରହିଛି। ଏହିସବୁ ବିଭାଗର ୭୦୦ ଏକରରୁ ଊର୍ଦ୍ଧ୍ବ ଜମି ଜବରଦଖଲ ହୋଇ ରହିଛି। ୫୦ ପ୍ରତିଶତ ଜମି ବର୍ଷ ବର୍ଷ ଧରି ଜବରଦଖଲରେ ରହିଥିବା ବେଳେ ୩୦ ଏକର ଉଚ୍ଛେଦ ହେବାପରେ ମଧ୍ୟ ସୁରକ୍ଷା ଦିଆଯାଇ ପାରିନାହିଁ। ଫଳରେ ସେଗୁଡ଼ିକ ପୁଣିଥରେ ଜବରଦଖଲ ହୋଇଯାଇଛି। ଅଧାରୁ ଅଧିକ ବଡ଼ବଡ଼ିଆ ମାଡ଼ି ବସିଛନ୍ତି। ଉଚ୍ଛେଦ ପୂର୍ବରୁ କୋର୍ଟରେ ପହଞ୍ଚି ସୁରକ୍ଷା ପାଇଛନ୍ତି। ବାକି ଗରିବ ଶ୍ରେଣୀର ଦଖଲରେ ଅଛି। ଅଧିକାଂଶ କ୍ଷେତ୍ରରେ ନେତାଙ୍କ ହାତ ରହିଥିବା ବେଳେ ଅଧିକାରୀ ବି ନେତାଙ୍କ ଗରମ ତାୱାରେ ରୁଟି ସେକିବା ଭଳି ବ୍ୟବସ୍ଥା କରିଛନ୍ତି। ଉଚ୍ଛେଦ କେବଳ ନାମକୁମାତ୍ର ହୋଇଛି।

Advertisment

ବଡ଼ କଥା ହେଉଛି ଯେଉଁ ବଡ଼ ବଡ଼ ଜାଗାରୁ ଉଚ୍ଛେଦ ହୋଇଛି ସେଥିରୁ ୫୦ ପ୍ରତିଶତ ଜାଗାକୁ ସୁରକ୍ଷା ଦେବାରେ ଉପରୋକ୍ତ ବିଭାଗମାନେ ସକ୍ଷମ ହୋଇ ନାହାନ୍ତି। ଏଣୁ ତାହା ସମୟକ୍ରମେ ପୁଣି ଜବରଦଖଲକୁ ଚାଲି ଯାଇଛି। ଜବରଦଖଲ ହେଲେ ଚିହ୍ନଟ କରିବାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୁକ୍ତ ‘ବ୍ଲୁଇସ୍‌ ଆପ୍‌’ କେବଳ ଧର୍ମକୁ ଆଖିଠାର ହୋଇଛି। ଏହି ଆପ୍‌ ସରକାରୀ ଜମିରେ ପଡ଼ିଥିବା କେବଳ କେତୋଟି ଭଙ୍ଗା କ୍ୟାବିନ୍‌ ଚିହ୍ନଟ କରିଛି। ସାଲିଆସାହିରେ ବନ ବିଭାଗର ୨୫୬ ଏକର ଜମି ଜବରଦଖଲରେ ଅଛି। ସେମାନଙ୍କୁ ହାଉସିଂ ପ୍ରକଳ୍ପ କିମ୍ବା ଜାଗା ମିସନ୍‌ରେ ଜମି ଦିଆଯିବା କଥା। ଜଙ୍ଗଲ କିସମ ଜମି କହି ସେମାନଙ୍କୁ ଜାଗା ମିସନ୍‌ରେ ସାମିଲ୍‌ କରାଯାଇ ନାହିଁ। ପୂରା ୨୫୬ ଏକର ଖାଲି ହେବା ତ ଦୂରର କଥା, ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ପାଇଁ ଆବଶ୍ୟକ ଅଳ୍ପ ପରିମାଣର ଜାଗା‌ ଖାଲି ହୋଇ ପାରୁନାହିଁ। ଅନେକ ସମୟରେ ଉଚ୍ଛେଦ ପାଇଁ ଯିବାବେଳେ ପ୍ରଶାସନ ଘୋର ବିରୋଧର ଶିକାର ହେଉଛି। ସମାନ୍ତରାଳ ରାସ୍ତା ସମ୍ପୂର୍ଣ୍ଣ ହୋଇଯାଇଥିବା ବେଳେ କେବଳ ଏହି ସାଲିଆସାହି ଅଞ୍ଚଳ ବାକି ରହିଛି। ଏତେ ବଡ଼ ପ୍ରକଳ୍ପ ଯେଉଁଠି ସରକାର ସମ୍ପୂର୍ଣ୍ଣ କରିପାରୁ ନାହାନ୍ତି ସେଠାରେ ଏମାନଙ୍କୁ ଉଚିତ ନ୍ୟାୟ ଦେଇ ଉଚ୍ଛେଦ କରିବା ଏକପ୍ରକାର ଅସମ୍ଭବ ବୋଲି କୁହାଯାଉଛି।

ବଡ଼ବଡ଼ିଆ ଯେତିକି, ଅତି ଗରିବ ସେତିକି
ଉଚ୍ଛେଦ କେବଳ ଧର୍ମକୁ ଆଖିଠାର
ଜବରଦଖଲମୁକ୍ତ ଜାଗାକୁ
ସୁରକ୍ଷା ଦେଇ ପାରି ନାହାନ୍ତି
ଭଙ୍ଗା କ୍ୟାବିନ୍‌ ଚିହ୍ନଟ କରୁଛି ‘ବ୍ଲୁଇସ୍‌’

ଜିଏ ବିଭାଗର ଭୁବନେଶ୍ବରରେ ୪୦୩ ଏକର ଜମି ଜବରଦଖଲରେ ଅଛି। ଏହା ଭିତରୁ ଏକ ବଡ଼ ପ୍ୟାଚ୍‌ ୟୁନିଟ୍‌-୩ ଅଞ୍ଚଳରେ ରହିଛି। ଏଠାରେ ପ୍ରାୟ ୯୪ ଏକର ଜବରଦଖଲରେ ଅଛି। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ଏହି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ହୋଇଥିଲା। ଦୀର୍ଘସମୟ ଧରି ଉଚ୍ଛେଦକାରୀ ଦଳ ଓ ବାସିନ୍ଦାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଚାଲିଥିଲା। ଫାଙ୍କା ଗୁଳିଚାଳନା ସହ ଲାଠିଚାର୍ଜ ବି ହୋଇଥିଲା। ଏହି ଅଞ୍ଚଳ ଜବରଦଖଲ ମୁକ୍ତ ହେବାସହ ସେମାନଙ୍କୁ ନେଇ ଭରତପୁର ଅଞ୍ଚଳରେ ଥଇଥାନ କରାଯାଇଥିଲା। ହେଲେ ଖାଲି ହୋଇଥିବା ଜମିକୁ ସୁରକ୍ଷା ଦିଆଯାଇ ପାରିଲାନି। ଫଳରେ କାଳକ୍ରମେ ଏହା ଦଖଲ ହେଲା। ଏବେ ବି ଦଖଲ ହେବାରେ ଲାଗିଛି। ରାଜ୍ୟର କେଉଁ ଅଞ୍ଚଳରୁ ନୁହେଁ ବରଂ ବାଂଲାଦେଶୀ ଏଠାରେ ଜବରଦଖଲ କରିବା ଆରମ୍ଭ କଲେଣି। ସଂଖ୍ୟା ବଢ଼ୁଥିବାରୁ ଏହାକୁ ଉଚ୍ଛେଦ କରିବାକୁ ପୁଣି ଥରେ ପ୍ରଶାସନ ନାକେଦମ୍‌ ହେବ। ଏକାଧିକ ମାମଲା କୋର୍ଟ କଚେରୀରେ ରହିଥିବାରୁ ଉଚ୍ଛେଦ ଏକ ପ୍ରକାର ଅସମ୍ଭବ ହୋଇଛି।

ଶ୍ୟାମପୁର ମୌଜାରେ ଜିଏ ବିଭାଗ ୬୮.୪୪୫ ଏକର ଜମି ବିଡିଏକୁ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ଦେଇଥିଲା। ହେଲେ ଏହି ସମ୍ପୂର୍ଣ୍ଣ ଜାଗା ଜବରଦଖଲ ହୋଇଛି। ଏହାକୁ ଉଚ୍ଛେଦ କରିବା ପରିବର୍ତ୍ତେ ବିଡିଏ ଇଓଡବ୍ଲୁରେ ଏତଲା ଦେଇ ଚୁପ୍ ହୋଇ ବସିଯାଇଛି। ‌କୌତୁହଳପ୍ରଦ ହେଉଛି ଇଓଡବ୍ଲୁ ମଧ୍ୟ ମାମଲା ରୁଜୁ କରିନାହିଁ। ଫଳରେ ଏଠାରେ ଥିବା ୩୦ ଜବରଦଖଲ ଏବେ ଶହେ ଡେଇଁଲାଣି। ସାରା ଅଞ୍ଚଳ ଏବେ ଜବରଦଖଲ ହୋଇ ବିକାକିଣା ଚାଲିଛି। କାହିଁକି ଏହାକୁ ଉଚ୍ଛେଦ ନ କରି ବିଡିଏ ଇଓଡବ୍ଲୁରେ ମାମଲା କରି ଜବରଦଖଲକାରୀଙ୍କୁ ସୁଯୋଗ ଦେଇଛି ବୁଝାପଡ଼ୁ ନାହିଁ। ଏହି ଜମିକୁ ଲାଗି ଜିଏ ବିଭାଗର ୪୦ ଏକର ଓ ବନ ବିଭାଗ ୨୦ ଏକରରୁ ଅଧିକା ଜମି ରହିଛି। ଇଓଡବ୍ଲୁର ଦ୍ବାରସ୍ଥ ହୋଇ ବିଡିଏ ଫେଲ୍‌ ମାରିବା ପରେ ଏହି ଦୁଇ ବିଭାଗର ଜାଗା ଜବରଦଖଲ ହେବାରେ ଲାଗିଛି। ଏହା କେବଳ କେତେକ ବଡ଼ ବଡ଼ ଉଦାହରଣ ମାତ୍ର। ଏହା ଛଡ଼ା ଅଧିକାଂଶ ଜମି ବଡ଼ବଡ଼ିଆଙ୍କ ଦଖଲରେ ରହିଛି। ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ କୋର୍ଟରେ ପହଞ୍ଚି ସୁରକ୍ଷା ଆଣିଛନ୍ତି। କେତେକ ନେତାଙ୍କ କବ୍‌ଜାରେ ରହିଛି। ସରକାରଙ୍କ ତନାଘନା ପରେ ବିଭାଗୀୟ ଅଧିକାରୀମାନେ ତାଲିକା ପ୍ରସ୍ତୁତ କରୁଥିବା ବେଳେ ଏହି ଜବରଦଖଲ ଜମିକୁ କିଭଳି ସୁରକ୍ଷା ଦେବେ ସେଥିପାଇଁ ଜବରଦଖଲକାରୀ ମଧ୍ୟ ଲାଗି ପଡ଼ିଛନ୍ତି।