ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି ୮ ସ୍କୁଲ

ହରିଚନ୍ଦନପୁର:  କରୋନା କଟକଣା ପାଇଁ ଦୀର୍ଘ ଦୁଇ ବର୍ଷ ପରେ ରାଜ୍ୟର ପ୍ରାଥମିକ ସ୍କୁଲ ଗୁଡ଼ିକ ଗତ ମାସ ୨୮ ତାରିଖରୁ ଖୋଲିଛି । ବର୍ତ୍ତମାନ ସ୍କୁଲ ଗୁଡିକ ସକାଳ ୧୦ ଟାରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ଖୋଲାଯାଉଛି।  ବ୍ଲକର ୨୩୦ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୫୦ ଟି ପ୍ରାଥମିକ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଥିଲେ।

ପ୍ରାଥମିକ ସ୍କୁଲ ଗୁଡିକରେ ଅତି କମ୍‌ରେ ୨ ଜଣ ଶିକ୍ଷକ ରହିବେ ବୋଲି ସରକାରଙ୍କ ନିୟମ କରିଥିବା ବେଳେ ଦୁଇମାସ ପୂର୍ବରୁ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଦୁଇଜଣ ଲେଖାଁଏ ଶିକ୍ଷକ ନିଯୁକ୍ତି ପାଇଁ  ନିଷ୍ପତ୍ତି ନିଆଯାଇଥିଲା। ଏହା ସତ୍ତ୍ୱେ ମଧ୍ୟ ବ୍ଲକର ଖରବା, ନୋଲ, ରାବଣଗାଡିଆ, ଖୁଣ୍ଟାପଡ଼ା, ମଣିପୁର, ଶରତପଦା, ନୂଆସାହି ଓ କୁସୁମଯୋଡ଼ି ଆଦି ପ୍ରାଥମିକ ବିଦ୍ୟାଳୟରେ  ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି।

ଶିକ୍ଷା ବିଭାଗର ଦୂର ଦୃଷ୍ଟି ଅଭାବରୁ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ମାତ୍ର ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି।  ଖୁଣ୍ଡାପଡା ପ୍ରାଥମିକ ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ଥିଲେ। ସେଥି ମଧ୍ୟରୁ ଜଣେ ଶିକ୍ଷକ ଲେବୁଲ ୪କୁ ପଦୋନ୍ନତି ପାଇଲେ। ଶିକ୍ଷା ବିଭାଗ ସେହି ସ୍କୁଲରେ ପଦୋନ୍ନତି ନଦେଇ ଅନ୍ୟ ସ୍କୁଲରେ ନିଯୁକ୍ତି ଦେଲେ । ଯଦ୍ୱାରା ଖୁଣ୍ଟାପଡା ସ୍କୁଲରେ ବର୍ତ୍ତମାନ ମାତ୍ର ଜଣେ ଶିକ୍ଷକ ଅଛନ୍ତି।  ଶରତପଦା ଓ କୁସୁମଯୋଡି ସ୍କୁଲର ଜଣେ ଲେଖାଏଁ ଶିକ୍ଷକ ଗତ ଡିସେମ୍ବର ଓ ଜାନୁଆରି ମାସରେ ଅବସର ଗ୍ରହଣ କରିଛନ୍ତି ।

ଶିକ୍ଷା ବିଭାଗ ପୂର୍ବରୁ ଏଥିପ୍ରତି ଦୃଷ୍ଟି ଦେଇଥିଲେ ବର୍ତ୍ତମାନ  ଜଣେ ଲେଖାଏଁ ଶିକ୍ଷକ ନଥାନ୍ତେ ବୋଲି ମଧ୍ୟ ଆଲୋଚନା ହେଉଛି।  ଏଥିସହିତ ଲକ୍ଷ୍ମୀପୁର ଓ କାଳିଆହୁଡ଼ି ସ୍କୁଲରେ ଦୁଇ ଜଣ ଲେଖାଏଁ ଶିକ୍ଷକ ଥିଲେ ମଧ୍ୟ ସେଠାରେ ଅଧିକ ଜଣେ ଲେଖାଏଁ ଶିକ୍ଷକ ନିଯୁକ୍ତି ଦିଆଯାଇଛି। ରେସନାଲାଇଜେସନ ପରେ ମଧ୍ୟ ଜଣେ ଲେଖାଏଁ ଶିକ୍ଷକ ଥିବା ବ୍ଲକର ୮ ଟି ସ୍କୁଲରେ ତୁରନ୍ତ ଅଧିକ ଶିକ୍ଷକ ନିଯୁକ୍ତି ପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବି ହେଉଛି । ଦୀର୍ଘ ଦୁଇ ବର୍ଷ ପରେ ସ୍କୁଲ ଖୋଲିଥିବାରୁ ଜଣେ ଲେଖାଏଁ  ଶିକ୍ଷକ ଥିବା ସ୍କୁଲ ଗୁଡିକରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ଜଣେ ଲେଖାଏଁ ଶିକ୍ଷକ ଥିବା ସ୍କୁଲଗୁଡିକରେ ତୁରନ୍ତ ଅଧିକ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ଜଣାଇଛନ୍ତି ।

ସମ୍ବନ୍ଧିତ ଖବର