ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ସନ୍ଦିଗ୍ଧଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ପହଲଗାମ ଆତଙ୍କୀ ଆକ୍ରମଣ ଘଟଣା ପରେ ପୁଲିସ ପକ୍ଷରୁ ବ୍ୟବସ୍ଥା କଡ଼ାକଡ଼ି ହୋଇଛି ବୋଲି ଖୋଦ୍ ଏସ୍ପି ବିବୃତି ରଖିଲେ। କିନ୍ତୁ ଆଜି କ୍ଷେତ୍ର ରିପୋର୍ଟିଂ ବେଳେ ଆମେ ଉତ୍ତୋଳିତ କରିଥିବା ସୁରକ୍ଷା ବ୍ୟବସ୍ଥାର ଚିତ୍ର ଓଲଟା କଥା ବୟାନ କରୁଛି। ଆଣ୍ଟି ସାବୋଟେଜ୍ ଟିମ୍ ନିୟୋଜିତ କରାଯାଇଛି, କିନ୍ତୁ ମେଟାଲ୍ ଡିଟେକ୍ଟର କାମ ଦେଉନାହିଁ। ଅର୍ଥାତ୍ ଆତଙ୍କୀ ଆକ୍ରମଣ ପାଇଁ ପ୍ରସ୍ତୁତ ବୋଲି ପୁରୀ ପୁଲିସ୍ ଡିଣ୍ଡିମ ପିଟୁଛି। କିନ୍ତୁ ଯାଞ୍ଚ ପାଇଁ ଶ୍ରୀମନ୍ଦିର ଚାରିଦ୍ବାରରେ ଥିବା ମେଟାଲ୍ ଡିଟେକ୍ଟର୍ ଅଚଳ ହୋଇଗଲାଣି। ସିଂହଦ୍ବାରରେ ସର୍ବାଧିକ ଭକ୍ତ ପ୍ରବେଶ ଦୃଷ୍ଟିରୁ ୪ଟି ମେଟାଲ୍ ଡିଟେକ୍ଟର ଅଛି, କିନ୍ତୁ ଆଜି ଗୋଟିଏ ବି ସଚଳ ନଥିବା ଦେଖିବାକୁ ମିଳିଛି। ଅନ୍ୟ ତିନି ଦ୍ବାରରେ ୩ଟି ମେଟାଲ୍ ଡିଟେକ୍ଟର ରହିଛି। କିନ୍ତୁ କାମରେ ଲାଗୁନାହିଁ। ଅର୍ଥାତ୍ ଅନ୍ୟ ତିନିଦ୍ବାରରେ ତିନି ଥାକିଆ ଧାଡ଼ି ହୋଇଛି। କିନ୍ତୁ ମେଟାଲ୍ ଡିଟେକ୍ଟର ଖରାପ ଥିବାରୁ ଭକ୍ତ ଅନ୍ୟ ଧାଡ଼ିରେ ଆସି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି।
ମହିଳାଙ୍କୁ ଯାଞ୍ଚ ପାଇଁ ନାହିଁ ହ୍ୟାଣ୍ଡ-ହେଲ୍ଡ ମେଟାଲ୍ ଡିଟେକ୍ଟର୍
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଜି ବି ଭକ୍ତମାନେ ମନ୍ଦିରକୁ ପ୍ରବେଶ ପୂର୍ବରୁ ଫିଜିକାଲ୍ ଚେକିଂ କରାଯାଉଛି। ବିଡ଼ମ୍ବନା ହେଉ, ମେଟାଲ ଡିଟେକ୍ଟର ନଥିଲେ ହେଁ ହ୍ୟାଣ୍ଡ-ହେଲ୍ଡ ମେଟାଲ ଡିଟେକ୍ଟର (ଏଚ୍ଏଚ୍ଏମ୍ଡି)ରେ ଆଗରୁ କାମ ଚଳୁଥିଲା। ଏବେ ତାହା ବି ଆଉ ପୁଲିସ୍ ବାହିନୀ ହାତରେ ନାହିଁ। ଅର୍ଥାତ ଏବେ କେବଳ ଫିଜିକାଲ୍ ଚେକିଂ ହିଁ ଏକମାତ୍ର ବିକଳ୍ପ। ବିଡ଼ମ୍ବନା ହେଉଛି, ଆଜି ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବୁଲିବା ବେଳେ ଉତ୍ତର ଦ୍ବାରରେ କୌଣସି ମହିଳା ପୁଲିସ ନଥିଲେ। ତେଣୁ ମହିଳା ଭକ୍ତଙ୍କୁ ପୁରୁଷ ପୁଲିସ୍ ଚେକିଂ କରି ପାରୁନଥିଲେ। ସେମାନେ ଅନାୟାସରେ ମନ୍ଦିର ଭିତରକୁ ପ୍ରବେଶ କରୁଥିଲେ। ପୁଣି ଜଣେ ବ୍ୟକ୍ତି ଆଜି ଦହିବରା ଆଳୁଦମ ନେଇ ମନ୍ଦିରକୁ ଯିବା ବେଳେ ପୁଲିସ୍ ପକ୍ଷରୁ ଧରାପଡ଼ିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଶୁକ୍ରବାର ଏସ୍ପି ରଖିଥିବା ବିବୃତି ଓ ବାସ୍ତବ ଚିତ୍ର ମଧ୍ୟରେ ଆଜି କୌଣସି ସାମଞ୍ଜସ୍ୟ ନଥିବା ସ୍ପଷ୍ଟ ହୋଇଥିଲା।
ଗୋଟେ ପଟେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସୁରକ୍ଷା ବ୍ୟବସ୍ଥା ମନ୍ଦିର ପ୍ରବେଶ ଦ୍ବାରରେ ଆପଣାଯିବ ବୋଲି କୁହାଯାଉଛି, କିନ୍ତୁ ଏପଟେ ସାମାନ୍ୟ ମେଟାଲ୍ ଡିଟେକ୍ଟରଟିଏ ବଦଳାଯାଇ ପାରୁନାହିଁ କି ମରାମତି ହୋଇ ପାରୁନାହିଁ। ଯଦିଓ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପାଇଁ ୧୨ ପ୍ଲାଟୁନ ପୁଲିସ ନିୟୋଜିତ ଥିବା କୁହାଯାଉଛି, କିନ୍ତୁ ଆଜି ମଧ୍ୟାହ୍ନରେ କେବଳ ଚାରି ଦ୍ବାର ପ୍ରବେଶ ପଥରେ ଥିବା ପୁଲିସଙ୍କ ସଂଖ୍ୟା ୭୦ରୁ ଅଧିକ ନଥିଲା। ପରିକ୍ରମା ମାର୍ଗରେ କୌଣସି ପୁଲିସ ଫୋର୍ସ ନିୟୋଜିତ ନଥିଲେ। ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ୮୦ ପ୍ରତିଶତରୁ ଅଧିକ ପୁରୀ ନିଶ୍ଚିତ ଆସିଥାଆନ୍ତି। ଅର୍ଥାତ୍ ସମଗ୍ର ଓଡ଼ିଶାରେ ପୁରୀ ସର୍ବାଧିକ ପର୍ଯ୍ୟଟନ ବହୁଳ ସହର। ଶ୍ରୀମନ୍ଦିର ପରିଚାଳନା ପାଇଁ କର୍ପସ ପାଣ୍ଠି ଗଠନ ହେଉଛି, କୋଟିକୋଟି ଟଙ୍କା ଅନାୟାସରେ ଯୋଗାଇ ଦିଆଯାଉଛି। ଅଥଚ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯୁଗରେ ଆଜି ବି ଏଠାରେ ଫିଜିକାଲ୍ ଚେକିଂରେ କାମ ଚଳୁଛି।