ଭୁବନେଶ୍ବର : ବରଗଡ଼ ଜିଲ୍ଲା ବରପାଲିସ୍ଥିତ ଗଙ୍ଗାଧର ମେହେର ସ୍ମାରକୀ ପାଠାଗାରରେ ୮୩୨୫ଟି ବହି ଅଛି। ହେଲେ ୬ମାସ ହେଲା କେହି ଏହି ବହିକୁ ପଢ଼ିବାକୁ ସୁଯୋଗ ପାଉନାହାନ୍ତି। କାରଣ ଏହି ପାଠାଗାର ଖୋଲିବା ପାଇଁ କି ପରିଚାଳନା ପାଇଁ ଜଣେ ବି କର୍ମଚାରୀ ନଥିବାରୁ ଏଠାରେ ତାଲା ପଡ଼ିଛି।
ପୁରୀ ଜିଲ୍ଲା ପାଠାଗାରରେ ଜଣେ ବି କର୍ମଚାରୀ ନାହାନ୍ତି। ଜିଲ୍ଲା ପାଠାଗାର ହୋଇଥିବାରୁ କିଛି ମାସ ହେଲା ସାକ୍ଷୀଗୋପାଳସ୍ଥିତ ପଞ୍ଚସଖା ସ୍ମାରକୀ ପାଠାଗାରର ଏକମାତ୍ର ଗ୍ରନ୍ଥାଗାର ସହାୟକଙ୍କୁ ଏଠାକୁ ଡେପୁଟେସନରେ ଅଣାଯାଇଛି। ହେଲେ ଝାଡ଼ୁଦାର ନଥିବାରୁ ପାଠାଗାରରେ ଦିନଟିଏ ବି ଝାଡ଼ୁ ବାଜୁନି। ଆଉ ପଞ୍ଚସଖା ସ୍ମାରକୀ ପାଠାଗାରକୁ ଚଲାଇବାକୁ ଜଣେ ଠିକା କର୍ମଚାରୀଙ୍କୁ ଏଠାରେ ନିୟୋଜିତ କରାଯାଇଛି। ଏଠାରେ ବି ସମାନ ଅବସ୍ଥା।
ଏହି ତିନିଟି ପାଠାଗାରର ଅବସ୍ଥା ଭାତହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି। ସଂସ୍କୃତି ବିଭାଗ ଅଧୀନରେ ରାଜ୍ୟରେ ଥିବା ୨୬ଟି ସାର୍ବଜନୀନ ପାଠାଗାରର ଅବସ୍ଥା ଏହିଭଳି। କେଉଁଠି ବି ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ପାଠାଗାରଗୁଡ଼ିକର ସ୍ଥିତି ଦୟନୀୟ ହୋଇଯାଇଛି। ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ପାଠାଗାରଗୁଡ଼ିକର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲେ ବି ସଂସ୍କୃତି ବିଭାଗର ବେପରୁଆ ମନୋଭାବ ଯୋଗୁଁ ପାଠାଗାରଗୁଡ଼ିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ।
ରାଜ୍ୟରେ ଗ୍ରନ୍ଥାଗାରଗୁଡ଼ିକୁ ବ୍ୟବସ୍ଥିତ କରିବା ସହ ଏଠାକୁ ଯେପରି ନିୟମିତ ପାଠକ ଯିବେ ସେଥିପାଇଁ ସଂସ୍କୃତି ବିଭାଗ ଅଧୀନରେ ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ଖୋଲିଥା’ନ୍ତା। ଏଥିରେ ଜଣେ ଗ୍ରନ୍ଥାଗାର ନିର୍ଦ୍ଦେଶକ ଏବଂ କିଛି କର୍ମଚାରୀ ନିଯୁକ୍ତି ପାଇଥା’ନ୍ତେ। ସେମାନେ ସଂସ୍କୃତି ବିଭାଗ ଅଧୀନରେ ଥିବା ଜିଲ୍ଲା ପାଠାଗାର, ଉପଖଣ୍ଡ ପାଠାଗାର, ସମନ୍ବିତ ପାଠାଗାରର ରୂପରେଖ ବଦଳାଇବା ସହ ନିୟମିତ ବ୍ୟବଧାନରେ ଓଡ଼ିଆ ଏବଂ ବିଭିନ୍ନ ଭାଷାଭାଷୀ ଲେଖକଙ୍କ ଅନୁବାଦିତ ବହି କିଣିଥା’ନ୍ତେ।
ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ନିଷ୍ପତ୍ତି ଘୋଷଣାରେ
୬ଟି ଜିଲ୍ଲା ପାଠାଗାରରେ ଜଣେ ବି କର୍ମଚାରୀ ନାହାନ୍ତି
ଜୁଲାଇ ୨୦୧୮ରେ ବସିଥିବା ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଥିବାରୁ ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଆଶା କରାଯାଉଥିଲା। ହେଲେ ତିନି ବର୍ଷ ପରେ ସ୍ଥିତି ଅତ୍ୟନ୍ତ ଶୋଚନୀୟ। ନା ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ଖୋଲାଗଲା ନା ପାଠାଗାରଗୁଡ଼ିକର ରୂପ ବଦଳିଲା। ବରଂ କର୍ମଚାରୀ ନଥିବାରୁ ପାଠାଗାରଗୁଡ଼ିକ ଅଧିକାଂଶ ଦିନ ବନ୍ଦ ରହୁଥିବା ବେଳେ ଏବେ ସଂପୂର୍ଣ୍ଣ ବନ୍ଦ ହେବା ସ୍ଥିତିରେ। ପାଠାଗାରଗୁଡ଼ିକ ଦୟନୀୟ ସ୍ଥିତିରେ ଥିବାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀମାନେ କାହିଁକି ନିରବଦ୍ରଷ୍ଟା ସାଜିଛନ୍ତି ସେନେଇ ସନ୍ଦେହ ହେଲାଣି।
ରାଜ୍ୟ ପାଠାଗାର ବାଦ୍ ରାଜ୍ୟର ୨୬ଟି ସାର୍ବଜନୀନ ପାଠାଗାର ସଂସ୍କୃତି ବିଭାଗ ଅଧୀନରେ ରହିଛି। ଏଠାରେ ମୋଟ୍ ୬୭ଟି ମଧ୍ୟରୁ ୫୦ଟି ପଦବି ଖାଲି ପଡ଼ିଛି। ଏପରିକି ଅଧିକାଂଶ ସ୍ଥାନରେ ପାଠାଗାର ପରିଚାଳନା ପାଇଁ ଥିବା ଗ୍ରନ୍ଥାଗାର ସହାୟକ, ଗ୍ରନ୍ଥାଗାର ପରିଚାରକ ପଦବି ଖାଲି ପଡ଼ିଛି। ଝାଡ଼ୁଦାର ତଥା ଜଗୁଆଳି ବି ନାହାନ୍ତି। ଯେଉଁଠି ଝାଡ଼ୁଦାର ନାହାନ୍ତି ସେଠାରେ ମାସ ମାସ ଧରି ଝାଡ଼ୁ ମରାହେଉନି ନଚେତ୍ ଗ୍ରନ୍ଥାଗାର ସହାୟକ ନିଜେ ଝାଡ଼ୁ ମାରୁଛନ୍ତି। ଯେଉଁଠି ଗ୍ରନ୍ଥାଗାର ସହାୟକ ଓ ଗ୍ରନ୍ଥାଗାର ପରିଚାରକ ନାହାନ୍ତି ସେଠାରେ ଝାଡ଼ୁଦାର ପାଠାଗାର ପରିଚାଳନା କରୁଛନ୍ତି। ଆଉ ଯେଉଁଠି କେହି ନାହାନ୍ତି ସେଠାରେ ପାଠାଗାରରେ ତାଲା ଝୁଲୁଛି, ନଚେତ୍ ଠିକା କର୍ମଚାରୀଙ୍କ ମର୍ଜିରେ ପାଠାଗାର ଖୋଲୁଛି। ବିନା ଗ୍ରନ୍ଥାଗାର ସହାୟକ ଓ ଗ୍ରନ୍ଥାଗାର ପରିଚାରକରେ କିଭଳି ପାଠାଗାର ଚାଲୁଛି ସେନେଇ ସଂସ୍କୃତି ବିଭାଗ ମୁଣ୍ଡ ନଖେଳାଇବା ଚିନ୍ତାର ବିଷୟ।
ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଦର୍ଶାଇଛନ୍ତି ଯେ ରାଜ୍ୟରେ ୧୭ଟି ଜିଲ୍ଲା ପାଠାଗାର ଥିବାବେଳେ ଏଥିରୁ ୩୫ଟି ପଦବି ଖାଲି ପଡ଼ିଛି। ଏଥିରେ ୧୬ଟି ଜିଲ୍ଲାରୁ ୫ଟିରେ ଗ୍ରନ୍ଥାଗାର ସହାୟକ ଥିବାବେଳେ ବାକି ୧୧ଟି ପଦବି ଖାଲି ପଡ଼ିଛି। ଅନୁଗୁଳରେ ଗ୍ରନ୍ଥାଗାରିକ ଜଣେ ଅଛନ୍ତି। ସେହିପରି କୋରାପୁଟ, କଟକ, ବରଗଡ଼, ସମ୍ବଲପୁର, ମୟୂରଭଞ୍ଜ, ପୁରୀ ଜିଲ୍ଲା ପାଠାଗାରରେ ଜଣେ ବି କର୍ମଚାରୀ ନାହାନ୍ତି।
କେବଳ ଏତିକି ନୁହେଁ। ରାଜ୍ୟର ଏକମାତ୍ର ଉପଖଣ୍ଡ ପାଠାଗାର ରାଇରଙ୍ଗପୁରରେ ଥିବାବେଳେ ସେଠାରେ ଜଣେ ବି କର୍ମଚାରୀ ନାହାନ୍ତି। ୬ଟି ସମନ୍ବିତ ପାଠାଗାର ମଧ୍ୟରୁ ୫ଟିରେ ଜଣେ ବି କର୍ମଚାରୀ ନାହାନ୍ତି। ଏହି ୬ଟି ଯାକ ପାଠାଗାର ଗଞ୍ଜାମ ଜିଲ୍ଲାରେ ଥିବାବେଳେ ଖଲ୍ଲିକୋଟ ସ୍ଥିତ ସାର୍ବଜନୀନ ପାଠାଗାରରେ ଜଣେ ଗ୍ରନ୍ଥାଗାର ପରିଚାରକ ଥିବାବେଳେ ବାକି କେଉଁଠି ବି ଜଣେ କର୍ମଚାରୀ ନାହାନ୍ତି। ସେହିପରି ରାଜ୍ୟରେ ଦୁଇଟି ସ୍ମାରକୀ ପାଠାଗାର ଥିବାବେଳେ ବରଗଡ଼ର ବରପାଲିରେ ଥିବା ଗଙ୍ଗାଧର ମେହେର ସ୍ମାରକୀ ପାଠାଗାରରେ ଜଣେ ବି କର୍ମଚାରୀ ନାହାନ୍ତି। ସାକ୍ଷୀଗୋପାଳସ୍ଥିତ ପଞ୍ଚସଖା ସ୍ମାରକୀ ପାଠାଗାରରେ ଜଣେ ଠିକା କର୍ମଚାରୀ ଥିବାବେଳେ ସେ ପାଠାଗାର ପରିଚାଳନା, ଝାଡ଼ୁଦାର, ଜଗୁଆଳି କାମ କରୁଛନ୍ତି।
ଏଭଳି ଉଦ୍ଭଟ ସ୍ଥିତି ନେଇ ମନ୍ତ୍ରୀ କହିଛନ୍ତି ଯେ ଖାଲି ଥିବା ପଦବି ପୂରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅର୍ଥ ବିଭାଗର କ୍ଷମତାପ୍ରାପ୍ତ କମିଟିର ଅନୁମୋଦନ ଆବଶ୍ୟକ। ଏହାପରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ଓ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଜରିଆରେ ପୂରଣ କରାଯିବ। ଏହି ନିଯୁକ୍ତି ପର୍ଯ୍ୟନ୍ତ ପାଠାଗାରଗୁଡ଼ିକରେ ଆଉଟସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦେବା କିମ୍ବା ଅବସରପ୍ରାପ୍ତଙ୍କୁ ପାରିଶ୍ରମିକ ଦେଇ ଏହି କାର୍ଯ୍ୟ ସମ୍ପାଦନ ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଠାରୁ ପ୍ରସ୍ତାବ ଆସିଲେ ଅର୍ଥ ବିଭାଗର ଅନୁମୋଦନ କ୍ରମେ ବିଚାର କରାଯିବ।