ରାଜ୍ୟରେ ଅତିରିକ୍ତ କଟକଣା ନାହିଁ, କୋଭିଡ ସ୍ଥିତିର ସମୀକ୍ଷା ପରେ କୋହଳ ନିଷ୍ପତ୍ତି

ନିର୍ବାଚନ ପ୍ରଚାର ନିୟମ ନ ମାନିଲେ ବଢ଼ିପାରେ ସଂକ୍ରମଣ
୫୦ଦିନ ପରେ ଖୋର୍ଧାରେ ସଂକ୍ରମଣ ଶହେ ତଳକୁ ଖସିଲା
ଚତୁର୍ଥ ଦିନ ଲାଗି ହଜାର ତଳେ ଦୈନିକ ସଂକ୍ରମଣ

ଭୁବନେଶ୍ବର : ଓଡ଼ିଶାରେ କରୋନାର ତୃତୀୟ ଲହର ପ୍ରାୟତଃ ଶେଷ ପର୍ଯ୍ୟାୟରେ। ଦୈନିକ ସଂକ୍ରମଣ ହଜାର ତଳକୁ ଖସି ଆସିଛି। ଅନେକ ଜିଲ୍ଲାରେ ସଂକ୍ରମଣ ୧୦ ତଳକୁ ଖସି ଆସିଲାଣି। ତେବେ ଦେଶବ୍ୟାପୀ କରୋନା ସଂକ୍ରମଣ କମିବା ପରେ ରାଜ୍ୟମାନେ ଲଗାଇଥିବା ଅତିରିକ୍ତ କଟକଣାକୁ ହଟାଇବା ଲାଗି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କହିଛନ୍ତି। ଓଡ଼ିଶାରେ ଅତିରିକ୍ତ କଟକଣା ନାହିଁ, କୋଭିଡ ସ୍ଥିତିର ସମୀକ୍ଷା ପରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର।

ଡା.ମହାପାତ୍ର କହିଛନ୍ତି ଯେ ନିୟମ କୋହଳ କରିବା ଲାଗି କେନ୍ଦ୍ର ସରକାର ଯେଉଁ ଚିଠି ଆସିଛି ତାହା ଉପରେ ରାଜ୍ୟ ସରକାର ଭାବିଚିନ୍ତି ନିଷ୍ପତ୍ତି ନେ‌ବେ। ଓଡ଼ିଶାରେ ଗାଡଇଲାଇନ୍ ଅନୁଯାୟୀ କଟକଣା ହୋଇଛି। ତେଣୁ ଅତିରିକ୍ତ କଟକଣା ନାହିଁ। ରାଜ୍ୟର ୨/୩ଟି ସ୍ଥାନରେ ଟିକେ ଅଧିକ ସଂକ୍ରମଣ ରହୁଛି। ମାତ୍ର ମୋଟାମୋଟି ଭାବେ ରାଜ୍ୟ ଭଲ ସ୍ଥିତି ଆଡ଼କୁ ଯାଉଛି। କିଛିଦିନ ହେବ ଦୈନିକ ସଂକ୍ରମଣ ହଜାର ତଳେ ରହିଛି ଓ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ରହିଛି। ଆଗକୁ ସ୍ଥିତି ଆହୁରି ସୁଧୁରିବ। ସେ ଆହୁରିମଧ୍ୟ କହିଛନ୍ତି ଯେ ଲହର କେବେ ସରେନାହିଁ। ମହାମାରୀ ହେଲେ କିଛିଦିନ ବଢ଼େ ଓ କିଛିଦିନ କମିଥାଏ। ତା’ପରେ ଧୀରେ ଧୀରେ କମେ। ରାଜ୍ୟରେ କୋ-ମର୍ବିଡ୍‌ ବା ଜଟିଳ ରୋଗୀମାନେ କରୋନାରେ ଅଧିକ ସଂଖ୍ୟାରେ ପ୍ରାଣ ହରାଉଛନ୍ତି। ଯାହାକି ମୋଟ ମୃତ୍ୟୁର ୬୦ ପ୍ରତିଶତ। ଏହାସହ ପଞ୍ଚାୟତ ନିର୍ବାଚନରେ ଯେଉଁ ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ ନେଇ ପ୍ରଚାର ଲାଗି ନିର୍ଦେଶ ରହିଛି ତାହାକୁ ନ ମାନିଲେ ରାଜ୍ୟରେ ସଂକ୍ରମଣ ପୁଣି ବଢ଼ିପାରେ। ତେବେ ଆଗକୁ ଏହାର ସ୍ଥିତି ସ୍ପଷ୍ଟ ହେବ ବୋଲି ଡା.ମହାପାତ୍ର କହିଛନ୍ତି।

ଅପରପକ୍ଷରେ ରାଜ୍ୟରେ ଲଗାତାର ଚତୁର୍ଥ ଦିନ ଲାଗି ଦୈନିକ ସଂକ୍ରମଣ ହଜାର ତଳେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୮୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ସଂକ୍ରମଣର ପେଣ୍ଠସ୍ଥଳି ପାଲଟିଥିବା ଖୋର୍ଧା ଜିଲ୍ଲାରୁ ୫୦ଦିନ ପରେ ୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଡିସେମ୍ବର ୨୯ତାରିଖରେ ଜିଲ୍ଲାରୁ ଶହେରୁ କମ୍ ସଂଖ୍ୟକ ଆକ୍ରାନ୍ତ ବାହାରିଥିଲେ। ଖୋର୍ଧା ଜିଲ୍ଲାକୁ ବାଦ୍ ଦେଲେ ସମ୍ବଲପୁର ୧୭୯, ସୁନ୍ଦରଗଡ଼ ୭୯, କୋରାପୁଟ ୬୬, କଟକ ୪୦, ବାଲେଶ୍ବର ୩୬, ଯାଜପୁର ୩୨, କନ୍ଧମାଳ ୨୫, ରାୟଗଡ଼ା ୨୨, ନୟାଗଡ଼-ଝାରସୁଗୁଡ଼ା ୨୦ ଲେଖାଏ ଓ ଷ୍ଟେଟ୍‌ ପୁଲରୁ ୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୦ହଜାର ୭୮୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୧୬ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ସଂପର୍କରେ ଘୋଷଣା ହୋଇଛି। ଯାହାଫଳରେ ସମୁଦାୟ କରୋନା ମୃତ୍ୟୁ ସଠଖ୍ୟା ୮୯୬୧କୁ ବୃଦ୍ଧି ପାଇଛି। ଆଜି ୧୪୬୫ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୧୯୯କୁ ଖସି ଆସିଛି। ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୬୪ହଜାର ୫୭୧କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର