ଜଳେଶ୍ୱର: କୃଷିକ୍ଷେତ୍ରରେ ସମଗ୍ର ରାଜ୍ୟରେ ଆଗୁଆ ଉତ୍ତର ବାଲେଶ୍ୱର ଅଞ୍ଚଳରେ କୌଣସି କୃଷିଭିତ୍ତିକ ଶିଳ୍ପ ନ ଥିବାରୁ ଅଞ୍ଚଳର ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାର ସିଧାସଳଖ ଫାଇଦା ନେଉଛି ପଡ଼ୋଶୀ ପଶ୍ଚିମବଙ୍ଗ। ଭୌଗୋଳିକ ଦୃଷ୍ଟିକୋଣରୁ ବାଲେଶ୍ୱର ଜିଲ୍ଲାର ଉତ୍ତରରେ ଥିବା ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ବ୍ଲକ୍ ଓ ଜଳେଶ୍ୱର ପୌରାଞ୍ଚଳର ବ୍ୟାପକ ଅଞ୍ଚଳ ସମୁଦ୍ର ଓ ନଦୀ ତଟବର୍ତ୍ତୀ ହୋଇଥିବାରୁ ଏହାକୁ ଧାନ, ପାନ ଓ ମୀନର ଅଞ୍ଚଳ ବୋଲି କୁହାଯାଏ।
ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଉତ୍ତର ବାଲେଶ୍ୱରର ୪ଟି ବ୍ଲକ୍ ଓ ଗୋଟିଏ ପୌରାଞ୍ଚଳରେ ୧.୧୫ ଲକ୍ଷରୁ ଊର୍ଦ୍ଧ୍ବ ପରିବାର କୃଷି ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି। ଏହି ପରିବାର ନିକଟରେ ପାଖାପାଖି ୯୧.୫୦୦ ହଜାର ହେକ୍ଟର ଚାଷ ଜମି ରହିଛି। ଖରିଫ୍ ଋତୁରେ ଧାନଚାଷ, ରବି ଋତୁରେ ଡାଳୁଅ ଧାନ, ଡାଲି ଜାତୀୟ, ତୈଳବୀଜ, ମସଲା ଜାତୀୟ, ପନିପରିବା ତଥା ଉଦ୍ୟାନ କୃଷି ବ୍ୟାପକ ଭାବେ ହୋଇଥାଏ। ଏହାବ୍ୟତୀତ ସାମୁଦ୍ରିକ ମାଛ ଓ ମଧୁର ଜଳ ମାଛ ଉତ୍ପାଦନରେ ମଧ୍ୟ ଏ ଅଞ୍ଚଳର ସ୍ବତନ୍ତ୍ର ନାମ ରହିଛି। ଏଠାରୁ ଉତ୍ପାଦିତ ଫସଲରୁ ୨୦ ପ୍ରତିଶତ ଚାଷୀ ପରିବାର ଦୈନନ୍ଦିନ ଚାହିଦା ମେଣ୍ଟାଇବା ପରେ ବଳକା ୮୦ ପ୍ରତିଶତକୁ ବଜାରରେ ବିକ୍ରି କରିଥାନ୍ତି। ବିଶେଷ କରି ଏଠାରୁ ଧାନ, ମୁଗ, ବିରି, ଚିନାବାଦାମ, କାଜୁ, ଗୁଆ, ଆମ୍ବ, ପଣସ, ନଡ଼ିଆ, ପିଜୁଳି, କଦଳୀ, ଅମୃତଭଣ୍ଡା, ସମସ୍ତ ପନିପରିବା ତଥା ମଧୁର ଜଳ ମାଛ ପ୍ରଚୁର ପରିମାଣରେ ଉତ୍ପାଦିତ ହେଉଥିଲେ ମଧ୍ୟ ଏଠାରେ କୌଣସି କୃଷିଭିତ୍ତିକ ଶିଳ୍ପ ଅଥବା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ନଥିବାରୁ ଚାଷୀମାନେ ବଳକା ଖାଦ୍ୟଶସ୍ୟକୁ ପଶ୍ଚିମବଙ୍ଗ ବେପାରୀଙ୍କୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ବଜାର ସୁବିଧା ନଥିବାରୁ ଚାଷୀ ସବୁବେଳେ ବଙ୍ଗ ଦଲାଲଙ୍କ ଦ୍ବାରା ଶୋଷିତ ହେଉଛନ୍ତି। ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଓ ପଶ୍ଚିମ ମେଦିନୀପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସେଠାକାର ବ୍ୟବସାୟୀଙ୍କ ଦ୍ବାରା ହଜାର ହଜାର କୃଷି ଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ଶୀତଳଭଣ୍ଡାର ତଥା ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଗଢ଼ିଉଠିଛି। ଏଥିପାଇଁ ପଶ୍ଚିମବଙ୍ଗ ଅଧିବାସୀ ମାଲାମାଲ୍ ହେଉଥିବା ବେଳେ ଉତ୍ତର ବାଲେଶ୍ୱର ଅଞ୍ଚଳର ହଜାର ହଜାର ଚାଷୀ ସେମାନଙ୍କ ଫସଲର ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳର ଚାଷୀ ଚାଷରୁ ମୁହଁ ଫେରାଉଛନ୍ତି। କୃଷିଭିତ୍ତିକ ଶିଳ୍ପ ତଥା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ହେଲେ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ଅଞ୍ଚଳର ଅର୍ଥନୈତିକ ବିକାଶରେ ବିଶେଷ ସହାୟକ ହୁଅନ୍ତା ବୋଲି ଚାଷୀମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/12/rAREEpcujepBjJpJzGLt.jpg)