କେନ୍ଦୁଝର : କେନ୍ଦୁଝର ଜିଲ୍ଲାରୁ ଆଦାୟ ହେଉଥିବା ଖଣି ରାଜସ୍ବ ଉପରେ ରାଜ୍ୟ ରାଜକୋଷ ନିର୍ଭରଶୀଳ। କିଛିମାସ ହେବ ଲୁହାପଥର ବିକ୍ରି ନେଇ ଯେଭଳି ଅଚଳାବସ୍ଥା ଲାଗି ରହିଛି ଏହାଦ୍ବାରା କେନ୍ଦୁଝର ଜିଲ୍ଲାରୁ ରାଜସ୍ବ ଆଦାୟ କମିବ। ଯାହା ରାଜ୍ୟ ରାଜକୋଷକୁ ପ୍ରଭାବିତ କରିବ। ମାସମାସ ଧରି ବାରମ୍ବାର ଓଏମ୍ସି ପକ୍ଷରୁ ଲୁହାପଥର ବିକ୍ରି ପାଇଁ ନିଲାମ ଡକା ଯାଉଥିବା ବେଳେ ଏଥିରୁ ନାମକୁ ମାତ୍ର କିଛି ବିକ୍ରି ହେଉଛି। ଯାହା ଅତ୍ୟନ୍ତ ଚିନ୍ତାଜନକ ବୋଲି କୁହାଯାଉଛି।
ଓଡ଼ିଶା ଖଣି ନିଗମ (ଓଏମ୍ସି)ର କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଧନ, ଦୈତାରୀ, ଗୁଆଲି, ଜିଲିଂ ସମେତ ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଏବଂ ମୟୂରଭଞ୍ଜ ଜିଲ୍ଲାର ତିରିଂ ପାହାଡ଼ରେ ଲୁହାପଥର ଖଣି ରହିଛି। ମେ ମାସ ପରଠାରୁ ଏହିସବୁ ଖଣିର ଲୁହାପଥର ବିକ୍ରି ପାଇଁ ନିଲାମ ଡକା ଯାଉଥିଲେ ବି କିଣିବା ପାଇଁ କ୍ରେତା ଆଗ୍ରହ ଦେଖାଉ ନାହାନ୍ତି। କେବଳ ଏହି ସରକାରୀ ସଂସ୍ଥା ନୁହେଁ ବେସରକାରୀ ଖଣି କମ୍ପାନି ଗୁଡ଼ିକର ଅବସ୍ଥା ମଧ୍ୟ ସମାନ। ଜୁନ୍ ୨୩ରେ ଓଏମ୍ସି ପକ୍ଷରୁ ଲୁହାପଥର ବିକ୍ରି ପାଇଁ ନିଲାମ ଡକାଯାଇଥିଲା। ୧.୨୨ ମିଲିୟନ୍ ଟନ୍ ଲୁହାପଥର ଏବଂ ଫାଇନ୍ସ ନିଲାମ ପାଇଁ ଆହ୍ବାନ କରାଯାଇଥିଲା। ଏଥିରୁ ମାତ୍ର ୭୭,୦୦୦ ଟନ୍ ଲୁହାପଥର ବିକ୍ରି ହୋଇଥିଲା। ଯାହା ମୋଟ ପରିମାଣର ମାତ୍ର ୬ ପ୍ରତିଶତ ଥିଲା।
ସେହିପରି ଜୁଲାଇ ୧୮ରେ ୧.୧୪ ମିଲିୟନ୍ ଟନ୍ ଲୁହାପଥର ଏବଂ ୧.୬୨ ଟନ୍ ଫାଇନ୍ସ ବିକ୍ରି ପାଇଁ ନିଲାମ ଡକାଯାଇଥିଲା। ମାନ୍ଦାବସ୍ଥା ଦେଖି ଓଏମ୍ସି ପକ୍ଷରୁ ଟନ୍ ପିଛା ୧୫୦ ଟଙ୍କା କମ୍ କରାଯାଇଥିଲା। ଏହାସତ୍ତ୍ବେ ମଧ୍ୟ ନିଲାମ ପ୍ରକ୍ରିୟାରେ ଯେଭଳି ସଫଳତା ମିଳିବା କଥା ମିଳି ନଥିଲା। କିଛିଦିନର ଅପେକ୍ଷା ପରେ ଅଗଷ୍ଟ ୧୯ରେ ପୁଣି ଓଏମ୍ସି ନିଲାମ ଡାକିଥିଲା। ଏହି ନିଲାମ ପ୍ରକ୍ରିୟାରେ ଜିଲ୍ଲାର ଖଣିଗୁଡ଼ିକରୁ ମୋଟ ୯ ଲକ୍ଷ ୫୫ ହଜାର ଟନ୍ ଲୁହାପଥର ବିକ୍ରି ହେବା କଥା। ମାତ୍ର ୫ ଲକ୍ଷ ୪୨ ହଜାର ମେଟ୍ରିକ ଟନ୍ ଲୁହାପଥର ନିଲାମ ହୋଇଥିବା ବେଳେ ଅବଶିଷ୍ଟ ୪ ଲକ୍ଷ ୧୩ ହଜାର ମେଟ୍ରିକ ଟନ୍ ଲୁହାପଥର ବଳକା ରହିଲା।
ବାରମ୍ବାର ନିଲାମ ଡକା ଯାଉଥିଲେ ମଧ୍ୟ ଲୁହାପଥର ବିକ୍ରି ନ ହେବା ଦ୍ବାରା ରାଜ୍ୟ ରାଜକୋଷ ସିଧାସଳଖ ପ୍ରଭାବିତ ହେଉଛି। ଲୁହାପଥର ବିକ୍ରି ହେଲେ ଏହି ବାବଦକୁ ଖଣି କମ୍ପାନିଗୁଡ଼ିକ ସରକାରଙ୍କୁ ରୟାଲଟି ଦେଇଥାନ୍ତି। ମାତ୍ର ବିକ୍ରି ନହେଲେ ରୟାଲଟି ଦେବାର ସୁଯୋଗ ନଥାଏ। ଏହାଦ୍ବାରା ରାଜସ୍ବ ଆଦାୟ କମି ଯାଇଥାଏ। ଏହାଛଡ଼ା ସ୍ପଞ୍ଜ ଆଇରନ୍ ଏବଂ ପିଲେଟ୍ ପ୍ଲାଣ୍ଟ ଗୁଡ଼ିକ ଲୁହାପଥର କିଣୁ ନଥିବାରୁ ସେମାନଙ୍କ ଉତ୍ପାଦନ ପ୍ରଭାବିତ ହେଉଛି। ଏହାଦ୍ବାରା ମଧ୍ୟ ସରକାରଙ୍କ ରାଜସ୍ବ ଆଦାୟ ହ୍ରାସ ପାଉଛି। ଖଣି ଏବଂ ଶିଳ୍ପସଂସ୍ଥା ଉପରେ ନିର୍ଭରଶୀଳ ଲକ୍ଷଲକ୍ଷ ଯୁବଗୋଷ୍ଠୀଙ୍କ ଜୀବନ ଜୀବିକା ଏହାଦ୍ବାରା ପ୍ରଭାବିତ ହେଉଛି। ଲୁହାପଥର ବିକ୍ରି ନ ହେବାର ମୁଖ୍ୟ କାରଣ ହେଉଛି ପିଲେଟ୍ ଉପରେ ରପ୍ତାନି ଶୁଳ୍କ ବୃଦ୍ଧି। ପୂର୍ବରୁ ବିଦେଶକୁ ପିଲେଟ୍ ରପ୍ତାନି ଉପରେ ମାତ୍ର ୫ ଶୁଳ୍କ ଲାଗୁଥିଲା। ଏବେ କେନ୍ଦ୍ର ସରକାର ଏହି ରପ୍ତାନି ଶୁଳ୍କ ୪୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଯେଉଁଥିପାଇଁ କମ୍ପାନି ଗୁଡ଼ିକ ଲୁହାପଥର କିଣୁ ନାହାନ୍ତି କି ପିଲେଟ୍ ଉତ୍ପାଦନ କରୁନାହାନ୍ତି।