ଭୁବନେଶ୍ୱର : ଏଣିକି ବିଶ୍ବବିଦ୍ୟାଳୟ ବୋଝ ହାଲୁକା ହେବ। ନୂତନ ଶିକ୍ଷାନୀତି ଅନୁଯାୟୀ, କୌଣସି ବି ବିଶ୍ବବିଦ୍ୟାଳୟ ଅଧୀନରେ ୩୦୦ରୁ ଅଧିକ ଅନୁବନ୍ଧିତ କଲେଜ ରହିପାରିବେ ନାହିଁ। ପର୍ଯ୍ୟାୟକ୍ରମେ କଲେଜଗୁଡ଼ିକୁ ଅଧିକ ସ୍ବୟଂଶାସିତ କ୍ଷମତା ପ୍ରଦାନ ସହ ଅଧିକରୁ ଅଧିକ ନୂତନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯିବ।

Advertisment

କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଏକ ଭର୍ଚୁଆଲ ସେସନ୍‌ରେ ଯୋଗଦେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ର‌ମେଶ ପୋଖରିଆଲ ‘ନିଶଙ୍କ’ କହିଛନ୍ତି ଯେ ଏକ ବିଶ୍ବବିଦ୍ୟାଳୟକୁ ଗସ୍ତ କରିବା ସମୟରେ ବିଚିତ୍ର ଦୃଶ୍ୟ ଦେଖିବାକୁ ପାଇଥିଲେ। ବିଶ୍ବବିଦ୍ୟାଳୟ ଅଧୀନରେ କେତେ କଲେଜ ରହିଛି, ସମ୍ପୃକ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ପଚାରିଥିଲେ। ଉତ୍ତର ମିଳିଥିଲା ୮୦୦। ଗୋଟିଏ ବିଶ୍ବବିଦ୍ୟାଳୟ ଅଧୀନରେ ଏତେ ସଂଖ୍ୟକ କଲେଜ ରହିଥିବା ଶୁଣି କେନ୍ଦ୍ରମନ୍ତ୍ରୀ ବିଶ୍ବାସ କରିପାରି ନଥିଲେ। ଗୋଟିଏ ବିଶ୍ବବିଦ୍ୟାଳୟ ଅଧୀନରେ ଯଦି ଏବେ ସଂଖ୍ୟକ କଲେଜ ରହିଥିବ, ତେବେ ପିଲାଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ମିଳୁଥିବ, ତାହା ସ୍ପଷ୍ଟ ଅନୁମେୟ। ତାହାକୁ ନଜରରେ ରଖି ନୂତନ ଶିକ୍ଷାନୀତି‌ରେ ବ୍ୟାପକ ସଂସ୍କାର ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ଦେଶରେ ୪୫ହଜାରରୁ ଅଧିକ କଲେଜ ରହିଛି, ଯେଉଁଥିରେ ମାତ୍ର ୮ହଜାର କଲେଜକୁ ସ୍ବୟଂଶାସିତ ମାନ୍ୟତା ମିଳିଛି। ଯେଉଁ କଲେଜଗୁଡ଼ିକ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବେ, ସେମାନଙ୍କୁ ପର୍ଯ୍ୟାୟକ୍ରମେ ସ୍ବୟଂଶାସିତ କ୍ଷମତା ଦେବା ଦିଗରେ କାର୍ଯ୍ୟ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।