କୋଭିହ୍‌-୧୯ ପାଇଁ ନୂଆଦିଲ୍ଲୀ ଟ୍ରେନ୍‌କୁ ଯାତ୍ରୀ ନାହାନ୍ତି

ଭୁବନେଶ୍ୱର: କୋଭିହ୍‌-୧୯ ବିଶ୍ୱମହାମାରୀ ପାଇଁ ଲମ୍ବା ଲକ୍‌ଡାଉନ୍‌ ସତ୍ତ୍ୱେ ମେ ୧୧ ତାରିଖରୁ ଦେଶରେ ୧୫ଟି ରାଜ୍ୟ ରାଜଧାନୀ ସହିତ ସ୍ୱତନ୍ତ୍ର ଶୀତତାପନିୟନ୍ତ୍ରିତ ଏକ୍ସପ୍ରେସ୍‌ ରେଳଗାଡ଼ି ପ୍ରଚଳନ ହୋଇଛି। ଭୁବନେଶ୍ୱର-ନୂଆଦିଲ୍ଲୀ (୦୨୮୨୩) ରାଜାଧାନୀ ସ୍ପେସାଲରେ ସବୁଦିନେ ଶହଶହ ବର୍ଥ ଖାଲିପଡୁଥିବା ଦେଖାଯାଉଛି। ଅଥଚ ନୂଆଦିଲ୍ଲୀ-ଭୁବନେଶ୍ୱର (୦୨୮୨୪) ରାଜଧାନୀ ସ୍ପେସାଲରେ ୭ ଦିନ ଆଗରୁ ସମସ୍ତ ବର୍ଥ ପାଇଁ ବୁକିଂ ସରିଯାଇଛି। ଏହି ଗାଡ଼ିରେ ଏସି-୧, ଏସି-୨ ଓ ଏସି-୩ ଟାୟାର ଶ୍ରେଣୀର ବର୍ଥ ସୁବିଧା ଥିବା ବେଳେ କୌଣସି ଶ୍ରେଣୀର ବର୍ଥ ପାଇଁ ଆପଣ ବୁକିଂ କରିପାରିବେ ନାହିଁ। କାରଣ ରେଳବାଇର ସର୍ତ୍ତ ଅନୁଯାୟୀ ଆଇଆର୍‌ସିଟିସି ଅନ୍‌ଲାଇନ୍‌ ବୁକିଂ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ୱେଟ୍‌ ଲିଷ୍ଟେଡ୍‌ ବୁକିଂ ବା ଆର୍‌ଏସି (ରଦ୍ଦ ବଦଳରେ ସଂରକ୍ଷଣ) ବୁକିଂ ପସନ୍ଦ ଉପଲବ୍ଧ ନାହିଁ। ନିୟମ ଅନୁଯାୟୀ କେବଳ ୭ଦିନ ପାଇଁ ଅଗ୍ରିମ ବୁକିଂ କରାଯାଉଛି।

ଏହି କ୍ରମରେ ନୂଆଦିଲ୍ଲୀ-ଭୁବନେଶ୍ୱର ଗାଡ଼ିରେ ମେ ୨୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଟି ଯାକ ଶ୍ରେଣୀରେ କୌଣସି ବର୍ଥ ଖାଲି ନଥିବାରୁ ବୁକିଂ ବନ୍ଦ କରାଯାଇଛି। ଅଥଚ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ଗାଡ଼ିରେ ୨୨ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଦୁଇଟି ଉଚ୍ଚଶ୍ରେଣୀରେ ୱେଟ୍‌ ଲିଷ୍ଟ ଲାଗୁ କରାଯାଇଥିବା ଦେଖାଯାଇଛି। ଏସି-୧ରେ WL2 ରୁ WL8 ମଧ୍ୟରେ ରହିଛି ଏବଂ ଏସି-୨ରେ ଦୁଇ ଦିନ ପାଇଁ WL3 ଥିବା ବେଳେ ଅନ୍ୟ ୪ ଦିନ ବର୍ଥ ଖାଲି ରହିଛି। ୨୬ ଓ ୨୭ ତାରିଖରେ ଯଥାକ୍ରମେ ୧୨ ଓ ୩୨ ବର୍ଥ ଖାଲି ରହିଛି। ତେବେ ସଂପୃକ୍ତ ଗାଡ଼ିରେ ସର୍ବାଧିକ ସଂଖ୍ୟା ଏସି-୩ ବଗି ରହିଥିବା ବେଳେ ୨୨ ତାରିଖରୁ ୨୭ ତାରିଖ ମଧ୍ୟରେ ଖାଲିଥିବା ବର୍ଥ ହେଉଛି, ଯଥାକ୍ରମେ:- ୪୮୭, ୪୪୧, ୫୧୯, ୫୯୩, ୬୩୮ ଓ ୭୩୭। ମେ ୨୦ ତାରିଖ ରାତି ୯ଟା ସୁଦ୍ଧା ଏହି ତଥ୍ୟ ଗ୍ରହଣ କରାଯାଇଥିବା ବେଳେ ଦେଶରେ ଚାଲୁଥିବା ଅନ୍ୟ ୧୪ ଯୋଡ଼ା ଏକ୍ସପ୍ରେସ୍‌ରେ ଏଭଳି ପରିସ୍ଥିତି ଦେଖାଯାଇନାହିଁ। ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଓଡ଼ିଶାର ଲୋକମାନେ ଲକ୍ଷାଧିକ ସଂଖ୍ୟାରେ ନୂଆଦିଲ୍ଲୀରେ ରହୁଥିବା ବେଳେ ନୂଆଦିଲ୍ଲୀର ନଗଣ୍ୟ ସଂଖ୍ୟକ ଲୋକ ଓଡ଼ିଶାରେ ଅଛନ୍ତି।

ସମ୍ବନ୍ଧିତ ଖବର