ଭୁବନେଶ୍ବର : ପୌର ନିର୍ବାଚନ ପ୍ରଚାରରେ କୌଣସି ପ୍ରକାର କୋଭିଡ କଟକଣା ନାହିଁ। ପ୍ରାର୍ଥୀମାନେ ପୂର୍ବରୁ ଯେମିତି ପ୍ରଚାର କରୁଥିଲେ ସେଭଳି ପ୍ରଚାର କରିପାରିବେ। ରାଜ୍ୟରେ କରୋନା ସଂକ୍ରମଣ ଗତ କିଛିଦିନ ହେବ ହ୍ରାସ ପାଉଥିବାରୁ ରାଜ୍ୟ ନିର୍ବାଚନ କମିସନ ଏହି ନିଷ୍ପତ୍ତି ନେଇଛନ୍ତି।
ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ଦୈନିକ କରୋନା ସଂକ୍ରମଣ ୨ଶହ ତଳକୁ ଖସି ଆସଥିବା ବେଳେ ସଂକ୍ରମଣ ହାର ୦.୨୫/୦.୩୦ ଭିତରେ ରହୁଛି। ତେଣୁ ପୌର ନିର୍ବାଚନ ପ୍ରଚାର ଓ ଭୋଟିଂରେ କୌଣସି କଟକଣା ରହିବ ନାହିଁ। ତେବେ ଆଗକୁ ଯଦି ସଂକ୍ରମଣ ବୃଦ୍ଧି ପାଏ ତାହାଲେ କଟକଣା ନେଇ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।
ସୋମବାର ଦିନ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ଆସନ୍ତା ୯ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ନିର୍ବାଚନ ଇଭିଏମ୍ରେ ହେଉଥିବାରୁ ୩ଟି ଷ୍ଟ୍ରଙ୍ଗରୁମ୍ର ବ୍ୟବସ୍ଥା କରାଯାଇଛି। ଗୋଟିଏ ଷ୍ଟ୍ରଙ୍ଗ ରୁମ୍ରେ କର୍ପୋରେଟରଙ୍କ ପାଇଁ ଭୋଟଗ୍ରହଣ ହୋଇଥିବା ଇଭିଏମ୍ ରଖାଯିବ। ଅନ୍ୟ ଷ୍ଟ୍ରଙ୍ଗ ରୁମ୍ରେ ମେୟର/ଅଧ୍ୟକ୍ଷ ଓ ଶେଷ ଷ୍ଟ୍ରଙ୍ଗରୁମ୍ରେ ରିଜର୍ଭ ଇଭିଏମ୍ ରଖାଯିବ। ଇଭିଏମ୍ର ସୁରକ୍ଷା ପାଇଁ ଡବଲ ଲକ୍ ବ୍ୟବସ୍ଥା ରହିବ। ଦୁଇ ଭିନ୍ନ ଅଧିକାରୀଙ୍କ ପାଖରେ ଗୋଟିଏ ଲେଖାଏ ଚାବି ରହିବ। ଡିଜିଟାଲ ଭିଡିଓ ରେକର୍ଡ ଥିବା ସିସିଟିଭି ଓ ୨୪ଘଣ୍ଟିଆ ପୁଲିସ ବ୍ୟବସ୍ଥା କରାଯାଇଛି। ପଞ୍ଚାୟତ ନିର୍ବାଚନରେ ଜଣେ ପ୍ରିଜାଇଡିଂ ଅଫିସର ସହ ୩ଜଣ ପୋଲିଂ ଅଧିକାରୀ ଥିବା ବେଳେ ପୌର ନିର୍ବାଚନରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ ୪ଜଣ ପୋଲିଂ ଅଧିକାରୀକୁ ନିୟୋଜିତ କରାଯିବ। ୪୭ଟି ମ୍ୟୁନିସିପାଲଟି, ୫୯ ଏନ୍ଏସି ଓ କଟକ, ଭୁବନେଶ୍ବର ଓ ବ୍ରହ୍ମପୁରକୁ ମିଶାଇ ୩ ମହାନଗରରେ ଏଥର ନିର୍ବାଚନ ହେଉଛି। ୪୧ଲକ୍ଷରୁ ଅଧିକ ଭୋଟର ପୌର ନିର୍ବାଚନରେ ଭୋଟ ଦେବେ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/aditya-prasad-padhi-1.jpg)