୯ଦିନ ପରେ ପୁଣିଥରେ ୨ଲକ୍ଷରୁ ଅଧିକ ଟିକାକରଣ, ଆଜି ୪ ଜିଲ୍ଲାରେ ହେବନି ଟିକାକରଣ

ଭୁବନେଶ୍ବର : ୯ଦିନର ବ୍ୟବଧାନ ପରେ ପୁଣିଥରେ ରାଜ୍ୟରେ ଗୋଟିଏ ଦିନରେ ୨ଲକ୍ଷରୁ ଅଧିକ ଟିକାକରଣ ହୋଇଛି। ଆଜି ରାଜ୍ୟରେ ୨ଲକ୍ଷ ୨ହଜାର ୪୮୨ଜଣଙ୍କୁ କରୋନା ଟିକା ଦିଆଯାଇଛି। ତେବେ ଆଜି ଢେଙ୍କାନାଳ, କେନ୍ଦ୍ରାପଡ଼ା, କୋରାପୁଟ ଓ ସୋନପୁର ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ୧୦୯୪ ଟିକାକରଣ ଅଧିବେଶନରେ ଟିକା ଦିଆଯାଇଛି। ଏଥିରେ ୧୮-୪୪ବର୍ଷର ୭୭,୨୦୫ଜଣ ପ୍ରଥମ ଓ ୧୦,୩୯୯ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ସେହିପରି ୪୫ବର୍ଷରୁ ଅଧିକ ୨୩,୧୯୧ଜଣ ପ୍ରଥମ ଓ ୯୦,୦୦୩ଜଣଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇଥିଲା। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୩୮ଲକ୍ଷ ୯ହଜାର ୭୫୬‌ଡୋଜ୍ ଟିକା ଦିଆଗଲାଣି। ଓଡ଼ିଶା ପାଇଁ ଚଳିତମାସର ବଳକା ୧୫ଦିନ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୫.୯୨ଲକ୍ଷ ଡୋଜ୍ କୋଭିସିଲ୍‌ଡ ଓ ୩ଲକ୍ଷରୁ ଅଧିକ ଡୋଜ୍‌ କୋଭାକ୍ସିନ୍ ଆବଣ୍ଟିତ ହୋଇଛି। ଆସନ୍ତାକାଲି ୩ଲକ୍ଷ ୩୪ହଜାର ୫୮୦ ଡୋଜ୍ କୋଭିସିଲ୍‌ଡ ଆସିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି।

ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହେବ। ଗର୍ଭବତୀଙ୍କୁ ଟିକା ଦେବା ଲାଗି ୧୫ତାରିଖ ସୁଦ୍ଧା ସ୍ବାସ୍ଥ୍ୟକର୍ମୀ, ଟିକା ପ୍ରଦାନକାରୀଙ୍କ ତାଲିମ କାର୍ଯ୍ୟ ଶେଷ କରିବା ଲାଗି ଜିଲ୍ଲାସ୍ତରରେ ନିର୍ଦେଶ ଦିଆଯାଇଥିଲା। ଏ ଦୃଷ୍ଟିରୁ ଆସନ୍ତାକାଲିଠାରୁ ଗର୍ଭବତୀଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ।

ସମ୍ବନ୍ଧିତ ଖବର