କଣିହାଁ: କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମ୍ ଅଞ୍ଚଳରେ ବିଦ୍ୟୁତ୍ ତାରକୁ ଗଛର ଡାଳ ଢାଙ୍କି ରହିଛି। ଫଳରେ ରେଙ୍ଗାଳି କଲୋନି ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଲାଗି ରହୁଛି। ତାର ଉପରେ ଥିବା ଗଛର ଡାଳକୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ବର୍ଷ ବର୍ଷ ଧରି କଟାଯାଉନାହିଁ। ଏହି ଡାଳରେ ବିଦ୍ୟୁତ ତାର ଘଷିହେବା ଦ୍ବାରା ତାର ଛିଣ୍ଡିପଡୁଛି। ଏହାକୁ ସଜଡ଼ା ଯାଇ ନଥିବା ଦେଖିବାକୁ ମିଳୁଛି। ୧୯୭୩ ମସିହାରେ ରେଙ୍ଗାଳି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସମୟରେ କୋଲନି ସ୍ଥାପନ କରାଯାଇଥିଲା। ସେହି ସମୟରେ କଲୋନି ଅଞ୍ଚଳରେ ବ୍ୟବହାର କରାଯାଇଥିବା ଲୁହାର ବିଦ୍ୟୁତ ଖୁଣ୍ଟ, ସିମେଣ୍ଟ ଖୁଣ୍ଟ, ଆଙ୍ଗଲ୍, ତାର, ଅନ୍ୟ ବିଦ୍ୟୁତ୍ ଯନ୍ତ୍ରପାତି ଆଜି ପର୍ଯ୍ୟନ୍ତ ବଦଳା ଯାଇପାରିଲା ନାହିଁ।
ବିଦ୍ୟୁତ ଟ୍ରାନସଫର୍ମରକୁ ବଦଳା ଯାଉନାହିଁ। କେତେକ ସ୍ଥାନରେ ଲୁହାଖୁଣ୍ଟଗୁଡ଼ିକ ନଷ୍ଟ ହେବାକୁ ବସିଲାଣି। ଲୁହାଖୁଣ୍ଟ ଓ ଆଙ୍ଗଲ୍ରେ ବର୍ଷ ବର୍ଷ ଧରି ରଙ୍ଗ ଲଗାଯାଉନାହିଁ। ଓଏଚପିସି କୋଲନିରେ ଠିକ ସମୟରେ ବିଦ୍ୟୁତ ଲାଇନ୍ ମେଣ୍ଟନାନସ କାମ ଚାଲିଥିବାବେଳେ ପ୍ରକଳ୍ପର ଅନ୍ୟ ଅଞ୍ଚଳରେ ଏସବୁ କାମ କରାଯାଉ ନଥିବା ଅଭିଯୋଗ ହୋଇଛି। ଫଳରେ ମାସ ମାସ ଧରି ଲୋ ଭୋଲଟେଜ ସମସ୍ୟା ଲାଗି ରହିଛି। ଲୋ ଭୋଲଟେଜ ଯୋଗୁଁ ଠିକ୍ ଭାବେ ଫ୍ୟାନ୍ ଘୂରୁନାହିଁ। ଅନ୍ୟାନ୍ୟ ସମସ୍ୟା ମଧ୍ୟ ଲାଗିରହିଛି। ଗତକାଲି ସନ୍ଧ୍ୟାରେ କାଳବୈଶାଖୀ ଝଡ଼ ଯୋଗୁଁ ରେଙ୍ଗାଳି ଅଞ୍ଚଳରେ କେତେକ ବିଦ୍ୟୁତ ଖୁଣ୍ଟ ନଇଁ ଯାଇଛି। ବିଦ୍ୟୁତ ତାର ଉପରେ ଗଛର ଡାଳ ଭାଙ୍ଗି ପଡିବା ଯୋଗୁଁ ଗତ କାଲି ସନ୍ଧ୍ୟାଠାରୁ ଆଜି ଦିନ ସାଢ଼େ ବାରଟା ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/shsshffhhf.jpg)