୫ ବର୍ଷରେ କାହାକୁ ବାଣ୍ଟିଲେ ୮୫ ହଜାର ସରକାରୀ ଘର? ମୟୂରଭଞ୍ଜ ଜିଲ୍ଲାରେ ଏବେ ବି ରହିଛି ୭.୫୨ ଲକ୍ଷ ଝୁମ୍ପୁଡ଼ି

ବାରିପଦା : ଚାଳ ଓ ଝୁମ୍ପୁଡ଼ି ଘରେ କେହି ରହିବେନି। ସମସ୍ତଙ୍କ ମୁଣ୍ଡ ଉପରେ ରହିବ କଂକ୍ରିଟ୍‌ ଛାତ। ଏମିତି ଲକ୍ଷ୍ୟ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଆବାସ ଯୋଜନାରେ ରାଜକୋଷରୁ ହଜାର ହଜାର କୋଟି ଟଙ୍କା ସାରୁଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଘର ଯୋଗାଇ ଦିଆଯାଉଥିବା କହୁଛି ପ୍ରଶାସନ। ହେଲେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଏହି ଯୋଜନା କେତେ ଫଳପ୍ରଦ ତାହା ଗତ ଲଗାଣ ବର୍ଷା ଓ ବନ୍ୟା ସମୟରେ ସମସ୍ତେ ଦେଖିଲେ। ମାଟିଘର କାନ୍ଥ ଭୁଶୁଡ଼ି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୫ ଜଣ ଶିଶୁ ଓ ଜଣେ ମହିଳାଙ୍କର ମୃତ୍ୟୁ ଘଟିବାବେଳେ ୧ ହଜାରରୁ ଅଧିକ ମାଟିଘର ଭୁଶୁଡ଼ିଲା। ଏଥିରୁ ସରକାରୀ ଯୋଜନା କେମିତି ବାଟବଣା ହେଉଛି, ତାହା ଜଳଜଳ ଦେଖାଯାଉଛି।

୨୦୧୪ ମସିହାରୁ ୨୦୧୮ ମସିହା ମଧ୍ୟରେ ଜିଲ୍ଲାରେ ସରକାରୀ ଯୋଜନାରେ ମୋଟ୍‌ ୮୫ ହଜାର ପକ୍କାଘର ବଣ୍ଟା ଯାଇଥିଲା। ଏହି ଘର ବଣ୍ଟାଯିବା ଆଗରୁ ସରକାରୀ ସର୍ଭେ ଅନୁଯାୟୀ ଜିଲ୍ଲାରେ ମୋଟ୍ ୭ ଲକ୍ଷ ୮୨ ହଜାର ଚାଳଛପର ଓ ଝୁମ୍ପୁଡ଼ି ଘର ରହିଥିଲା। ତେଣୁ ୮୫ ହଜାର ଘର ବଣ୍ଟାଯିବା ପରେ ୬ ଲକ୍ଷ ୯୭ ହଜାର ଚାଳଘର ରହିବା କଥା। ତେବେ ୨୦୧୮ ପରେ ବି ଜିଲ୍ଲାରେ ୭ ଲକ୍ଷ ୫୨ ହଜାର ଚାଳଛପର ଓ ଝୁମ୍ପୁଡି ଘର ରହିଥିବା ରେକର୍ଡ କହୁଛି। ଅର୍ଥାତ ୩୦ ହଜାର ଘର ବଣ୍ଟନରେ କେଳେଙ୍କାରୀ ହୋଇଛି। ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇ ନେତା, ମନ୍ତ୍ରୀଙ୍କ ସୁପାରିଶରେ ଥିଲାବାଲାଙ୍କୁ ଘର ମିଳିଛି। ଆଜିର ତାରିଖରେ ଜିଲ୍ଲାରେ ୨ ଲକ୍ଷ ୩୨ ହଜାର ହିତାଧିକାରୀ ଘର ଖଣ୍ଡେ ପାଇଁ ଆବେଦନ କରି ଝାଟିମାଟି ଘରେ ବିପଦ୍‌ଜନକ ଭାବେ ରହୁଛନ୍ତି। ବେତନଟୀ ବ୍ଲକ‌୍‌ରେ ସର୍ବାଧିକ ୧୦ ହଜାରରୁ ଅଧିକ ହିତାଧିକାରୀ ଘର ପାଇଁ ଆବେଦନ କରିଥିବାବେଳେ କରଞ୍ଜିଆ, କପ୍ତିପଦାରେ ୯ ହଜାର, ଯଶିପୁର, ମୋରଡ଼ାରେ ୮ ହଜାର, ରାଇରଙ୍ଗପୁର, କୁସୁମୀ, କୁଳିଅଣା, ରରୁଆଁରେ ୭ ହଜାର, ବାରିପଦା ଓ ଶ୍ୟାମାଖୁଣ୍ଟା ବ୍ଲକ୍‌ରେ ୫ ହଜାରରୁ ଅଧିକ ଆବେଦନକାରୀ ସରକାରୀ ଘର ଅପେକ୍ଷାରେ ଅଛନ୍ତି। ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ଯୋଜନା, କୌଣସିଥିରେ ସାମିଲ କରାଯାଉନି।

ପକ୍କାଘର ପାଇଁ ପଡ଼ିରହିଛି ୨.୩୨ ଲକ୍ଷ ଦରଖାସ୍ତ ଆବେଦନ
ଗତ ଲଗାଣ ବର୍ଷାରେ ମାଟିକାନ୍ଥ ଭୁଶୁଡ଼ି ଚାଲିଗଲା ୬ ଜୀବନ

ମୋରଡ଼ା ବ୍ଲକ୍‌ର ଭୁତାଳ ବିନ୍ଧାଣୀ ଓ ଜୟହରି ମହାନ୍ତଙ୍କୁ ଉଦାହରଣ ଭାବେ ନିଆଯାଇପାରେ। ଗତ ଲଘୁଚାପ ବର୍ଷାରେ ଉଭୟଙ୍କ ଝୁମ୍ପୁଡି ଘର ଭୁଶୁଡ଼ି ପଡ଼ିଛି। ୩ ବର୍ଷ ହେଲା ସେମାନେ ଘର ପାଇଁ ବାରମ୍ବାର ଆବେଦନ କରି ନିରାଶ ହୋଇଛନ୍ତି। ଫଳରେ ବର୍ଷା ଓ ବନ୍ୟା ବିତ୍ପାତ ‌ସମୟରେ ଗରିବ ଲୋକମାନେ ସର୍ବାଧିକ ପ୍ରଭାବିତ ହେଉଛନ୍ତି। ସରକାରୀ ଯୋଜନାରେ ପକ୍କାଘର ମିଳିଥିଲେ ଗତ ଲଗାଣ ବର୍ଷାରେ ୬ ଜଣଙ୍କର ଜୀବନ ଯାଇନଥାନ୍ତା। ତେଣୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଉ ବୋଲି ନିକଟରେ ଏସ୍‌ପିଙ୍କୁ ଭେଟି ବିଜେପିର ନେତୃବୃନ୍ଦ ଦାବି କରିଛନ୍ତି। ସରକାର ଯଦି ହଜାର ହଜାର ଘର ବାଣ୍ଟିଛନ୍ତି ତେବେ ଝାଟିମାଟି ଘର କମିବା ପରିବର୍ତ୍ତେ ବଢ଼ୁଛି କେମିତି ବୋଲି ପ୍ରଶ୍ନ ଉଠାଇଛି ବିଜେପି।

ମାଟିଘରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ୁଥିବା ବେଳେ ବିଭିନ୍ନ ଆଳ ଦେଖାଇ ପ୍ରଶାସନ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଉନାହିଁ। ବ୍ଲକ୍‌ ପ୍ରଶାସନ ପାଖକୁ ଗଦାଗଦା ଆବେଦନ ଆସୁଥିଲେ ମଧ୍ୟ ସମସ୍ତେ ନିଦାବିଷ୍ଣୁ ସାଜିଛନ୍ତି। ତେବେ ଗତ ୨ ମାସ ହେଲା ଜିଲ୍ଲା ପ୍ରକଳ୍ପ ଉନ୍ନୟନ ନିର୍ଦ୍ଦେଶକ ପଦବି ଖାଲି ପଡ଼ିଥିବାରୁ କାର୍ଯ୍ୟାଦେଶ ଅନୁମୋଦନ ହୋଇପାରୁନି ବୋଲି ଜଣେ ବିଡିଓ ନିଜ ନାମ ଗୋପନ ରଖି କହିଛନ୍ତି। ସେହିପରି ଯୋଗ୍ୟଙ୍କୁ ବାଦ୍ ଦେଇ ଅଯୋଗ୍ୟଙ୍କୁ ତାଲିକାରେ ସାମିଲ କରିବାକୁ ସବୁବେଳେ ରାଜନୈତିକ ଚାପ ପଡ଼ୁଥିବାରୁ ଆବାସ ଯୋଜନା ବାଟବଣା ହେଉଛି ବୋଲି ଆଉ ଜଣେ ବିଡିଓ କହିଛନ୍ତି। ଏମିତି ସ୍ଥିତି ଲାଗି ରହିଲେ ଆଗାମୀ ୫୦ ବର୍ଷ ପରେ ବି ଜିଲ୍ଲାରୁ ଝାଟିମାଟି ଘର ହଟି ପାରିବନି ବୋଲି କହିଛନ୍ତି ବୁଦ୍ଧିଜୀବୀ।

ସମ୍ବନ୍ଧିତ ଖବର