ଭୁବନେଶ୍ବର: ରାଜ୍ୟରେ ଚଳିତ ଥର ଭଲ ବର୍ଷିଛି। ଆସନ୍ତା ୩ ମାସ ମଧ୍ୟ ସ୍ବାଭାବିକଠାରୁ ଅଧିକ ବର୍ଷାର ସମ୍ଭାବନା ରହିଛି। ଜୁନ୍‌ ୧ରୁ ଜୁଲାଇ ୪ ତାରିଖ ମଧ୍ୟରେ ରାଜ୍ୟରେ ୨୯% ଅଧିକ ବର୍ଷିଲାଣି। ସ୍ବାଭାବିକ ଭାବେ ଏହି ଅବଧି ମଧ୍ୟରେ ରାଜ୍ୟରେ ୨୪୭.୪ ମିମି ବର୍ଷା ହେବା କଥା। କିନ୍ତୁ ଏହି ସମୟ ମଧ୍ୟରେ ରାଜ୍ୟରେ ୩୧୮.୭ ମିମି ବର୍ଷା ହୋଇଯାଇଛି। ସୁନ୍ଦରଗଡ଼, ଦେବଗଡ଼, ସୋନପୁର ଓ କୋରାପୁଟରେ ସ୍ବାଭାବିକ ଠାରୁ ୬୦%ରୁ ଅଧିକ ବର୍ଷିଯାଇଥିବା ବେଳେ ପୁରୀ, ଗଜପତି ଓ ନୂଆପଡ଼ାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।

Advertisment

ରାଜ୍ୟରେ ଆସନ୍ତା ୨ ଦିନ ବ‌ର୍ଷାର ସମ୍ଭାବନା ରହିଥିବା ବେଳେ ୭ ଓ ୮ ତାରିଖ ପାଗ ଶୁଖିଲା ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୩୦ରୁ ୪୦ କିମି ବେଗରେ ଝଟ୍‌କା ପବନ ବହିବା ସହ ବଜ୍ରପାତ ଓ ବର୍ଷା ସମ୍ଭାବନା ରହିଛି। ଏଥିସହ ଉପକୂଳ ଓଡ଼ିଶାରେ ମଧ୍ୟ ଭଲ ବର୍ଷା ସମ୍ଭାବନାକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୬ ତାରିଖ ଦିନ ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।