ଶ୍ରୀମନ୍ଦିର ପରିଚାଳନା କମିଟିକୁ ନେଇ ସରଗରମ ଚର୍ଚ୍ଚା, ସେବାୟତଙ୍କ ଦାବି, ନୂଆ ମୁହଁ ଆସୁ

ପୁରୀ: ଶ୍ରୀମନ୍ଦିର ପରିଚାଳନାରେ ଗୁରୁ ଦାୟିତ୍ବ ବହନ କରୁଥିବା‌ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ୫ ମାସ ତଳୁ ଶେଷ ହୋଇଥିବାବେଳେ ନୂଆ କମିଟିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କିଏ ନୂଆ କମିଟିରେ ରହିବ, କିଏ କଟିବ ତାକୁ ନେଇ ଅଙ୍କକଷା ଚାଲିଛି। ଅନ୍ୟପକ୍ଷରେ ସରକାର ଇତିମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ନେଇ ଏକ ନୂଆ ତାଲିକା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଯେଉଁ ମନୋନୟନ ତାଲିକାରେ ଅଧା ନୂଆ ଓ ଅଧା ପୁରୁଣା ମୁହଁ ରହିଥିବା ଚର୍ଚ୍ଚା ହେଉଛି। କିନ୍ତୁ ସେବାୟତ ମହଲ ନୂଆ ମୁହଁ ସପକ୍ଷ‌ରେ ଯୁକ୍ତି ବାଢ଼ିଛନ୍ତି।

ଶେଷ ଥର ୨୦୧୮ ମାର୍ଚ୍ଚ ୧୫ରେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇଥିଲା। ୨୦୨୧ ମାର୍ଚ୍ଚ ୧୫ରୁ ଏହି କମିଟିର କାର୍ଯ୍ୟକାଳ ‌ଶେଷ ହୋଇସାରିଛି। ଯେହେତୁ ୫ ମାସ ଗଡ଼ି ଯାଇଛି, ସେଥିପାଇଁ ରାଜ୍ୟ ସରକାର ନୂଆ କମିଟି ଗଠନ ପାଇଁ ତତ୍ପରତା ଦେଖାଇଛନ୍ତି। ଖୁବଶୀଘ୍ର ଏହି ମନୋନୟନ ତାଲିକା ପ୍ରକାଶ ପାଇବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ପୁରୁଣା କମିଟିରେ ଥିବା ପୂଜାପଣ୍ଡା ନିଯୋଗରୁ ମାଧବଚନ୍ଦ୍ର ପୂଜାପଣ୍ଡା ଓ ପ୍ରତିହାରୀ ନିଯୋଗରୁ ମାଧବ ମହାପାତ୍ର ନୂଆ କମିଟିରେ ପୁନର୍ବାର ସ୍ଥାନ ପାଇବାକୁ ଯାଉଛନ୍ତି। କିନ୍ତୁ ଦଇତାପତି ନିଯୋଗ, ପୁଷ୍ପାଳକ ନିଯୋଗ, ସୁଆର ମହାସୁଆର ନିଯୋଗ ପ୍ରତିନିଧିତ୍ବ ପରିବର୍ତ୍ତନ ପାଇଁ ଯୋଜନା କରୁଛନ୍ତି ସରକାର। ପୁଷ୍ପାଳକ ନିଯୋଗରୁ ଜଗନ୍ନାଥ କର(ମଣ୍ଟୁ) ଓ ହରେକୃଷ୍ଣ ସିଂଘାରୀଙ୍କ ନାଁ ଚର୍ଚ୍ଚାରେ ରହିଛି। ସୁଆର ମହାସୁଆର ନିଯୋଗରୁ ପୂର୍ବତନ ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି ଓ ନାରାୟଣ ମହାସୁଆରଙ୍କ ନାଁ ଚର୍ଚ୍ଚାରେ ରହିଛି। ଦଇତାପତି ନିଯୋଗରୁ ସଂପାଦକ ଦୁର୍ଗା ଦାସମହାପାତ୍ର, ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ଓ ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ରଙ୍କ ନାଁ ଚର୍ଚ୍ଚାରେ ରହିଛି। ଶ୍ରୀମନ୍ଦିରର ସବୁଠାରୁ ବଡ଼ ନିଯୋଗ ଭିତର ସେବାୟତ ନିଯୋଗ ଇତିମଧ୍ୟରେ ବିନାୟକ ଦାସମହାପାତ୍ରଙ୍କ ନାଁ ସରକାରଙ୍କୁ ସୁପାରିଶ କରିଛି। ଭିତର ସେବାୟତ ନିଯୋଗ ଗତ ୨୬ ତାରିଖରେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବି ଚିଠି ଲେଖିଛି। ସେପଟେ ମୁକ୍ତିମଣ୍ଡପରୁ ପ୍ରତିନିଧିତ୍ବ କରୁଥିବା ସିଦ୍ଧେଶ୍ବର ମହାପାତ୍ରଙ୍କ ବଦଳରେ ନୂଆ ମୁହଁ ଭାବେ ଆଇନଜୀବୀ ଅଶୋକ ମହାପାତ୍ର ଆସିବା ନେଇ ଚର୍ଚ୍ଚା ଜୋର ଧରିଛି। ମଠ ପ୍ରତିନିଧି ଭାବେ ଝାଞ୍ଜପିଟା ମଠ ମହନ୍ତ ସଚ୍ଚିଦାନନ୍ଦ ଦାସମହାରାଜଙ୍କ ବଦଳରେ ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସମହା‌ରାଜ ଅବା ଉତ୍ତରପାର୍ଶ୍ବ ମଠ ମହନ୍ତ ନାରାୟଣ ରାମାନୁଜ ଦାସମହାରାଜଙ୍କ ନାଁ ଚର୍ଚ୍ଚାରେ ରହିଛି। ଆଗରେ ରହିଛି ଉତ୍ତରପାର୍ଶ୍ବ ମଠ ମହନ୍ତଙ୍କ ନାଁ। ସେପଟେ ଭାଷ୍କର୍ଯ୍ୟ ଶିଳ୍ପୀ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଦଳରେ ଭାଷ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ଓ ସୁଦର୍ଶନ ପଟ୍ଟନାୟକଙ୍କ ନାଁ ଚର୍ଚ୍ଚାରେ ରହିଛି। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁଙ୍କ ବଦଳରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ କେ ସାବତଙ୍କ ନାଁ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର