ପଞ୍ଚାୟତ ସ୍ତରରେ ସ୍ବୟଂଚାଳିତ ବର୍ଷା ମାପକ ଯନ୍ତ୍ର ଲୋଡ଼ା
ସମନ୍ବିତ କୃଷିର ପ୍ରସାର ପାଇଁ ବିଶେଷଜ୍ଞଙ୍କ ପରାମର୍ଶ
ଭୁବନେଶ୍ବର : ୨୫ ବର୍ଷ ମଧ୍ୟରେ ୯ ଥର ମରୁଡ଼ି ହେଲାଣି। ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ ଏଭଳି ସ୍ଥିତି ହୋଇଛି। ଏଥିଯୋଗୁଁ ଫସଲହାନି ହୋଇ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ବର୍ତ୍ତମାନ ଯେଉଁଭଳି ଭାବରେ ବର୍ଷା ତା’ର ଚରିତ୍ର ପରିବର୍ତ୍ତନ କରି ପଞ୍ଚାୟତସ୍ତରରେ ବର୍ଷା ମନଟରିଂ ପ୍ରକ୍ରିୟା ଆରମ୍ଭ କରାଯାଇ ସେହି ଅନୁଯାୟୀ ଯୋଜନା ପ୍ରସ୍ତୁତ କରାଯିବା ଉଚିତ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରୁଛନ୍ତି।
ରାଜ୍ୟ କୃଷି ନିର୍ଦେଶାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ୧୯୯୬, ୧୯୯୮, ୨୦୦୦, ୨୦୦୨, ୨୦୧୦, ୨୦୧୧, ୨୦୧୨, ୨୦୧୫ ମସିହାରେ ରାଜ୍ୟରେ ମରୁଡ଼ି ହୋଇ ଚାଉଳ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ୧୯୯୬ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ରାଜ୍ୟରେ ହାରାହାରି ୧୫୦୨.୫ ମିଲିମିଟର ବର୍ଷାର ଆବଶ୍ୟକତା ରହିଥିଲା। ମାତ୍ର ଏହି ସମୟରେ ଅର୍ଥାତ ୧୯୯୬ ମସିହାରେ ୯୯୦.୧ ମିଲିମିଟର ବର୍ଷା, ୧୯୯୮ ମସିହାରେ ୧୨୭୭.୫ ମିଲିମିଟର ବର୍ଷା ହୋଇ ଉତ୍କଟ ମରୁଡ଼ି ହୋଇଥିଲା। ଉଭୟ ବର୍ଷରେ ୩୮.୨୭ ଲକ୍ଷ ମେଟ୍ରିକ ଟନ୍, ୪୮.୮୫ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ ହୋଇଥିଲା। ଯାହାକି ୧୯୯୭ ମସିହାଠାରୁ ପ୍ରାୟ ୧୦ ଲକ୍ଷ ମେଟ୍ରିକ ଟନ୍ କମ୍। ୨୦୦୦ ମସିହାରେ ୧୦୩୫.୧ ମିଲିମିଟର ବର୍ଷା ରେକର୍ଡ ହୋଇ ୪୧.୭୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ ହୋଇଥିଲା। ଏହି ବର୍ଷରେ ଉଭୟ ମରୁଡ଼ି ଏବଂ ବନ୍ୟା ହୋଇଥିଲା।
୨୦୦୧ରୁ ୨୦୧୫ ମସିହା ମଧ୍ୟରେ ୧୪୫୧.୨ ମିଲିମିଟର ବର୍ଷାର ଆବଶ୍ୟକତା ରହିଥିଲା। ୨୦୦୨ ମସିହାରେ ମାତ୍ର ୧୦୦୭.୮ ମିଲିମିଟର ବର୍ଷା ହୋଇ ଉତ୍କଟ ମରୁଡ଼ି ହୋଇଥିଲା। ଏହି ସମୟରେ ଚାଉଳ ଉତ୍ପାଦନ ଇତିହାସର ସର୍ବନିମ୍ନ ଅର୍ଥାତ ୨୮.୨୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦିତ ହୋଇଥିଲା। ୨୦୧୦, ୨୦୧୧, ୨୦୧୨ ମସିହାରେ ଲଗାତାର ତିନି ବର୍ଷ ମରୁଡ଼ି ହୋଇଥିଲା। ଏହି ସମୟରେ ୧୪୫୧.୨ମିଲିମିଟର ବର୍ଷା ହେବା ବଦଳରେ ୨୦୧୦ ମସିହାରେ ମାତ୍ର ୧୨୯୩ ମିଲିମିଟର, ୨୦୧୧ ମସିହାରେ ୧୩୨୭.୮ ମିଲିମିଟର, ୨୦୧୨ ମସିହାରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ନୂଆପଡ଼ାରେ ୧୩୯୧.୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବାରୁ ମରୁଡ଼ି ସ୍ଥିତି ଉତ୍ପନ୍ନ ହୋଇଥିଲା। ଏହିସବୁ ମରୁଡ଼ି ପ୍ରଭାବିତ ବର୍ଷଗୁଡ଼ିକରେ ଯଥାକ୍ରମେ ୨୦୧୦ ମସିହାରେ ୬୦.୫୧ ମେଟ୍ରିକ ଟନ୍, ୨୦୧୧ ମସିହାରେ ୫୧.୨୭ ମେଟ୍ରିକ ଟନ୍, ୨୦୧୨ ମସିହାରେ ୮୬.୮୧ ମେଟ୍ରିକ ଟନ ଚାଉଳ ଉତ୍ପାଦିତ ହୋଇଥିଲା। ସେହିପରି ୨୦୧୫ ମସିହାରେ ୧୨୨୪.୭ ମିଲିମିଟର ବର୍ଷା ହୋଇ ୨୭ ଜିଲ୍ଲାରେ ମରୁଡ଼ି ହୋଇଥିଲା। ୨୦୧୮ ମସିହାରେ ଆବଶ୍ୟକତା ଅନୁସାରେ ବର୍ଷା ନ ହୋଇ ୯ ଜିଲ୍ଲାରେ ମରୁଡ଼ି ହୋଇଥିଲା।
ଓଡ଼ିଶାରେ ଏଭଳି ମରୁଡ଼ି ସ୍ଥିତି ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ ଅମରେଶ ଖୁଣ୍ଟିଆ। ସେ କହିଛନ୍ତି, ବର୍ଷାରେ ଯେଉଁଭଳି ବିସଙ୍ଗତି ହେଉଛି ଏଭଳି ସ୍ଥିତିରେ ପଞ୍ଚାୟତ ସ୍ତରରେ ସ୍ବୟଂଚାଳିତ ବର୍ଷା ମାପକ ଯନ୍ତ୍ର ସ୍ଥାପନ, ମାଟିର ଆକଳନ, ପଞ୍ଚାୟତ ସ୍ତରରେ ଡାଏନାମିକ କଣ୍ଟିଜେନ ପ୍ଲାନିଂ ହେଲେ ଓଡ଼ିଶାକୁ ଅନାବୃଷ୍ଟିରୁ ରକ୍ଷା ମିଳିବ। ଏଥିସହିତ ଜିଆଇଏସ୍ କୌଶଳ ବ୍ୟବହାର କରାଯିବା ଉଚିତ। ଯେଉଁଥିରେ ମାଟି ଅନୁସାରେ କେଉଁ ପ୍ରକାର ଫସଲ କରାଯିବା ଉଚିତ ଏହାକୁ ନେଇ ଉପଯୁକ୍ତ ଭାବରେ ପରାମର୍ଶ ଦିଆଯାଇ ପାରିବ। ଏଭଳି ସ୍ଥିତିରେ ସମନ୍ବିତ କୃଷିର ବହୁଳ ପ୍ରସାରର ଆବଶ୍ୟକତା ରହିଥିବା ଶ୍ରୀ ଖୁଣ୍ଟିଆ କହିଛନ୍ତି।