ନୀଳାଚଳ ଠିକା କର୍ମଚାରୀଙ୍କୁ ମିଳୁନି ନିଯୁକ୍ତି, ଦାବିପତ୍ର ଦେଲା ମଜଦୁର ସଂଘ

ଦାନଗଦୀ : ନୀଳାଚଳରେ ନିଯୁକ୍ତି ପ୍ରସଙ୍ଗରେ ପ୍ରତିଶ୍ରୁତି ପୂରଣ ହେଉନଥିବାରୁ କଳିଙ୍ଗନଗର ମଜଦୁର ୟୁନିଅନ ଠିକା କର୍ମଚାରୀ ସଂଘର ୨୦୦ ରୁ ଊର୍ଦ୍ଧ୍ବ କର୍ମଚାରୀ ଆଜି ପଦଯାତ୍ରା କରିଛନ୍ତି। ଶୋଭାଯାତ୍ରା କାରଖାନା ସାମ୍‌ନାରେ ପହଞ୍ଚିବା ପରେ କିଛି ପ୍ରତିନିଧି ଯାଇ ଟାଟା କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରଛନ୍ତି।  ଆଗାମୀ ୧୪ଦିନ ମଧ୍ୟରେ ଯଦି ଏହାର କୌଣସି ସ୍ଥାୟୀ ପ୍ରତିକାର ନକରାଯାଏ ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସଂଘର କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ସାହୁ ଚେତାବନୀ ଦେଇଛନ୍ତି।

ସଂଘର କହିବା କଥା ନୀଳାଚଳ କାରଖାନାରେ କାର୍ଯ୍ୟ କରୁଥିବା ୨ ହଜାରରୁ ଊର୍ଦ୍ଧ୍ବ ଠିକା କର୍ମଚାରୀ ୨୦୨୦ ଜୁଲାଇରୁ କାମ ହରାଇ ଘରେ ବସିଛନ୍ତି। ସେମାନଙ୍କ କିଛି ପାଉଣା ବି ବାକି ଅଛି। ନୀଳାଚଳକୁ ଟାଟା ଅଧିଗ୍ରହଣ କରିବା ପରେ କାରଖାନା ଚଳାଇବାକୁ ସମସ୍ତ ପ୍ରସ୍ତୁତି ସାରିଲାଣି। ଅଥଚ ଠିକା କର୍ମଚାରୀଙ୍କ ଦାବି କଥା ଆଦୌ ବିଚାରକୁ ନେଇନାହିଁ। ପୂର୍ବରୁ ଟାଟା କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେବା ପରେ ଗତ ଜୁଲାଇ ୧୪ ରେ ଆନ୍ଦୋଳନ କରାଯାଇଥିଲା। ଶେଷରେ ଟାଟା କର୍ତ୍ତୃପକ୍ଷ ଅଗଷ୍ଟ ୫ ରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ, କଳିଙ୍ଗନଗର ଏଡିଏମ୍‌, ଅତିରିକ୍ତ ଏସ୍‌ପିଙ୍କ ଉପସ୍ଥିତରେ ଶ୍ରମିକ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା। ସେଠାରେ ସବୁ ଦାବି ଟାଟା କର୍ତ୍ତୃପକ୍ଷ ମାନି ନେଇଥିଲେ। ଅଭିଜ୍ଞତା ଭିତ୍ତିରେ ନିଯୁକ୍ତି, କାରଖାନା କାର୍ଯ୍ୟକ୍ଷମ ପରେ ନୂଆ ପଦବି ପୂରଣ ସମୟରେ ଅଗ୍ରାଧିକାର, ବାକିଆ ପାଉଣା/ବୋନସ ଆଦି ପ୍ରଦାନ, ୨୨୦୦ ଠିକା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି ସଂପର୍କରେ ଆଲୋଚନା ହୋଇଥିଲା। ଏହି ଆଲୋଚନାକୁ ୨ମାସ ହେଲାଣି କିନ୍ତୁ ପ୍ରତିଶ୍ରୁତି ପୂରଣ ହେଉନଥିବାରୁ ଠିକା ଶ୍ରମିକମାନେ ଅସନ୍ତୋଷ ଜଣାଇଛନ୍ତି।

ସମ୍ବନ୍ଧିତ ଖବର