ବୁଡ଼ିଯାଇଛି ‘ବସୁଧା’, ମିଳୁନି ପିଇବା ପାଣି

ବାଲିଅନ୍ତା: କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀରେ ଆଉ ବନ୍ୟା ପ୍ରକୋପ ନାହିଁ। କିନ୍ତୁ ନଦୀର ଜଳସ୍ତର କମିଥିଲେ ବି ଗାଁଗଣ୍ଡାରୁ ବନ୍ୟାଜଳ ଛାଡ଼ିନାହିଁ। ଫଳରେ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ଏବେ ବି ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍‌ରେ ଅନେକ ଗାଁ ଜଳାର୍ଣ୍ଣବ ହୋଇରହିଛି। ଗାଁ ଦାଣ୍ଡରେ ଏବେ ପାଣି ସୁଅ ଚାଲିଛି। ତେଣୁ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହୋଇପାରିନାହିଁ। ବିଶେଷକରି ପାନୀୟ ଜଳ ଅଭାବ ଏବେ ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇ ରହିଛି। ବହୁ ସ୍ଥାନରେ ବସୁଧା ପ୍ରକଳ୍ପ ବନ୍ୟା ପାଣିରେ ବୁଡ଼ି ରହିଥିବାରୁ ଅଚଳ ଅବସ୍ଥାରେ ପଡ଼ିରହିଛି। ଫଳରେ ଲୋକେ କୂଅ, ପୋଖରୀର ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଜଳ ଯୋଗାଣ ହେଉନଥିବାରୁ ଦୂଷିତ ଜଳ ବ୍ୟବହାର କରିବା ଛଡ଼ା ଲୋକଙ୍କ ନିକଟରେ ଅନ୍ୟ ବିକଳ୍ପ କିଛି ନାହିଁ।

ଜୟଦେବ ପଞ୍ଚାୟତ ସାହେବନଗର ଗ୍ରାମରେ ଥିବା ବସୁଧା ପ୍ରକଳ୍ପ ଏବେ ବି ପାଣିରେ ବୁଡ଼ି ରହିଛି। ପ୍ରକଳ୍ପ ଚାରିପଟେ ପ୍ରାୟ ୮ ଫୁଟ୍‌ ଉଚ୍ଚରେ ଜଳ ଜମି ରହିଛି। ପମ୍ପ ଚଳାଇବା ଦାୟିତ୍ବରେ ଥିବା କର୍ମଚାରୀ ସେଠାକୁ ପହଁରି ପହଁରି ଯିବା ସମ୍ଭବ ହେଉନାହିଁ। ବନ୍ୟାରେ ଭାସି ଆସିଥିବା ବିଷଧର ସାପମାନଙ୍କ ଯୋଗୁଁ କେହି ବି ପ୍ରକଳ୍ପ ନିକଟକୁ ଯିବାକୁ ସାହାସ କରୁନାହାନ୍ତି। ତେଣୁ ଗତ ୫ ଦିନ ହେଲା ଏହି ପାଇପ୍ ଜଳଯୋଗାଣ ପ୍ରକଳ୍ପ ବନ୍ଦ ରହିଛି। ଫଳରେ ସାହେବନଗରର ୫ ଓ ୬ ନମ୍ବର ୱାର୍ଡର ବାସିନ୍ଦାମାନେ ପିଇବା ପାଣି ପାଇଁ ସମସ୍ୟାରେ ପଡ଼ିଛନ୍ତି। ‌ବାଲିଅନ୍ତା ବ୍ଲକ୍‌ର ଝିଣ୍ଟିଶାସନ ଓ ପୁରୋହିତପୁର ପଞ୍ଚାୟତର ବହୁ ଅଞ୍ଚଳରେ ବି ଅନୁରୂପ ଅବସ୍ଥା। ପାଇପ୍ ଜଳଯୋଗାଣ ବନ୍ଦ ଯୋଗୁଁ କୂଅ ପୋଖରୀ ପାଣି ବ୍ୟବହାର ହେଉଛି। ବନ୍ୟା ଯୋଗୁଁ କୂଅ ପୋଖରୀ ଜଳ ଗୋଳିଆ ହୋଇଥିଲେ ବି ଲୋକେ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି। ତେଣୁ ଆଗକୁ ଜଳବାହିତ ରୋଗ ସଂକ୍ରମଣ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସେସବୁ ଅଞ୍ଚଳରେ ଟ୍ୟାଙ୍କର ଜଳ ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର