ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା, ୧୦୦ ଉଚ୍ଚବିଦ୍ୟାଳୟ ମୁରବିହୀନ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ୪୦୨ଜଣ ନୂଆ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଯାହା ଉଚ୍ଚବିଦ୍ୟାଳୟଗୁଡ଼ିକରେ ଥିବା ଶିକ୍ଷକ ଅଭାବକୁ କିଛିଟା ପୂରଣ କରିବ। ତେବେ ଅନେକ ଉଚ୍ଚବିଦ୍ୟାଳୟରେ ବର୍ଷ ବର୍ଷ ଧରି ପ୍ରଧାନଶିକ୍ଷକ ପଦ ଖାଲି ପଡ଼ିଥିଲେ ସୁଦ୍ଧା ନୂଆ ନିଯୁକ୍ତି ନଥିବାରୁ ଏହାକୁ ନେଇ ବିଭିନ୍ନ ସମସ୍ୟା ଦେଖା‌ଦେଉଛି ଏବଂ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।

ଜିଲ୍ଲାରେ ମୋଟ୍ ୨୯୦ଟି ଉଚ୍ଚବିଦ୍ୟାଳୟ ରହିଛି। ସେଥିମଧ୍ୟରେ ୧୩ଟି ବହୁ ପୁରୁଣା ସରକାରୀ ଉଚ୍ଚବିଦ୍ୟାଳୟ ଅଛି। ଉଚ୍ଚବିଦ୍ୟାଳୟଗୁଡ଼ିକରେ ୬୮୫ଟି ଶିକ୍ଷକ ପଦ ଖାଲିପଡ଼ିଥିଲା। ନିକଟରେ ରାଜ୍ୟ ସରକାର ୪୦୨ ଶିକ୍ଷକ ନିଯୁକ୍ତି ଦେଇଛନ୍ତି। ସେଥିରେ ୭୯ଜଣ ପିସିଏମ୍, ୧୭ ଜଣ ସିବିଜେଡ୍, ୧୫୭ଜଣ କଳା, ୫୩ଜଣ ହିନ୍ଦୀ, ୪୬ ଜଣ ସଂସ୍କୃତ ଓ ୫୦ଜଣ କ୍ରୀଡ଼ା ଶିକ୍ଷକ ରହିଛନ୍ତି। ତେ‌ବେ ଶିକ୍ଷକ ନିଯୁକ୍ତି ପରେ ବି ଜିଲ୍ଲାରେ ଆହୁରି ୨୮୩ ଶିକ୍ଷକ ପଦ ଖାଲି ରହିଛି।

ଖାଲିପଡ଼ିଥିବା ଶିକ୍ଷକ ପୂରଣ ପାଇଁ ସିନା ରାଜ୍ୟ ସରକାର ନୂଆ ଶିକ୍ଷକ ନିଯୁକ୍ତି ଦେଇଦେଲେ, ହେଲେ ପ୍ରଧାନଶିକ୍ଷକ ନିଯୁକ୍ତି କଥା ଭୁଲିଗଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲାରେ ଥିବା ମୋଟ୍ ୨୯୦ ଉଚ୍ଚବିଦ୍ୟାଳୟରୁ ୧୦୦ଟିରେ ପ୍ରଧାନଶିକ୍ଷକ ନାହାନ୍ତି। ଯାହା ଫଳରେ ଏସବୁ ଉଚ୍ଚବିଦ୍ୟାଳୟରେ କାମଚଳା ଭାବେ ବରିଷ୍ଠ ଶିକ୍ଷକମାନେ ପ୍ରଧାନଶିକ୍ଷକ ଦାୟିତ୍ବ ନିର୍ବାହ କରୁଛନ୍ତି। ହେଲେ ଅଧିକାଂଶ ଉଚ୍ଚବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ନିର୍ଦ୍ଦେଶକୁ ସହକାରୀ ଶିକ୍ଷକ ଓ କର୍ମଚାରୀମାନେ ମାନୁ ନାହାନ୍ତି। ଯେଉଁଠି ସହକାରୀ ଶିକ୍ଷକ ଓ କର୍ମଚାରୀ ସ୍ଥାନୀୟ ଅଞ୍ଚଳର, ସେସବୁ ଉଚ୍ଚବିଦ୍ୟାଳୟରେ ଅଧିକ ବିଭ୍ରାଟ ଦେଖାଦେଉଛି ବୋଲି ରାଇରଙ୍ଗପୁର ଅଞ୍ଚଳର ଏକ ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତାଙ୍କ ନାମ ଗୋପନ ରଖି କହିଛନ୍ତି।

ଜିଲ୍ଲାରେ ବହୁ ପୁରୁଣା ସରକାରୀ ଉଚ୍ଚବିଦ୍ୟାଳୟ ୧୩ଟି ରହିଛି। ସେଥିମଧ୍ୟରୁ ବେତନଟୀ ଏମ୍‌ପିସି ଉଚ୍ଚବିଦ୍ୟାଳୟ ଓ ଉଦଳା ଉଚ୍ଚବିଦ୍ୟାଳୟରେ ସ୍ଥାୟୀ ପ୍ରଧାନଶିକ୍ଷକ ଥିବା ବେଳେ ବାରିପଦା ଏମ୍‌କେସି, ବାରିପଦା ଏମ୍‌ପିକେ ଉଚ୍ଚବିଦ୍ୟାଳୟ, ବାରିପଦା କମଳା ନେହରୁ ଉଚ୍ଚବିଦ୍ୟାଳୟ, ଉଦଳା ବାଳିକା ଉଚ୍ଚବିଦ୍ୟାଳୟ, କରଞ୍ଜିଆ ଉଚ୍ଚବିଦ୍ୟାଳୟ, କରଞ୍ଜିଆ ବାଳିକା ଉଚ୍ଚବିଦ୍ୟାଳୟ, ଶୁକ୍ରୁଳି ଉଚ୍ଚବିଦ୍ୟାଳୟ, ଯଶିପୁର ଉଚ୍ଚବିଦ୍ୟାଳୟ, ରାସଗୋବିନ୍ଦପୁର ଉଚ୍ଚବିଦ୍ୟାଳୟ, ରାଇରଙ୍ଗପୁର ବାଳିକା ଉଚ୍ଚବିଦ୍ୟାଳୟ ଏବଂ ବହଳଦା ଉଚ୍ଚବିଦ୍ୟାଳୟରେ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି। ଉଚ୍ଚବିଦ୍ୟାଳୟ ଗୁଡ଼ିକରେ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ନଥିବାରୁ ଗତ କିଛିବର୍ଷ ହେଲା ମାଟ୍ରିକ୍‌ ପରୀକ୍ଷା ଫଳାଫଳ ସେତେଟା ଉତ୍ସାହଜନକ ହୋଇ ପାରୁନାହିଁ। ଯଦିଓ ପାସ୍‌ହାର ଠିକ୍ ଅଛି, ୯୦ କିମ୍ବା ୯୫ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍‌ କରିବା ମେଧାବୀଙ୍କ ସଂଖ୍ୟା ନୈରାଶ୍ୟଜନକ ରହୁଛି।

ସମ୍ବନ୍ଧିତ ଖବର