ପୁରୀ: ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ଘନ ଅନ୍ଧକାର ଯୋଗୁ ଦୈନିକ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଅନ୍ଧକାର ଦୂର ପାଇଁ ଗତବର୍ଷ ରଥଯାତ୍ରା ପୂର୍ବରୁ ଯେଉଁ ପ୍ରୟାସ ହୋଇଥିଲା, ତାହା ଅସଂପୂର୍ଣ୍ଣ ଭାବେ ପଡ଼ିରହିଛି।
ଗତବର୍ଷ ରଥଯାତ୍ରା ପୂର୍ବରୁ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ଅଠରନଳାଠାରୁ ପିପିଲି ପର୍ଯ୍ୟନ୍ତ ଶତାଧିକ ଷ୍ଟ୍ରିଲ୍ ଲାଇଟ୍(ଟ୍ୟୁବୁଲାର୍ ପୋଲ୍) ଲାଗିଲା। ଲକ୍ଷ୍ୟ ଥିଲା, ରାଜପଥରେ ଅନ୍ଧକାର ଦୂର କରି ଦୁର୍ଘଟଣାକୁ ରୋକିବା। ଏଥିପାଇଁ ଶହେରୁ ଅଧିକ ଦାମୀ ଟ୍ୟୁବୁଲାର୍ ପୋଲ୍ ରାଜପଥ ମେଡିଆନ୍ରେ ଲାଗିଲା। ଯେଉଁଥିରେ ଏଲ୍ଇଡି ଲାଇଟ୍ ବି ଲାଗିଲା। ଏ ବାବଦକୁ କୋଟି କୋଟି ଟଙ୍କା ବି ଖର୍ଚ୍ଚ କରାଗଲା। ଇତିମଧ୍ୟରେ ଗତବର୍ଷର ରଥଯାତ୍ରା ଯାଇ ଚଳିତବର୍ଷ ରଥଯାତ୍ରା ପାଖେଇଲାଣି। ତଥାପି ଏହି ଟ୍ୟୁବୁଲାର୍ ପୋଲ୍ରେ ଆଜି ପର୍ଯ୍ୟନ୍ତ ଲାଇଟ୍ ଜଳିପାରିନି।
ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ କେବଳ ପୋଲ ପୋତି କାମ ସାରି ଦେଇଛି। ନା ଏଥିରେ ତାର ସଂଯୋଗ କରାଯାଇଛି ନା ବିଜୁଳି। ସେପଟେ ସାଂସଦ ଓ ଅନ୍ୟ ନେତାଙ୍କ ସହ ଏଏନ୍ଏଚ୍ଏଆଇ ଅଧିକାରୀଙ୍କୁ ନେଇ ଗଠିତ ସଡ଼କ ସୁରକ୍ଷା ସଂସଦୀୟ କ୍ଷେତ୍ର କମିଟିର ନିୟମିତ ବୈଠକ ବସୁଛି। ଜାତୀୟ ରାଜପଥ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ହେଉଛି। ନେତାମାନେ ବୈଠକରେ ବଡ଼ ବଡ଼ ବାହାସ୍ଫୋଟ ମାରୁଛନ୍ତି। କିନ୍ତୁ ଏହା କେବଳ ଲୋକ ଦେଖାଣିଆ ହୋଇରହିଯାଇଛି। ଆଗକୁ ରଥଯାତ୍ରା। ଏହା ପୂର୍ବରୁ ଜାତୀୟ ରାଜପଥରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ସବୁ କାର୍ଯ୍ୟକ୍ଷମ କରି ଅନ୍ଧକାର ଦୂର ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି। ଏ ସମ୍ପର୍କରେ ଟାଟା ପାୱାର ପୁରୀ ନିର୍ବାହୀ ଯନ୍ତ୍ରୀ ସ୍ମୃତିରଂଜନ ସ୍ବାଇଁ କହିଛନ୍ତି, ଏହି ଟ୍ୟୁବୁଲାର୍ ପୋଲ୍ ଲାଗିବା ଆମେ ଜାଣିନାହୁଁ। ଏହା ଏନ୍ଏଚ୍ଏଆଇ ଅଧୀନରେ ଆସୁଛି। ଅନ୍ୟପଟେ ଷ୍ଟ୍ରିଲ୍ ଲାଇଟ୍ ଅଚଳ ଉପରେ ଖୁବଶୀଘ୍ର ଏକ ବୈଠକ ବସିବାକୁ ଯାଉଛି ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/26-13.jpg)