ମା’ ତାରିଣୀଙ୍କଠାରେ ଭୋଗଲାଗି ଅନୁମତି ମିଳୁନି

ଘଟଗାଁ: ଘଟଗାଁ ମା’ ତାରିଣୀ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନେ ଆଜି କେନ୍ଦୁଝର ଯାଇ ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ ଭେଟିଛନ୍ତି। ଶ୍ରଦ୍ଧାଳୁଙ୍କ ଦ୍ବାରା ଭୋଗଲାଗି ଏବଂ ଶିଶୁ ଓ ବୃଦ୍ଧବୃଦ୍ଧାଙ୍କୁ ମା’ ଦର୍ଶନ ପାଇଁ ଅନୁମତି ଦେବାକୁ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ମା’ ତାରିଣୀ ମନ୍ଦିର ପରିଚାଳନା କମିଟି ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ, ରୁଦ୍ରନାରାୟଣ ମହାନ୍ତ, ବଳଭଦ୍ର ନନ୍ଦ, ଦୟାନିଧି ମହାନ୍ତ, ଆନନ୍ଦ ଚନ୍ଦ୍ର ସିଂହ ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର ପ୍ରମୁଖ ଜିଲ୍ଲାପାଳ ଶ୍ରୀ ଠାକ୍‌ରେଙ୍କୁ ସାକ୍ଷାତ କରିଥିଲେ। ଭୋଗଲାଗି, ଶିଶୁ ଓ ବୃଦ୍ଧବୃଦ୍ଧାଙ୍କୁ ଦର୍ଶନ ପାଇଁ ଅନୁମତି ଲାଗି ୨୨ ତାରିଖରେ ଟ୍ରଷ୍ଟବୋର୍ଡ ‌ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଜଣାଇଥିଲେ। ଜିଲ୍ଲାପାଳ ଏ ସମ୍ପର୍କରେ ଏସ୍‌ଆର୍‌ସିଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ, ଦୁଇବର୍ଷ ହେଲା କୋଭିଡ କଟକଣା ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରୁଛନ୍ତି। ଭୋଗଲାଗି ସମ୍ପୂର୍ଣ୍ଣ ବନ୍ଦ ରହିଛି। ଶିଶୁ ଓ ବୃଦ୍ଧବୃଦ୍ଧାଙ୍କୁ ଦର୍ଶନ ପାଇଁ ଅନୁମତି ନାହିଁ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର