ବିଦ୍ୟୁତ୍‌ ଆଘାତରେ ମୃତବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ହେଲାନି: ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେଲେ ସିଡିଏମ୍‌ଓ

କଣ୍ଟାମାଳ: ବିଦ୍ୟୁତ୍‌ ଆଘାତରେ ମନମୁଣ୍ଡା ଥାନା ରାବିଡ଼ି ଗ୍ରାମର ପୃଥ୍ବିରାଜ ମିଶ୍ରଙ୍କ ମୃତ୍ୟୁ ଘଟିଥିଲା। ମନମୁଣ୍ଡା ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ମାତ୍ର ଡାକ୍ତର ଶବ ବ୍ୟବଚ୍ଛେଦ ନ କରି ଫେରାଇ ଦେଇଥିଲେ। ଏହି ଘଟଣାର ତଦନ୍ତ କରି ସିଡିଏମ୍‌ଓ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିବା ଜଣାଯାଇଛି।

ସୂଚନା ଥାଉ କି, ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇଥିଲେ ଓ ଅପମୃତ୍ୟୁ ମାମଲାରେ ଶବ ବ୍ୟବଚ୍ଛେଦ ବାଧ୍ୟତାମୂଳକ ହୋଇଥିବା ବେଳେ ମନମୁଣ୍ଡା ଡାକ୍ତରଖାନା କର୍ତ୍ତୃପକ୍ଷ ଶବକୁ ବ୍ୟବଚ୍ଛେଦ ନକରି ଘରକୁ ପଠାଇ ଦେଇଥିଲେ। ଏ ନେଇ ‘ସମ୍ବାଦ’ରେ ବିସ୍ତୃତ ଖବର ପ୍ରକାଶ ପାଇଲା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦେଶରେ ସିଡିଏମ୍‌ଓ ଡା. ଅଭୟ ଦାସ ମନମୁଣ୍ଡା ଡାକ୍ତରଖାନାରେ ପହଞ୍ଚି ସେହି ସମୟରେ ଡ୍ୟୁଟିରେ ଥିବା ସମସ୍ତ କର୍ମଚାରୀଙ୍କୁ ଜଣ ଜଣ କରି ଡାକି ତଦନ୍ତ କରିଥିଲେ। ତଦନ୍ତ ସମୟରେ ଇନ୍‌ଚାର୍ଜ ଡା. ମହେନ୍ଦ୍ର ସଏ ସିଡିଏମ୍‌ଓଙ୍କୁ ଆବଶ୍ୟକ କାଗଜପତ୍ର ଦେଖାଇ ପାରି ନଥିଲେ। ଫଳରେ ସିଡିଏମ୍‌ଓ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ବାବଦରେ ଡା. ସଏଙ୍କୁ ପଚାରିବାରୁ, ଏ ସମ୍ପର୍କରେ କିଛି କହିପାରିବେ ନାହିଁ ବୋଲି କହିଥିଲେ। ପୁଲିସକୁ ସୂଚନା ନ ଦେବା ଏବଂ ଶବ ବ୍ୟବଚ୍ଛେଦ ନକରି ସତ୍କାର ପାଇଁ ଶବକୁ ଗାଁକୁ ଛାଡ଼ିଦେବା ଘଟଣା ବୁଦ୍ଧିଜୀବୀ ମହଲରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ଏ ସମ୍ପର୍କରେ ବୌଦ୍ଧ ସିଡିଏମ୍‌ଓ ଡା. ଦାସଙ୍କୁ ପଚାରିବାରୁ, ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିସାରିଛି ବୋଲି କହିଥିଲେ। ଜିଲ୍ଲାପାଳ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଦେଖିବା ବାକି ରହିଲା।

ସମ୍ବନ୍ଧିତ ଖବର