ଗାଁକୁ ରାସ୍ତା ନାହିଁ: ଖଟିଆରେ ନେବାବେଳେ ପ୍ରସୂତି ଆଖିବୁଜିଲେ

୩ କିମି ଦୂରରେ ରହିଲା ଆମ୍ବୁଲାନ୍‌ସ, ଅଢ଼େଇ ଘଣ୍ଟା ଛଟପଟ ହେଲେ

ରାଉରକେଲା: ଖଣିଖାଦାନରେ ଭର୍ତ୍ତି ସୁନ୍ଦରଗଡ଼ ଜିଲ୍ଲାର ନଗ୍ନ ଚିତ୍ର ଆଜି ପଦାରେ ପଡ଼ିଯାଇଛି। ଗାଁକୁ ରାସ୍ତା ନଥିବାରୁ ଖଟିଆରେ ଜଣେ ପ୍ରସୂତିଙ୍କୁ ୩ କିମି ବୋହିନେବାବେଳେ ବାଟରେ ଅଢ଼େଇଘଣ୍ଟା ଛଟପଟ ହେବା ପରେ ଆଖିବୁଜିଛନ୍ତି। ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ନ ଆସିପାରିବା ଏହାର କାରଣ ହୋଇଛି। ବୀରମିତ୍ରପୁର ପୌରପାଳିକା ୱାର୍ଡ ନଂ ୧୧ ଅନ୍ତର୍ଗତ ତଳସରା ପତ୍ରାପାଲୀ ବସ୍ତିରେ ଏଭଳି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ଅଞ୍ଚଳର ବିକାଶ ପାଇଁ ପର୍ଯ୍ୟାପ୍ତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି ବିନିଯୋଗ ହେଉଥିଲେ ବି ଅଞ୍ଚଳର ବିକାଶ କିଭଳି ରହିଛି ତାହା ପ୍ରଶାସନ ଓ ରାଜନେତାଙ୍କ ଅସଲ ମୁଖା ଖୋଲି ଦେଇଛି।

ତଳସରା ପତ୍ରାପାଲୀ ବସ୍ତିରେ ଦିନ ମଜୁରିଆ ମଦନ ମାଝୀ(୨୮), ତାଙ୍କ ପତ୍ନୀ ଦ୍ରୌପଦୀ ମାଝୀ, ୨ ବର୍ଷର ଶିଶୁ ପୁତ୍ର ଓ ତାଙ୍କ ବୃଦ୍ଧ ପିତା-ମାତାଙ୍କ ସହ ବାସ କରନ୍ତି। ମଙ୍ଗଲବାର ଅପରାହ୍ନ ପ୍ରାୟ ୨ଟାରେ ଦ୍ରୌପଦୀଙ୍କ ପ୍ରସବ ବେଦନା ହେବାରୁ ସ୍ଥାନୀୟ ଆଶାକର୍ମୀଙ୍କୁ ଖବର ଦିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଆଶାକର୍ମୀଙ୍କ ପରାମର୍ଶକ୍ରମେ ଆମ୍ବୁଲାନ୍ସ ଡକାଯାଇଥିଲା।

ଏପଟେ ନିଜ ଘରେ ଯନ୍ତ୍ରଣାରେ ଛଟପଟ ହୋଇ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ ଦ୍ରୌପଦୀ। ତେବେ ଶିଶୁ କନ୍ୟା ଜନ୍ମ ଦେବାପରେ ହଠାତ୍‌ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା। ଆମ୍ବୁଲାନ୍ସକୁ ଡକାଯାଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଆମ୍ବୁଲାନ୍‌ସ ଉକ୍ତ ଗାଁରୁ ତିନି କିଲୋମିଟର ଦୂରରେ ଥିବା ଜାତୀୟ ରାଜପଥ-୧୪୩ କଡ଼ରେ ପହଞ୍ଚିଥିଲା। ତେବେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍‌ସ ଜାତୀୟ ରାଜପଥ‌ କଡ଼ରେ ହିଁ ଛିଡ଼ା ରହିଥିଲା। ଏପଟେ ଆମ୍ବୁଲାନ୍‌ସ ପାଖକୁ ପ୍ରସୂତିଙ୍କୁ ଆଣିବାକୁ ଧାଁଧପଡ଼ ଆରମ୍ଭ ହୋଇଯାଇଥିଲା।

ବାଇକ୍‌ରେ ମଧ୍ୟ ନେବା ସମ୍ଭବ ନ ହେବାରୁ ତାଙ୍କୁ ଖଟିଆରେ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ବିଧିର ବିଧାନ ଅଲଗା ଥିଲା। ଖଟିଆରେ ବୁହାହୋଇ ଆମ୍ବୁଲାନସ୍‌ ପାଖକୁ ଅଣାଯାଉଥିବାବେଳେ ଦ୍ରୌପଦୀଙ୍କ ଅଧାବାଟରେ ଜୀବନଦୀପ ଲିଭିଯାଇଥିଲା। ଏହାପରେ ଦ୍ରୌପଦୀଙ୍କ ଶବକୁ ଗାଁକୁ ଫେରାଇ ଆଣିଥିଲେ ଗ୍ରାମବାସୀ। ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅପରପକ୍ଷରେ ନବଜାତ ଶିଶୁକନ୍ୟା ସୁସ୍ଥ ଥିବାବେଳେ ତାଙ୍କର ଯତ୍ନ ନେଉଛନ୍ତି ବୃଦ୍ଧା ଜେଜେ ମା’ ଓ ପଡୋଶୀ।

ଡିଏମ୍‌ଏଫ୍‌ ଅନୁଦାନରେ ଜିଲ୍ଲାରେ ବାଇକ୍‌ ଆମ୍ବୁଲାନ୍‌ସ ସେବା ଆରମ୍ଭ କରାଯାଇଛି। ବାଇକ୍‌ର ଶୁଭାରମ୍ଭବେଳେ ଜିଲ୍ଲା ପ୍ରଶାସନର ବାହାସ୍ଫୋଟ ଓ ଡିଣ୍ଡିମ ପିଟୁଥିବା ଦେଖିବାକୁ ମିଳିଥିଲା। ପ୍ରକୃତରେ ବାଇକ୍‌ ଆମ୍ବୁଲାନ୍‌ସ କେତେ ଯେ ସୁଦୂରପ୍ରସାରୀ, ଆଜି ତାହା ସ୍ପଷ୍ଟ ପ୍ରମାଣିତ ହୋଇଛି। ଏଠାରେ ପ୍ରଶ୍ନ ଉଠେ, ଦ୍ରୌପଦୀଙ୍କ ଅକାଳ ମୃତ୍ୟୁ ପାଇଁ ଦାୟୀ କିଏ? ଡିଏମ୍‌ଏଫ୍‌ ପାଣ୍ଠିକୁ ବ୍ୟକ୍ତିଗତ ସମ୍ବଳ ବିବେଚନା କରି ମନଇଚ୍ଛା ଅପବ୍ୟୟ କରୁଥିବା ଜିଲ୍ଲା ପ୍ରଶାସନ ନା କେବଳ ଭୋଟ୍‌ବେଳେ ଉକ୍ତ ଗାଁକୁ ଯାଉଥିବା ନେତା? କିଏ ନେବ ଦ୍ରୌପଦୀଙ୍କ ନବଜାତ ଶିଶୁକନ୍ୟା ଓ ନାବାଳକ ପୁଅର ଯତ୍ନ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କିମାରିଥିବାବେଳେ ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧିତ ଖବର