ବ୍ରହ୍ମପୁର/ଖଲ୍ଲିକୋଟ : ଅପରାଧୀଙ୍କ ମନରୁ ଏନ୍କାଣ୍ଟର୍ ଉଭୟ ଛାଡ଼ି ଗଲାଣି। ଦିନକୁ ଦିନ ନୂଆ ଅପରାଧୀ ଗ୍ୟାଙ୍ଗ୍ ଗଠନ କରି ଅପରାଧ ଘଟାଉଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଘାଟିରେ ଗାଡ଼ି ଚାଳକଙ୍କ ଠାରୁ ବିଭିନ୍ନ ଲୁଟ୍, ଡକାୟତି ହେଉଛି। ଏପରିକି ଡକାୟତମାନେ ପିସ୍ତଲ, ମାଉଜର୍ ଧରି ଆତଙ୍କରାଜ ସୃଷ୍ଟି କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଏବେ ପ୍ରମାଣିତ ହୋଇଛି। ଖଲ୍ଲିକୋଟ ଥାନା ପୁଲିସ ଗତକାଲି ଏଭଳି ଏକ ଗ୍ୟାଙ୍ଗ୍କୁ କାବୁ କରିଛି। ସେମାନଙ୍କ ନିକଟରୁ ଅଧଡଜନ୍ ପିସ୍ତଲ, ରିଭଲ୍ଭର୍, ଗୁଳି ଓ ବୋମା ଜବତ କରିଛି। ତେବେ ଏହି ଡକାୟତମାନେ ପିସ୍ତଲ କେଉଁଠୁ ଆଣିଲେ ସେ ଦିଗରେ ପୁଲିସ ଅଧିକ ଖୋଳତାଡ଼ ଆରମ୍ଭ କରିଛି। ଆବଶ୍ୟକସ୍ଥଳରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ ସୂଚନା ଦେଇଛନ୍ତି। ବିଗତ ବର୍ଷରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପିସ୍ତଲ ଜବତ ଘଟଣାରେ ବିହାର ଓ ପଶ୍ଚିମବଙ୍ଗ ଲିଙ୍କ୍ ମିଳିଥିଲା। ଏଣୁ ଏ ଦିଗରେ ମଧ୍ୟ ପୁଲିସ ତଦନ୍ତ କରୁଛି।
ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତ ବ୍ଲକ୍ ହେଉଛି ଖଲ୍ଲିକୋଟ। ଏହି ବ୍ଲକ୍ର ବଡ଼ ଘାଟି ଅପରାଧୀଙ୍କ ପୁରୁଣା ଆଡ଼ା। କିଛି ବର୍ଷ ପୂର୍ବରୁ ଏହି ରାଜପଥରେ ବାରମ୍ବାର ଲୁଟ୍, ଡକାୟତ ଓ ରାହାଜାନି ଘଟୁଥିଲା। ଖଲ୍ଲିକୋଟ ଘାଟିରେ ଡକାୟତି କରିବା ପରେ ଲୁଟେରାମାନେ ଗୁପ୍ତ ରାସ୍ତା ଦେଇ ଖୋର୍ଦ୍ଧା ଜିଲ୍ଲାକୁ ପାର୍ ହୋଇ ଯାଉଥିଲେ। ଏଣୁ ଲୁଟେରାଙ୍କୁ ଠାବ କରିବା ପୁଲିସ ପାଇଁ ଚାଲେଞ୍ଜ୍ ହେଉଥିଲା। ପରେ ଉଭୟ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ପୁଲିସ ଅଧିକାରୀଙ୍କ ମିଳିତ ଅପରେସନ୍ରେ ସଫଳତା ମିଳିଥିଲା। ପୁଲିସ ବିଗତ ବର୍ଷରେ କିଛି ଦୁର୍ଦ୍ଦାନ୍ତ ଲୁଟେରା ଓ ଡକାୟତଙ୍କୁ ଏନ୍କାଉଣ୍ଟ୍ କରି କାବୁ କରିଥିଲା। ସେମାନେ ଜଖମ ହୋଇ ଏବେ ଶାନ୍ତ ପଡ଼ି ଯାଇଛନ୍ତି। ବର୍ତ୍ତମାନ ନୂଆ ଅପରାଧୀ ଏହି ପେସାରେ ପାଦ ଦେଇଛନ୍ତି। ସେମାନେ ପୁଲିସକୁ ଖୋଲା ଚାଲେଞ୍ଜ୍ ଦେଇ ପିସ୍ତଲ, ରିଭଲ୍ଭର୍ ଧରି ବୁଲୁଛନ୍ତି।
ଏଭଳି ଏକ ଗ୍ୟାଙ୍ଗ୍ର ସୂଚନା ପାଇ ଖଲ୍ଲିକୋଟ ଥାନା ପୁଲିସ ଖଲ୍ଲିକୋଟ ବଡ଼ଘାଟିରେ ଚଢ଼ଉ କରି ଗତକାଲି ୫ଜଣକୁ ଗିରଫ କରିଥିଲା। ସେମାନେଙ୍କ ନିକଟରୁ ୫ଟି ପିସ୍ତଲ ଓ ଗୋଟିଏ ରିଭଲ୍ଭର୍, ୧୩ରାଉଣ୍ଡ୍ ଗୁଳି ଓ ୫ଟି ବୋମା ଜବତ କରିଥିଲା। ଗିରଫ ଅଭିଯୁକ୍ତମାନେ ଏକାଧିକ ଲୁଟ୍, ଡକାୟତି ଓ ରାହାଜାନି ମାମଲାରେ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି। ତେବେ ଏହି ଡକାୟତମାନେ ପିସ୍ତଲ କେଉଁଠୁ ଆଣିଲେ ସେ ଦିଗକୁ ପୁଲିସ ତଦନ୍ତ ପରିସରକୁ ନେଇଛି। ଜବତ ପିସ୍ତଲଗୁଡ଼ିକ ଓଡ଼ିଶାରେ ତିଆରି ହୋଇ ନଥିବା ଜଣେ ଅଧିକାରୀ କହିଛନ୍ତି। ଏଣୁ ଏମାନେ ଅନ୍ୟ ରାଜ୍ୟରୁ ପିସ୍ତଲ ଆଣିଥିବା କୁହାଯାଉଛି। କେଉଁ ମାଧ୍ୟମ ଓ କାହା ଜରିଆରେ ପିସ୍ତଲ ଗଞ୍ଜାମକୁ ଆସୁଛି ସେ ଦିଗରେ ପୁଲିସ ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/25-20.jpg)