ରାଉରକେଲା: ଖଣି ଓ ଶିଳ୍ପ ଜିଲ୍ଲା ସୁନ୍ଦରଗଡ଼ରେ ଆଣ୍ଠେଇଛି ସ୍ବାସ୍ଥ୍ୟସେବା। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ସ୍ବାସ୍ଥ୍ୟସେବାରେ ପାଣି ବୋହିଲା ପରି ଅର୍ଥ ଖର୍ଚ୍ଚ କରାଯାଉଥିବା ଦର୍ଶାଯାଇଛି। ବାସ୍ତବଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ସିଏଚ୍‌ସି ଓ ପିଏଚ୍‌ସି ପରି ବୀମାଭୁକ୍ତ ଶ୍ରମିକ ପରିବାରଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ରହିଥିବା ଇଏସ୍‌ଆଇ ଡିସ୍‌ପେନ୍‌ସାରି ଓ ହସ୍ପିଟାଲର ସ୍ଥିତି ସାଂଘାତିକ। ଜିଲ୍ଲାର ପ୍ରାୟ ୫ ଲକ୍ଷ ୧୯ ହଜାର ବୀମାଭୁକ୍ତ ଶ୍ରମିକ ପରିବାର ପାଇଁ ରହିଛି ୧୧ଟି ଡିସ୍‌ପେନ୍‌ସାରି ଓ ହସ୍ପିଟାଲ। କୋଇଡ଼ା, ବଣାଇ, ରାଉରକେଲା ଜେଲ୍‌ରୋଡ୍‌, ଫର୍ଟିଲାଇଜର୍‌ ସୋନାପର୍ବତ, ରାଉରକେଲା ବିର୍ସାମୁଣ୍ଡା ଛକ, କୁଆରମୁଣ୍ଡା, ଶିଳ୍ପାଞ୍ଚଳ କଲୁଙ୍ଗା, ରାଜଗାଙ୍ଗପୁର, ସୁନ୍ଦରଗଡ଼ର କିରେଇରେ ସେଗୁଡ଼ିକ ସ୍ଥାପନ କରାଯାଇଛି। ମାତ୍ର ସେ ସବୁଥିରେ କେଉଁଠି ଡାକ୍ତର ନାହାନ୍ତି ତ ଅନ୍ୟକେଉଁଠି କର୍ମଚାରୀ ଓ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ବିର୍ସା ଡିସ୍‌ପେନ୍‌ସାରିରେ ୫ ଡାକ୍ତରଙ୍କ ଆବଶ୍ୟକତା ଥିଲା ବେଳେ ଅଛନ୍ତି ମାତ୍ର ୨ ଜଣ। କର୍ମଚାରୀ ଓ ଆନୁଷଙ୍ଗିକ ଯନ୍ତ୍ରପାତିରେ ବି ସମାନ ସମସ୍ୟା। ରାଉରକେଲାରେ ୫ ଡାକ୍ତରଙ୍କ ଜାଗାରେ ଅଛନ୍ତି ୩ ଜଣ। କାଂଶବାହାଲରେ ୬ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୨ ଜଣ। ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ କେବଳ ଡାକ୍ତର ନୁହେଁ, କର୍ମଚାରୀ ମଧ୍ୟ ନାହାନ୍ତି। କାରଖାନା ଅଞ୍ଚଳ ରାଜଗାଙ୍ଗପୁରରେ ମାତ୍ର ୨ ଜଣ ଡାକ୍ତରରେ ଚାଲିଛି।

Advertisment

ଏଠି ମଧ୍ୟ ୫୦ ଶଯ୍ୟା ରହିଛି। ରୋଗୀ ଚିକିତ୍ସା କରିବାକୁ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ଦିଗରେ ସରକାର ଧ୍ୟାନ ଦେଉନାହାନ୍ତି। କୁଆରମୁଣ୍ଡା, କଲୁଙ୍ଗା, କୋଇଡ଼ା, ବଣାଇ, ସୋନାପର୍ବତ, କିରେଇରେ ଜଣେ ଲେଖାଏଁ ଡାକ୍ତର ଥିଲେ ହେଁ ଡିସ୍‌ପେନ୍‌ସାରି ସ୍ଥିତି ଦୟନୀୟ। କାରଖାନା କର୍ତ୍ତୃପକ୍ଷ ମାସିକ ଇଏସ୍ଆଇରେ ଜମା କରୁଥିବା ସତ୍ତ୍ବେ ଶ୍ରମିକମାନେ ଉପଯୁକ୍ତ ଚିକିତ୍ସାସେବାରୁ ବଞ୍ଚିତ ହେଉଛନ୍ତି। 
ଅନ୍ୟପକ୍ଷରେ ବର୍ଷବର୍ଷ ଦାବି ପରେ ଗତ ସପ୍ତାହରେ ଡିସ୍‌ପେନ୍‌ସାରିଗୁଡ଼ିକ ଜିଲ୍ଲାର ୪ଟି ଘରୋଇ ହସ୍ପିଟାଲ ସହ ଅନୁବନ୍ଧିତ ହୋଇଛି। ହେଲେ ଡିସ୍‌ପେନ୍‌ସାରିରୁ ଅନୁବନ୍ଧିତ ଘରୋଇ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତର କରିବା କ୍ଷମତା ଅଦ୍ୟାବଧି କାହାକୁ ଦିଆଯାଇନି। ରାଉରକେଲା, ବିଶ୍ରା ଇଏସ୍‌ଆଇ ଉପନିର୍ଦ୍ଦେଶକଙ୍କର କ୍ଷମତା ଅଛି, ସେମାନେ କିନ୍ତୁ ଅନ୍ୟତ୍ର ବଦଳିହୋଇ ଚାଲିଯାଇଛନ୍ତି। ଗୁରୁତର ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଥିଲେ ହେଁ କାର୍ଯ୍ୟକାରୀ କରିବାକୁ ଉପନିର୍ଦ୍ଦେଶକ ନିଯୁକ୍ତ କରୁନାହାନ୍ତି। ଶ୍ରମିକନେତା ଜାହାଙ୍ଗୀର ଅଲ୍ଲୀ, ଦିଗମ୍ବର ମହାନ୍ତି ପ୍ରମୁଖ କହିଛନ୍ତି, ‘ସରକାରଙ୍କ ଅବହେଳାରୁ ଶ୍ରମିକ ପରିବାର ଡିସ୍‌ପେନ୍‌ସାରି ଓ ହସ୍ପିଟାଲ ଥାଇ ମଧ୍ୟ ଚିକିତ୍ସା ପାଇ ପାରୁନାହାନ୍ତି। ସରକାର ପରେ ସରକାର ବଦଳୁଥିଲେ ହେଁ, ଇଏସ୍‌ଆଇ ଡିସ୍‌ପେନ୍‌ସାରି ଓ ହସ୍ପିଟାଲର ସ୍ବାସ୍ଥ୍ୟ ସୁଧୁରୁନି। ରୋଗୀମାନେ ଘରୋଇ ହସ୍ପିଟାଲ ଯାଇ ଶୋଷଣର ଶିକାର ହେଉଛନ୍ତି।’