ଘର ଆବଣ୍ଟନରେ ଗରିବଙ୍କୁ ବଞ୍ଚିତ କରିବାକୁ ଷଡ଼୍‌ଯନ୍ତ୍ର ହେଉଛି: ଧର୍ମେନ୍ଦ୍ର

ବିଜେପି ‘ସଂକଳ୍ପ ସମାବେଶ’ର ୫ମ ବର୍ଷ ପୂର୍ତ୍ତି ସମାରୋହ

ମାହାଙ୍ଗା : ଚଳିତ ବର୍ଷ ବଜେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବ୍ୟୟ ବରାଦ ୭୯ ହଜାର କୋଟି ଟଙ୍କାରୁ ଅଧିକ କରାଯାଇଛି। ଓଡ଼ିଶା ପାଇଁ ସାଢ଼େ ୯ ଲକ୍ଷ ଅତିରିକ୍ତ ଘର ଯୋଗାଇ ଦିଆଯାଇଛି। ରାଜ୍ୟରେ ଘର ଆବଣ୍ଟନରେ ଗରିବ ଶ୍ରେଣୀ ଲୋକଙ୍କୁ ବଂଚିତ କରିବାର ଷଡ଼୍‌ଯନ୍ତ୍ର ହେଉଛି। ଆଜି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଆୟୋଜିତ ବିଜେପି ‘ସଂକଳ୍ପ ସମାବେଶ’ର ୫ମ ବର୍ଷ ପୂର୍ତ୍ତି ଉତ୍ସବରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

ଆବାସ ଯୋଜନାରେ ଓଡ଼ିଶା ପାଇଁ ୯ଲକ୍ଷ ଅତିରିକ୍ତ ଘର
‘ମାହାଙ୍ଗା ଦେଇଥିବା ବଳିଦାନ ବ୍ୟର୍ଥ ଯିବ ନାହିଁ’

ମାହାଙ୍ଗାର ଚାହାପଡା ପଞ୍ଚାୟତ ଭଁରାଜ (ଛତ୍ରତୋଟା)ଠାରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ଯୁବନେତା ସାରଦା ପ୍ରଧାନଙ୍କ ସଭାପତିତ୍ବରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଫେବ୍ରୁଆରି ୨ ତାରିଖ ତାଙ୍କ ପାଇଁ ଏକ ଅଭୁଲା ଦିନ। ଠିକ୍ ୫ ବର୍ଷ ତଳେ ଏହି ଦିନରେ ମାହାଙ୍ଗାକୁ ସେ ଆସିଥିଲେ। ମାହାଙ୍ଗାବାସୀ ତାଙ୍କୁ ଆପଣେଇ ଥିଲେ, ନିଜର କରି ନେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବାପାଇଁ ମାହାଙ୍ଗା ବଳିଦାନ ଦେଇଛି। ମାହାଙ୍ଗାର ବିଜେପି କର୍ମକର୍ତ୍ତା ସ୍ୱର୍ଗତ କୁଳମଣି ବରାଳ ଗରିବ ଲୋକଙ୍କ କଲ୍ୟାଣ ପାଇଁ ଦେଇଥିବା ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ। ସେ ଆହୁରି ମଧ୍ୟ କହିଥିଲେ ଯେ ମାହାଙ୍ଗାର ବିଚାର ଓଡ଼ିଶାକୁ ପ୍ରଭାବିତ କରେ। ମାହାଙ୍ଗାରେ ବିଶ୍ୱକୁ ପ୍ରଭାବିତ କରିବା ଭଳି ମହାପୁରୁଷ ଅଚ୍ୟୁତାନନ୍ଦ ଗାଦି, ସନ୍ଥ ଅରକ୍ଷିତ ଦାସ ଓ ହାଡ଼ି ଦାସଙ୍କ ପୀଠ ରହିଛି। ମୋଦୀ ସରକାର ଲୋକାଭିମୁଖୀ ସରକାର ଭାବେ ଦେଶର ସେବକର ଦାୟିତ୍ୱ ନେଇଛନ୍ତି। ମାହାଙ୍ଗାର କଲ୍ୟାଣ ଓ ଓଡ଼ିଶାର ଗରିବ ଲୋକଙ୍କ ହିତ ପାଇଁ ସଂକଳ୍ପ ନେବ। ମୋଦୀ କରିଥିବା ଯୋଜନାକୁ ଓଡ଼ିଶାରେ ଗାଁ ଗାଁରେ ପହଞ୍ଚାଇବା ପାଇଁ ପଡ଼ିବ। ଲୋକଙ୍କ ଭିତରେ ଜାଗରଣ ତିଆରି କରିବା ପାଇଁ ପଡିବ। ଓଡ଼ିଶାରେ ସୁଶାସନ ପ୍ରତିଷ୍ଠା ଓ କଲ୍ୟାଣକାରୀ ବ୍ୟବସ୍ଥା ତିଆରି କରିବା ପାଇଁ ଜନଜାଗରଣ ତିଆରି କରିବା ଦରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ରାଜ୍ୟର ୧ କୋଟି ଘରେ ପହଞ୍ଚାଇବା ସହ ଓଡ଼ିଆ ଲୋକଙ୍କ ଦାୟିତ୍ୱ ନେବା ପାଇଁ ସଂକଳ୍ପ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ତା, ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ଭୁବନେଶ୍ବର ସଭାପତି ବାବୁ ସିଂହ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ୍‌ ପଟ୍ଟନାୟକ, ଗଞ୍ଜାମ ଜିଲ୍ଳା ସଭାପତି ଗୋକୁଳା ନନ୍ଦ ମଲିକ, କଟକ ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ଯାଜ୍ଞସେନୀ ଜେନା, ଜିଲ୍ଲା ଉପସଭାପତି ମନୋରଂଜନ ନାୟକ, ଜିଲ୍ଲା ସଭାପତି କନକଲତା ବେହେରା, ବିବେକାନନ୍ଦ ବେହେରା, ନିଶ୍ଚିନ୍ତକୋଇଲି ବ୍ଲକ ସଭାପତି ରଂଜନ ରାଉତ, କମଳା ବସ୍ତିଆ ପ୍ରମୁଖ ଯୋଗଦେଇ ମାହାଙ୍ଗାରେ ଆଗାମୀ ଦିନରେ ବିଜେପି କିପରି ଆହୁରି ସଂଗଠିତ ହେବା ସହ ସାରଦା ପ୍ରଧାନଙ୍କ ହାତମୁଠା ଟାଣ ହୋଇପାରିବ, ସେ ନେଇ ସଂକଳ୍ପ ଦିବସରେ ଶପଥ ନେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ମଣ୍ତଳ ସଭାପତି ଭକ୍ତଚରଣ ସ୍ବାଇଁ, ଅରୁଣ ସେଠୀ, ନିର୍ମଳ ରାଉତ, ଏମଡି ଆସଲମ, ଅମରେନ୍ଦ୍ର ଦାସ, ରଂଜିତ ସାହୁ, ଜଗଜୀବନ ବେହୁରା, ଗୀତାଞ୍ଜଳି ଭଞ୍ଜ, ଗୌତମ ଶତପଥି, ବିଶ୍ବନାଥ ଜେନା, କିଶୋର ରାଉତ, ପ୍ରଫେସର ଏ ସଲାମ, ପିତାମ୍ବର ମହାନ୍ତି, ନିର୍ମଳା ଲେଙ୍କା ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମକର୍ତା ଯୋଗ ଦେଇଥିଲେ। ପୂର୍ବତନ ସରପଂଚ ଜିତେନ୍ଦ୍ର ଶତପଥି ଅତିଥି ପରିଚୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର