କଟକ: ପନିପରିବା ଭଳି ବଜାରରେ ଫଳ ଦର ବି ବଢିବାରେ ଲାଗିଛି। ଯେଉଁ ସମୟରେ ଆମ୍ବ ଦର ଖସିବା କଥା, ସେହି ସମୟରେ ଦର ବହୁ ଅଧିକ ରହୁଛି। କେବଳ ଆମ୍ବ ନୁହେଁ, ବଜାରରେ ଏବେ ସେଓ, ଅଙ୍ଗୁର, କଦଳୀ ଦର ବି ଉଚ୍ଚା ରହୁଛି। ପରିବା ଆଉ ଫଳ ଦର ଏଭଳି ଉଚ୍ଚା ରହିବା ଘଟଣାରେ ସାଧାରଣ ଗ୍ରାହକ ସମସ୍ୟାରେ ପଡିଛନ୍ତି। କିନ୍ତୁ ବ୍ୟବସାୟୀମାନେ ଏଥିପାଇଁ ଲମ୍ବା ସମୟ ଧରି ଗରମ ଓ ଗୁଳୁଗୁଳିକୁ ଦାୟୀ କରୁଛନ୍ତି। ରାଜ୍ୟର ଅନ୍ୟତମ ବୃହତ ଫଳ ମଣ୍ଡି ଛତ୍ରବଜାରରେ ଏବେ ମୋଟ ୧୦ଟି ଫଳ ଗୋଦାମ ରହିଛି। ଦୈନିକ ଏହି ଫଳ ଗୋଦାମକୁ ଦେଢ଼ କୋଟି ଟଙ୍କାର ଫଳ ଆମଦାନୀ ହେଉଛି। କିନ୍ତୁ ବର୍ତ୍ତମାନ ଏଭଳି ଗରମ ହେଉଛି ଯେ ଛତ୍ରବଜାରରେ ଥିବା ଏହି ଫଳ ଗୋଦାମଗୁଡ଼ିକରେ ଫଳ ଗଚ୍ଛିତ ରଖିବା କଷ୍ଟକର ହୋଇପଡ଼ୁଛି। ବ୍ୟବସାୟୀମାନେ କ୍ଷତିରେ ପଡ଼ୁ ଥିବାରୁ ଫଳର ମୂଲ୍ୟ ବୃଦ୍ଧି କରୁଛନ୍ତି। ହୋଲସେଲରେ ବିକ୍ରି ହେଉଥିବା ବାଇଗଣ ପଲେଇ ଆମ୍ବ ସାବିତ୍ରୀ ପୂର୍ବରୁ ୬୦ ଟଙ୍କା ଥିଲା। ଏବେ ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ଖୁଚୁରାରେ ଏହି ଆମ୍ବ ଦର ୧୦୦ ଟଙ୍କା ଛୁଇଁଲାଣି। ବଲାଙ୍ଗୀର, ରାୟଗଡ଼ା, ଅନୁଗୁଳ ଜିଲ୍ଲା ବଇଣ୍ଡାରୁ ଆସୁଥିବା ଆମ୍ର ପଲ୍ଲୀ ଆମ୍ବ ସାବିତ୍ରୀ ପୂର୍ବରୁ ୪୦ ଟଙ୍କା ଥିଲା। ଏବ ୫୦ରୁ ୬୦ ଟଙ୍କା ଛୁଇଁଲାଣି। ଖୁଚୁରାରେ ଏହି ଆମ୍ବ ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି। ସୁନ୍ଦରୀ ଆମ୍ବର ଆମଦାନୀ ନାହିଁ। ସେଥିପାଇଁ ଏହାର ହୋଲସେଲ୍ ମୂଲ୍ୟ ୭୦ ଟଙ୍କା ରହିଛି। ଆନ୍ଧ୍ର ପ୍ରଦେଶରୁ ଆସୁଥିବା କଦଳୀ କାନ୍ଦି ୧୫୦ରୁ ୫୦୦ ଟଙ୍କା ରହିଛି। ଖୁଚୁରା ବଜାରରେ ସିଙ୍ଗାପୁରୀ କଦଳୀ କେଜି ୫୦ ଟଙ୍କା, ଚମ୍ପା ଫେଣା ୩୦ରୁ ୪୦ ଟଙ୍କା, ଦେଶୀ କଦଳୀ ଫେଣା ୮୦ ଟଙ୍କା ରହିଛି। କଦଳୀଗୁଡ଼ିକ ଏବେ ଶୀଘ୍ର ସଢ଼ିଯାଉଥିବାରୁ ବ୍ୟବସାୟୀଙ୍କ ଚିନ୍ତା ବଢ଼ିଯାଇଛି। ସେଓ ପୂର୍ବରୁ ୧୦୦ ଟଙ୍କା ଥିଲା। ଏବେ ୧୨୦ରୁ ୧୫୦ ଟଙ୍କା ରହିଛି। ଖୁଚୁରାରେ ସେଓ କିଲୋ ୧୪୦ରୁ ୨୦୦ ଟଙ୍କା ଛୁଇଁଲାଣି। ସେଓ ଷ୍ଟୋରେଜରୁ ବାହାରିବା ମାତ୍ରକେ ନଷ୍ଟ ହେବା ଆରମ୍ଭ କରୁଛି। ବଜାରରେ ଏବେ ଡାଳିମ୍ବର ଅଭାବ ରହିଛି। ଆମଦାନୀ ନଥିବାରୁ ହୋଲସେଲ୍ ମୂଲ୍ୟ କେଜି ପିଛା ୧୦୦ ଟଙ୍କା ଥିବା ବେଳେ ଖୋଲାରେ ୧୫୦ ଟଙ୍କାରେ ବିକ୍ରି ହେଉଛି। ଚମନ୍ ଅଙ୍ଗୁର ବେଙ୍ଗାଲୁରୁରୁ ଆସୁଥିଲା ବେଳେ କିଲୋ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ ଆସୁଥିବା ଜମ୍ବୁ ଅଙ୍ଗୁରୁର ହୋଲସେଲ୍ ମୂଲ୍ୟ ୬୦ରୁ ୭୦ ଟଙ୍କା ମୂଲ୍ୟ ରହିଛି। ଲିଚୁ କେଜି ୧୨୦ରୁ ୧୩୦ ଟଙ୍କା ଥିବା ବେଳେ ଖୁଚୁରାରେ ୧୫୦ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି।
ବ୍ୟବସାୟୀମାନେ ଏଥିପାଇଁ ଲମ୍ବା ସମୟ ଧରି ଗରମ ଓ ଗୁଳୁଗୁଳିକୁ ଦାୟୀ କରୁଛନ୍ତି। ଦୈନିକ ଲକ୍ଷାଧିକ ଟଙ୍କାର ଫଳ ନଷ୍ଟ ହେଉଥିବାରୁ କ୍ଷତି ଭରଣା ପାଇଁ ବ୍ୟବସାୟୀ ଫଳ ଦର ଉଚ୍ଚା ରଖିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟର ଅନ୍ୟତମ ବୃହତ ଫଳ ମଣ୍ଡି ଛତ୍ରବଜାରରେ ଏବେ ଦୈନିକ ପାଖାପାଖି ୨୦ ଲକ୍ଷ ଟଙ୍କାର ଫଳ ନଷ୍ଟ ହେଉଥିବା କୁହାଯାଉଛି। ଛତ୍ରବଜାର ବ୍ୟବସାୟୀ ସଂଘର କାର୍ଯ୍ୟକାରୀ ସଭାପତି ରମାନାଥ ସ୍ବାଇଁଙ୍କ କହିବା ଅନୁଯାୟୀ, ଖରା ଗରମରେ ବହୁତ ଫଳ ନଷ୍ଟ ହେଉଛି। କଦଳୀ ଯେଉଁ ଦିନ ଆସୁଛି ସେଦିନ ବିକ୍ରି ନହେଲେ ସଢ଼ିଯାଉଛି। ଜମ୍ବୁ ଅଙ୍ଗୁର ଗୋଟିଏ ଦିନ ପରେ ଏଠି ପହଞ୍ଚୁଥିବାରୁ ଫାଟି ନଷ୍ଟ ହୋଇ ଯାଉଥିବା ଶ୍ରୀ ସ୍ବାଇଁ କହିଛନ୍ତି। ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ, ସେଓ ଚାରିରୁ ପାଞ୍ଚ ଦିନ ରହିବା କଥା। କିନ୍ତୁ ଏହା ପୂର୍ବରୁ ନଷ୍ଟ ହେବା ଆରମ୍ଭ ହେଉଛି। ଆମ୍ବକୁ ବି ରଖି ହେଉନି। ଆମ୍ବ ଅତି କମରେ ୪ରୁ ୫ ଦିନ ରହିବା କଥା। କିନ୍ତୁ ସେତିକି ଦିନ ବି ଆମ୍ବ ରହିପାରୁନାହିଁ। ଦୈନିକ ପାଖାପାଖି ୧୫ ପ୍ରତିଶତ ଫଳ ନଷ୍ଟ ହୋଇଯାଉଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଲମ୍ବା ସମୟ ଧରି ଏଭଳି ଗରମ, ଗୁଳୁଗୁଳି ଲାଗି ରହିଥିବାରୁ ଫଳ ଦର ଯେଉଁ ସମୟରେ କମ ରହିବା କଥା, ସେ ସମୟରେ ଉଚ୍ଚା ରହୁଛି ବୋଲି ବ୍ୟବସାୟୀଙ୍କ ପକ୍ଷରୁ କୁହାଯାଇଛି।