ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଲୁଚକାଳି ଖେଳୁଛି ମହାବଳ ବାଘ। ଏ ଜଙ୍ଗଲରୁ ସେ ଜଙ୍ଗଲ ଘୂରୁଛି। ବାରମ୍ବାର ପାଦଚିହ୍ନ ମିଳୁଥିବା ବେଳେ କିଛି ଘଣ୍ଟା ମଧ୍ୟରେ ମାଇଲ ମାଇଲ ରାସ୍ତା ଅତିକ୍ରମ କରି ବନ ବିଭାଗକୁ ଥକାଇ ସାରିଲାଣି। ପୂର୍ବରୁ ମୁନିଗୁଡ଼ା ଓ ପଦ୍ମପୁର ରେଞ୍ଜ ଅଞ୍ଚଳରେ ବୁଲୁଥିଲା। ଏବେ ଗୁଡ଼ାରି ଜଙ୍ଗଲକୁ ଚାଲିଆସିଛି। ବାଘକୁ କେହି ଦେଖି ନଥିଲେ ହେଁ ସ୍ଥାନୀୟ ଲୋକେ ସନ୍ଦେହ କରି ବନ ବିଭାଗକୁ ସୂଚନା ଦେଇଛନ୍ତି। ଗୁଡ଼ାରି ରେଞ୍ଜ ଅନ୍ତର୍ଗତ ଚାଲିପଡ଼ା ବିଟ୍ ଅଞ୍ଚଳରେ ବାଘ ରହିଥିବା ବନ ବିଭାଗ ମଧ୍ୟ ସନ୍ଦେହ କରିଛି। କାରଣ ଏକାଧିକ ସ୍ଥାନରେ ବାଘର ପାଦଚିହ୍ନ ଠାବ କରାଯାଇଛି। ଏମିତି ସ୍ଥିତିରେ ଭୟରେ ଲୋକଙ୍କ ତାଟିକବାଟ ପଡ଼ିଯାଉଥିବା ବେଳେ ବନ କର୍ମଚାରୀ ଠାବ କରିବାକୁ ନୟାନ୍ତ ହେଲେଣି।

Advertisment

ଦୁଇଦିନ ଧରି ବନ ବିଭାଗର ଏସିଏଫ୍‌ ସନ୍ଦୀପ ପୃଷ୍ଟି, ଗୁଡ଼ାରି ବନ ଅଧିକାରୀ ଦିଲୀପ ପଟ୍ଟନାୟକ, ମୁନିଗୁଡ଼ା ବନ ଅଧିକାରୀ ଅନୀର କୁମାର ବାଲାଙ୍କ ସହ ବନ କର୍ମଚାରୀ ବାଘକୁ ଖୋଜିବାକୁ ଦିନରାତି ଏକ୍‌ କରି ଦେଇଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ବାଘର ଟେର୍‌ ମିଳିନି। ଏପଟେ ବାଘ ଭୟରେ ଲୋକେ ଛାନିଆ ହୋଇ ପଡ଼ିଛନ୍ତି। ବନ ବିଭାଗ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲଗାଇଥିବା ଟ୍ରାପ୍‌ କ୍ୟାମେରାକୁ ମଧ୍ୟ ବାଘ ଚକମା ଦେଇ ସମସ୍ତଙ୍କୁ ଚକିତ କରିଛି। ଆଜି ପର୍ଯ୍ୟନ୍ତ ବାଘର କୌଣସି ଗତିବିଧି କ୍ୟାମେରାରେ କଏଦ୍‌ ହୋଇନି। କୌଣସି ଗୃହପାଳିତ ପଶୁକୁ ମଧ୍ୟ ମହାବଳ ଶିକାର କରିନି। ତେଣୁ ଜଙ୍ଗଲୀ ଜନ୍ତୁ ଖାଇ ବାଘ ବୁଲୁଥିବା ବିଭାଗୀୟ ଅଧିକାରୀ ସନ୍ଦେହ କରୁଛନ୍ତି। ଚାଲିପଡ଼ା ବିଟ୍‌ ଅଞ୍ଚଳର ଲୋକେ ଦିନବେଳା ମଧ୍ୟ ଘରୁ ବାହାରୁ ନାହାନ୍ତି। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ହେଉ ଅବା ଅନ୍ୟାନ୍ୟ କାମରେ ଲୋକେ ଜଙ୍ଗଲକୁ ଆଉ ଯାଉନାହାନ୍ତି। ବାଘର ଦେଖା ମିଳୁ ନଥିବାରୁ ବନ ବିଭାଗ ଓ ଗାଁ ଲୋକଙ୍କ ଅଡ଼ୁଆ ସହ ଚିନ୍ତା ବଢ଼ିବାରେ ଲାଗିଛି। ଗୁଡ଼ାରି ରେଞ୍ଜ ବଡ଼ ଜଙ୍ଗଲ ହୋଇଥିବାରୁ ବାଘ ଏଣେତେଣେ ଘୂରି ବୁଲୁଥିବା କୁହାଯାଉଛି।