ଦଶପଲ୍ଲା: ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଚଡେୟାପଲ୍ଲୀ ପଂଚାୟତର କୁଡୁବାଡି ପାହାଡକୁ ପ୍ରଶାସନ ପକ୍ଷରୁ ମେସର୍ସ ଏସ୍.ଜି.ଏସ୍ ମାଇନ୍ସ ଓ ଇଣ୍ତଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍କୁ ଲିଜ୍ ଦେବାପରେ ଏବେ ବିବାଦ ଆରମ୍ଭ ହୋଇଛି। ଉକ୍ତ ପାହାଡଟି ଚଡେୟାପଲ୍ଲୀ ଓ ଦୁଡା ପଂଚାୟତବାସୀଙ୍କ ଜୀବନ ଜୀବିକା ସହ ଜଡିତ ଥିବାବେଳେ ଏହାକୁ ରାଷ୍ଟୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଦୃଢ ବିରୋଧ କରାଯାଇଛି। ପ୍ରଶାସନ ପକ୍ଷରୁ ଲିଜ୍ ଦେବାପରେ ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବ୍ଲକ ପରିସରରେ ଏହାର ସର୍ବସାଧାରଣ ଶୁଣାଣି କରାଯିବା ସହ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇଛି।

Advertisment

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ରାଜ୍ୟ ନିୟନ୍ତ୍ରଣ ବୋର୍ଡ (ବ୍ରହ୍ମପୁର)ର ଦିପକ କୁମାର ସାହୁ, ଲିଜ୍ଧାରୀ ମ୍ୟାନେଜର ଶରତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲିକଙ୍କ ସମେତ ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ, ବାଣିଗୋଛା ଥାନା ଅଧିକାରୀ ସଂଜୟ କୁମାର ମଲିକ ଓ ପୁଲିସ ପୋର୍ସ ମୁତୟନ କରାଯାଇଥିଲା। ମାତ୍ର ଏହି ଲିଜ୍କୁ ଅଂଚଳବାସୀ ତିବ୍ର ବିରୋଧ କରି ଆସିନଥିବା ବେଳେ ସଂପୃକ୍ତ ସଂସ୍ଥା ପକ୍ଷରୁ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ବିଭାଜନ କରାଯାଇ ହାତ ଗଣତି ୨୦/୨୫ ଜଣ ବ୍ୟକ୍ତିଙ୍କୁ ଭଡାରେ ଆଣି ଏହାର ଶୁଣାଣି କରାଯାଇଥିବା ଦେଖିବାକୁ ମିଳିଛି। ଚଡେୟାପଲ୍ଲୀ ଅଂଚଳରୁ ଆସିଥିବା ନକୁଳ ପାତ୍ର, ସୁରେଶନ ନାୟକ, ତାରାକାନ୍ତ ନାୟକ, ସୁରଥ ନାୟକ ଖଣି ସପକ୍ଷରେ ବକ୍ତବ୍ୟ ରଖିଥିଲେ।

ଏପଟେ କିନ୍ତୁ ଆଦିବାସୀ କୁଇ ଉନ୍ନୟନ ସଂଘର ସମ୍ପାଦକ ଜଗମୋହନ ମଲିକ ଏହି ଖଣିକୁ ତିବ୍ର ବିରୋଧ କରିଛନ୍ତି। ଯେଉଁଠି ଆଦିବାସୀ ମାନେ ବସବାସ କରିବା ପାଇଁ ୪ ଡେସିମେଲ୍ ଜାଗା ପାଇଁ ସ୍ବାଧୀନତାର ୭ ଦଶନ୍ଧି ପରେ ଲଢେଇ କରି ମିଳୁନାହିଁ ସେଠି ପ୍ରଶାସନ କେଉଁ ଅଧିକାରରେ ଅଂଚଳର ଜୈବ ବିବିଧତାକୁ ନଷ୍ଟ କରିବାକୁ ଯାଇ ୩୮.୦୭୭ ହେକ୍ଟର ଜାଗାକୁ ଲିଜ୍ଧାରୀକୁ ଟେକି ଦେଇଛି ବୋଲି ପ୍ରଶ୍ନ କରିଥିଲେ। ଏହି ପାହାଡଟି ଆଦିବାସୀଙ୍କର ଜୀବନ ଜୀବିକା ସହ ଜଡିତ ରହିଛି। କୃଷିପାଇଁ ପାହାଡର ଝରଣା ସହାୟକ ହେଉଛି। ବର୍ଷା ନହେଲେ ଏହି ପାହାଡରେ ପ୍ରକୃତି ଦେବୀଙ୍କୁ ପୂଜାକଲେ ବର୍ଷା ହେବାର ବିଶ୍ବାସ ଅଂଚଳବାସୀଙ୍କ ମଧ୍ୟରେ ରହିଛି। ପାହାଡରେ ଚିତାବାଘ, କୁଟୁରା, ବଜ୍ରକାପ୍ତା, ବାର୍ହା, ମୟୂର, ଝିଙ୍କ, ମାଙ୍କଡ, ଠେକୁଆ ଏବଂ ହାତୀ ପ୍ରଭୃତି ବନ୍ୟଜନ୍ତୁ ସୁରକ୍ଷିତ ଭାବେ ରହିଛନ୍ତି। ପାହାଡକୁ ଭଙ୍ଗାଗଲେ ଜୈବ ବିବିଧତା ଅବକ୍ଷୟ ଘଟିବ। ଦିନେ ସରକାର ପ୍ରକୃତି ସୃଷ୍ଟି କରିନଥିବା ବେଳେ ଏଭଳି ଏକ ପ୍ରାକୃତିକ ସମ୍ଭାରର ଗନ୍ତାଘରକୁ ଭାଙ୍ଗିବାକୁ କାହିଁକି ଆଗେଇ ଆସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

publive-image

ତୁରନ୍ତ ପ୍ରଶାସନ ଏହି ପାହାଡକୁ ଲିଜ୍ମୁକ୍ତ ନକଲେ ଆଗାମୀ ଦିନରେ ଏହାର ତିବ୍ର ବିରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଖାଲି ସେତିକି ନୁହେଁ ଏହି ପାହାଡ ଚତୁପାର୍ଶ୍ବରେ ୨୦ଟି ଗ୍ରାମ ମଧ୍ୟରେ ୬ଟି ବିଦ୍ୟାଳୟ ରହିଛି। ଖଣି ଚାଲିବା ଦ୍ବାରା ରାସ୍ତାଘାଟ ଖରାପ ହେବ, ଶପ୍ସ ପ୍ରଦୂଷଣ ହେତୁ ବନ୍ୟଜନ୍ତୁ ପ୍ରଭାବିତ ହେବେ, ସେଠାକାର ଶହଶହ ଏକର ଚାଷଜମି ଓ ଜଳାଶ୍ରୟ ନଷ୍ଟହେବ ବୋଲି ଅଂଚଳବାସୀ ପ୍ରକାଶ କରିଛନ୍ତି। ପାହାଡକୁ ଲିଜ୍ ଦେବା ପୂର୍ବରୁ କୈାଣସି ଗ୍ରାମରେ ପଲ୍ଲୀସଭା କିମ୍ବା ଗ୍ରାମସଭା କରାନଯାଇ ପଂଚାୟତ ଠାରୁ ପ୍ରାୟ ୪୦ କିମି ଦୂରରେ ହାତ ଗଣତି କିଛି ଲୋକଙ୍କୁ ଭଡାରେ ଆଣି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କରାଯାଇଥିବା ସର୍ବ ସାଧାରଣ ଶୁଣାଣିକୁ ସ୍ଥାନୀୟ ଅଂଚଳବାସୀ ନାପସନ୍ଦ କରିଛନ୍ତି। ଏପଟେ କୈାଣସି ପରିସ୍ଥିତିରେ ଉକ୍ତ ପାହାଡକୁ ଛଡାଯିବ ନାହିଁ ବୋଲି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଜିଲ୍ଲା ସଭାପରି ଶ୍ରୀନିବାସ ଜାନୀ ପ୍ରକାଶ କରିଛନ୍ତି।