ବାସୁଦେବପୁର: ବାଂଲାଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶ ଭୟ ବଢ଼ିଛି। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଭିତରୁ କାହା ଉପରେ ଟିକିଏ ବି ସନ୍ଦେହ ସୃଷ୍ଟିହେଲେ ଲୋକେ ଧରିପକାଉଛନ୍ତି। ଏପରିକି, ପୁଲିସର ଜିମା ଦେବାକୁ ବି ପଛାଉ ନାହାନ୍ତି। ଆଜି ଏହିଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା ଭଦ୍ରକର ବାସୁଦେବପୁର ଅଞ୍ଚଳରେ। ସ୍ଥାନୀୟ ଲୋକ ୬ଜଣ ସନ୍ଦିଗ୍ଧଙ୍କୁ ପୁଲିସର ଜିମା ଦେଇଥିଲେ। ତେବେ, ସେମାନେ ବାଂଲାଦେଶୀ ନୁହନ୍ତି ବୋଲି ଜଣାପଡ଼ିବା ପରେ ପୁଲିସ ସେମାନଙ୍କୁ ଛାଡ଼ିଦେଇଛି। ସୂଚନା ଅନୁସାରେ, ଆଜି ସକାଳେ ହିନ୍ଦୀ ଓ ବଙ୍ଗଳା ଭାଷାରେ କଥା ହେଉଥିବା ୬ଜଣ ଅପରିଚିତ ଯୁବକ ଏକ ଅଟୋରେ ବାସୁଦେବପୁର ବଜାରକୁ ଯାଉଥିବା ବେଳେ ସୂଚନା ପାଇ କେତେକ ସହରବାସୀ ସେମାନଙ୍କୁ ଅଟକାଇଥିଲେ।
ଏହାକୁ ନେଇ କିଛିସମୟ ଧରି ସ୍ଥାନୀୟ ଲୋକ ଓ ସନ୍ଦିଗ୍ଧ ଯୁବକମାନଙ୍କ ମଧ୍ୟରେ ବାକ୍ବିତଣ୍ଡା ହୋଇଥିଲା। ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରୁ ଲୋକେ ଘେରି ସେମାନଙ୍କୁ ଅଟକାଇ ପୁଲିସକୁ ଖବର ଦେଇଥିଲେ। ବାସୁଦେବପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ପରିଚୟପତ୍ର ଦେଖିଥିଲା। ସନ୍ଦେହ ହେବାରୁ ସେମାନଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚରା କରିଥିଲା। ସମସ୍ତେ ବିହାର ରାଜ୍ୟରୁ ଭିକ୍ଷାବୃତ୍ତି କରିବାକୁ ଆସିଥିବା ଜଣାପଡ଼ିବା ପରେ ପୁଲିସ ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।