ଜଙ୍ଗଲରେ ଖାଦ୍ୟ ଅଭାବ, ଗାଁମୁହାଁ ଅଜଗର

୨୦୨୩ରେ ୬୦, ଚଳିତ ବର୍ଷ ଧରା ହେଲେଣି ୫ ସାପ

ମାଲକାନଗିରି: ଜଙ୍ଗଲ ଲୋପ ସାଙ୍ଗକୁ ଖାଦ୍ୟ ଅଭାବ ଯୋଗୁଁ ମାଲକାନଗିରି ସହରମୁହାଁ ହୋଇଛନ୍ତି ଅଜଗର। ପ୍ରତିଦିନ ସହର ଭିତରକୁ ଅନେକ ସାପ ପଶି ଆସୁଛନ୍ତି। କିଛି ଧରା ହେଉଛନ୍ତି, ଅନେକ ଏଣେତେଣେ ବୁଲୁଛନ୍ତି। ବର୍ଷା ବଢ଼ିଲେ ସହରରେ ସାପଙ୍କ ଦୌରାତ୍ମ୍ୟ ବଢ଼ୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ସହରବାସୀ। ବିଷଧର ସାପ ସହିତ ଅଜଗର, ଅହିରାଜ ଭଳି ସାପଙ୍କ କାମୁଡ଼ାରେ ଜିଲ୍ଲାରେ ପ୍ରତି ବର୍ଷ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେଉଛି। ମାଲକାନଗିରି ସହରକୁ ଲାଗି ରହିଛି ମାଲ୍ୟବନ୍ତ ଓ କୋରୁକୋଣ୍ଡା ସଂରକ୍ଷିତ ଜଙ୍ଗଲ। ସତୀଗୁଡ଼ା ଜଳଭଣ୍ଡାର ସହରର ପ୍ରବେଶ ପଥରେ ରହିଛି। ଏଥି ସହିତ ୬୦୦୦ ହେକ୍ଟର ପରିମିତ ଅଞ୍ଚଳରେ ଗୋଇ ପର୍ବତ, ୩ ହଜାର ହେକ୍ଟର ପରିମିତ ଅଞ୍ଚଳରେ ବାଟପୁାଲି ପର୍ବତ ରହିଛି। ଏକଦା ଏହି ସବୁ ଅଞ୍ଚଳରେ ବିରଳ ସରୀସୃପ ସାଙ୍ଗକୁ ବହୁ ବନ୍ୟଜନ୍ତୁ ଥିଲେ। ଧୀରେ ଧୀରେ ଜଙ୍ଗଲ କ୍ଷୟ ହେବାରେ ଲାଗିଥିବାରୁ ବନ୍ୟଜନ୍ତୁ ପ୍ରାୟ ବିଲୁପ୍ତ ହୋଇ ଗଲେଣି। କିନ୍ତୁ ସାପ ବଂଶ ପୂର୍ବ ଭଳି ରହିଛନ୍ତି। ଜଙ୍ଗଲ, ପାହାଡ଼ରେ ରହୁଥିବା ସାପ ଖାଦ୍ୟ ଅଭାବ ପରେ ସହରମୁହାଁ ହେଉଛନ୍ତି। ଆଖପାଖରେ ଥିବା ଗାଁ ଓ ସହରରେ ପଶି ଗୃହପାଳିତ ପଶୁପକ୍ଷୀଙ୍କୁ ସାପ ଟାର୍ଗେଟ କରୁଛନ୍ତି।

୨୦୨୩ରେ ୬୦, ଚଳିତ ବର୍ଷ ଧରା ହେଲେଣି ୫ ସାପ
ପ୍ରତି ବର୍ଷ ସାପ କାମୁଡ଼ାରେ ପ୍ରାଣ ହାରୁଛନ୍ତି ୨୦ରୁ ଊର୍ଦ୍ଧ୍ବ
ବିରଳ ଅହିରାଜ ଉଦ୍ଧାର ପରେ ଭୟର ବାତାବରଣ

ରିପୋର୍ଟ ଅନୁଯାୟୀ, ପ୍ରତି ବର୍ଷ ଅଜଗର ସମେତ ଶତାଧିକ ସାପ ମାଲକାନଗିରି ସହର ମୁହାଁ ହେଉଛନ୍ତି। ୨୦୨୩ରେ ୬୦ରୁ ଊର୍ଦ୍ଧ୍ବ ଅଜଗର ସାପ କେବଳ ମାଲାକନଗିରି ସହରରୁ ଧରା ହୋଇଥିଲେ। ଚଳିତ ବର୍ଷ ଏବେ ସୁଦ୍ଧା ସହରରୁ ୫ଟି ଅଜଗର ଏବଂ ଗୋଟିଏ ବିରାଟ ଅହିରାଜ ସାପ ଉଦ୍ଧାର ହୋଇ ସାରିଲେଣି। ଆଜି ପୁଣି ଏକ ଅଜଗର ସାପ ସହରର ଡି. ଏନ୍‌. ଶର୍ମାଙ୍କ ଘରେ ପଶିଥିଲା। ବିରାଟ ଅଜଗରକୁ ଦେଖି ପରିବାର ଲୋକ ଭୟଭୀତ ହୋଇ ପଡ଼ିଥିଲେ। ତୁରନ୍ତ ସ୍ନେକ ହେଲପ ଲାଇନ୍‌ ସଦସ୍ୟଙ୍କୁ ଡାକି ସାପକୁ କାବୁ କରାଯାଇଥିଲା। ସ୍ନେକ ହେଲପ୍‌ ଲାଇନ୍‌ର ସତ୍ୟଜିତ ଗୌଡ଼, ଶାଣ୍ଟି ତିଵାରୀ, ଉଦୟ ବାଗ, ବଣ୍ଟି ଖଣ୍ଡପାଣୀ ପ୍ରମୁଖ ସାପକୁ କାବୁ କରିଥିଲେ। ଉଦ୍ଧାର ଅଜଗରର ଲମ୍ବ ୯ ଫୁଟ ହୋଇଥିବା ବେଳେ ଓଜନ ୧୫ କେଜି ଥିଲା। ମୌସୁମୀ ପ୍ରଭାବରେ ଆଗକୁ ବର୍ଷା ବଢ଼ିଲେ ଅଧିକ ପରିମାଣର ସାପ ଜଙ୍ଗଲରୁ ମାଲକାନଗିରି ସହରମୁହାଁ ହେବାର ସମ୍ଭାବନା ରହିଛି। ବନ ବିଭାଗ ପକ୍ଷରୁ ସାପ ଗୁଡ଼ିକୁ କାବୁ କରାଯାଇ ପୁଣି ଜଙ୍ଗଲରେ ଛାଡ଼ି ଦିଆଯାଉଛି। ଏମାନଙ୍କୁ ରୋକିବା ଅସମ୍ଭବ ବୋଲି ବନ ବିଭାଗ କର୍ତ୍ତୃପକ୍ଷ କହିଛନ୍ତି। ଖାଦ୍ୟ ଅନ୍ବେଷଣରେ ଏମାନେ ଗାଁ ମୁହାଁ ହେଉଛନ୍ତି।

ସମ୍ବନ୍ଧିତ ଖବର