ଭୁବନେଶ୍ବର: ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧିକୁ ନେଇ ବିଧାନସଭାରେ ଆଜି ସରଗରମ ଆଲୋଚନା ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ଦରଦାମ ବୃଦ୍ଧି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିଲେ। ପାଲଟା ଜବାବ ଦେଇ ଶାସକ ଦଳ ସଭ୍ୟ କହିଥିଲେ, ପୂର୍ବ ସରକାରର ପାପର ଫଳ ଏବେ ଭୋଗିବାକୁ ପଡ଼ୁଛି। ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ, ରାଜ୍ୟ ସରକାରଙ୍କୁ ୮ ମାସ ହେଲାଣି। କେନ୍ଦ୍ରରେ ବିଜେପି ସରକାରକୁ ୧୧ ବର୍ଷ ହେଲାଣି। ଖାଇବା ତେଲ ଠାରୁ ଆରମ୍ଭ କରି ଜୋତା, ଛତା ଯାଏଁ ଦର ବୃଦ୍ଧି ହୋଇଛି। ସ୍ବାସ୍ଥ୍ୟ ବୀମାରେ, କେନ୍ଦୁପତ୍ର ଓ ମୁଢ଼ି ସବୁଥିରେ ଜିଏସ୍ଟି ପଡ଼ୁଛି। ନିର୍ବାଚନ ସରିଲା ପରେ ସରକାର ଅନ୍ଧ, ମୂକ, ବଧୀର ପାଲଟିଗଲେ ଦରଦାମ ବଢ଼ିବା ସ୍ବାଭାବିକ।
ଡବଲ୍ ଇଞ୍ଜିନ୍ ସରକାର ମୁନାଫାଖୋରମାନଙ୍କର ଅଂଶୀଦାର ହୋଇଥିବାରୁ ଦର ବଢ଼ିଛି। ଦରଦାମ ନିୟନ୍ତ୍ରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କର ଦାୟିତ୍ବ ଅଧିକ। କିନ୍ତୁ କେନ୍ଦ୍ର ପଦକ୍ଷେପ ନେଉ ନାହାନ୍ତି। କେନ୍ଦ୍ର ସରକାର ତ ଜଳ, ସ୍ଥଳ ଓ ଆକାଶ କର୍ପୋରେଟ ସଂସ୍ଥାକୁ ବିକି ଦେଉଛନ୍ତି। ସୁଭଦ୍ରା ଯୋଜନାରେ କିଛି ଟଙ୍କା ଓ ଏମ୍ଏସ୍ପିରେ ୮୦୦ ଟଙ୍କା ବୃଦ୍ଧି କରି ଯେତିକି ଲୋକଙ୍କୁ ଦେଉଛନ୍ତି ତାହା ଠାରୁ ଅଧିକ ଦରଦାମ୍ ବୃଦ୍ଧି କରି ନେଇଯାଉଛନ୍ତି। ପେଟ୍ରୋଲ, ଡିଜେଲ୍ ଉପରୁ ଭାଟ୍ ହ୍ରାସ ପାଇଁ ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ଦାବି କରୁଥିଲା। ଏବେ ଭାଟ୍ କମାଇବାରେ ଅସୁବିଧା କେଉଁଠି ରହୁଛି? ଦରଦାମ୍ ନିୟନ୍ତ୍ରଣ ପାଇଁ କେବଳ ଲୋକଦେଖାଣିଆ ଧରପଗଡ଼ କରିଦେଲେ ହେବନି, ଏ ଦିଗରେ ଠୋସ୍ ପଦକ୍ଷେପ ନିଅନ୍ତୁ। ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ଏମାନଙ୍କର ବେପାରୀମାନଙ୍କ ସହ ମଧୁଚନ୍ଦ୍ରିକା ରହିଛି। ଗରିବ ଲୋକଙ୍କ ପାଇଁ ଏମାନଙ୍କର ଆହା ପଦେ ନାହିଁ। ଗୌତମବୁଦ୍ଧ ଦାସ କହିଲେ, ଏବେ ମୁଦ୍ରାସ୍ଫୀତି ଅଧିକ ରହିଛି। ମନ୍ତ୍ରୀ ପୂର୍ବ ଅଧିବେଶନରେ ଯାହା ଉତ୍ତର ଦେଇଥିଲେ ଏଥର ତାହାକୁ ଆଉ ଥରେ ପଢ଼ିଛନ୍ତି।
ଜଳ, ସ୍ଥଳ, ଆକାଶ ସବୁ କର୍ପୋରେଟ୍ ହାଉସକୁ ବିକିଦେଲଣି: ବିରୋଧୀ
ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଦରଦାମ କମ୍: ମନ୍ତ୍ରୀ
କଂଗ୍ରେସ ସଭ୍ୟ ଅଶୋକ ଦାସ କହିଲେ, ବିଜେପି ବିରୋଧୀ ଦଳରେ ଥିଲା ବେଳେ ମହଙ୍ଗାକୁ ବିରୋଧ କରୁଥିଲା। କିନ୍ତୁ ଶାସନକୁ ଆସିଲା ପରେ ବଦଳିଗଲା। ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼ୁଥିଲା ବେଳେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। କେନ୍ଦ୍ର ସରକାର କର୍ପୋରେଟ୍ ଜଗତ କବଳରେ ଅଛନ୍ତି। ସେମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଗରିବ ଓ ମଧ୍ୟବିତ୍ତଙ୍କ ପେଟକୁ ନାତ ମାରୁଛନ୍ତି। କଂଗ୍ରେସ ବିଧାୟକ ସୋଫିଆ ଫିର୍ଦୋସ ମଧ୍ୟ ଦରଦାମ ବୃଦ୍ଧିକୁ ବିରୋଧ କରିଥିଲେ। ଶାସକ ଦଳର ଯୁକ୍ତି ଥିଲା, ନବୀନ ସରକାର ସମୟରେ ଆଳୁ ମିସନ ଫେଲ୍ ହୋଇଥିବାରୁ ଏବେ ରାଜ୍ୟର ଆଳୁ ଦର ଅଧିକ ରହୁଛି। ୨୪ ବର୍ଷର ସରକାର କୌଣସି ଦିଗକୁ ଧ୍ୟାନ ଦେଲେ ନାହିଁ। ଶୀତଳ ଭଣ୍ଡାର ନିର୍ମାଣ ହେଲା ନାହିଁ। ପୂର୍ବ ସରକାରର ପାପର ଫଳ ଏ ସରକାର ଭୋଗୁଛନ୍ତି। କିନ୍ତୁ ନୂଆ ସରକାର ଏ ଦିଗରେ ପଦକ୍ଷେପ ନେଉଛନ୍ତି। ବିଜେପି ସଭ୍ୟ ଇରାଶିଷ ଆଚାର୍ଯ୍ୟ, ମନୋରଞ୍ଜନ ଦ୍ୟାନସାମନ୍ତରାୟ, ସନ୍ତୋଷ ଖଟୁଆ ଓ ପଦ୍ମଲୋଚନ ପଣ୍ଡା ଆଲୋଚନାରେ ଭାଗ ନେଇଥିଲେ।
ଆଲୋଚନାର ଉତ୍ତର ରଖି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ସରକାର ସମ୍ବେଦନଶୀଳ ଅଛନ୍ତି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଦରଦାମ କମ୍। ବିରୋଧୀ କେବଳ ବିଭ୍ରାନ୍ତ କରୁଛନ୍ତି। ପୂର୍ବ ସରକାର ୨୪ ବର୍ଷରେ କିଛି କଲେନି। ଓଡ଼ିଶାକୁ ଗତ ସରକାର ବୁଡ଼େଇ ଦେଇଛନ୍ତି। ପଶ୍ଚିମବଙ୍ଗରେ ହଜାର ହଜାର ଶୀତଳଭଣ୍ଡାର ଅଛି। ତେଣୁ ଆମେ ତାଙ୍କ ଉପରେ ଆଳୁ ପାଇଁ ନିର୍ଭରଶୀଳ। ଏବେ ମୁଦ୍ରାସ୍ଫୀତି ୭.୧୩ ରହିଛି। କିନ୍ତୁ ବିରୋଧୀ ବଢ଼େଇ ବଢ଼େଇ କହୁଛନ୍ତି। ସରକାର ଧାନ ଉପରେ ୮୦୦ ଟଙ୍କା ସବ୍ସିଡି ଦେବା ପରେ ଚାଷୀମାନେ ଖୁସି ଅଛନ୍ତି। ଖାଉଟିମାନେ ସୁଲଭ ମୂଲ୍ୟରେ କିପରି ସାମଗ୍ରୀ ପାଇବେ, ତାହାକୁ ଧ୍ୟାନ ଦିଆଯାଉଛି। କୌଣସି ଦ୍ରବ୍ୟର ଯେପରି କଳାବଜାରୀ ନହେବ, ସେଥି ପାଇଁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/14/THiy4ogBXd6RFZu1Pz9s.jpg)