ଭୁବନେଶ୍ବର: ଦର୍ଶକଙ୍କ ଅନୁରୋଧ କ୍ରମେ ପୁଣି ଥରେ ମଞ୍ଚସ୍ଥ ହେଉଛି ‘ଚକଲେଟ୍ ପ୍ରଡକସନ୍ସ’ ନିବେଦିତ ବହୁଚର୍ଚ୍ଚିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’। ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ଆସନ୍ତା ଜୁଲାଇ ୮,୯ ଓ ୧୦ ତିନିଦିନ ଧରି ସଂଧ୍ୟା ୬ଟାରେ ଏହା ପ୍ରଦର୍ଶିତ ହେବ। ଆଗ୍ରହୀ ଦର୍ଶକ ‘ବୁକ୍ ମାଇଁ ସୋ’ ୱେବସାଇଟ୍ ମାଧ୍ୟମରେ ନାଟକର ଅଗ୍ରିମ ଟିକେଟ୍ କିଣିବା ଆରମ୍ଭ କରିଛନ୍ତି। ନାଟକ ଦେଖିବା ଲାଗି ଦର୍ଶନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଥିବା ହେତୁ ଟିକେଟ୍ ବୁକିଂ ଉତ୍ସାହଜନକ ଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏଥର ‘ଆହେ ନୀଳଶଇଳ’ର ପ୍ରତି ଟିକେଟର ମୂଲ୍ୟ ୩୦୦ ଟଙ୍କା ରହିଛି। ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଏହି ନାଟକକୁ ରଥଯାତ୍ରା ସମୟରେ ଶ୍ରୀଜିଉଙ୍କ ସଂଧ୍ୟାଦର୍ଶନ, ବାହୁଡା ଓ ସୁନାବେଶ ଦିନ ମଞ୍ଚସ୍ଥ କରାଯାଉଛି। ଜଗନ୍ନାଥଙ୍କୁ ମୋଗଲ ଶାସକଙ୍କ କବଳରୁ ରକ୍ଷା କରିବା ପାଇଁ ଗଜପତିଙ୍କୁ କେତେ ଯେ କଷଣ ସହିବାକୁ ପଡ଼ିଛି, ତାହା ହେଉଛି ‘ଆହେ ନୀଳଶଇଳ’ର ପୃଷ୍ଠଭୂମି। ଏହି ନାଟକ ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ତଥା ପୂରା ପ୍ରକଳ୍ପର ତତ୍ତ୍ବାବଧାରକ ‘ସମ୍ବାଦ ଗ୍ରୁପ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହନ୍ତି, ‘ପ୍ରଥମ ଥର ନାଟକ ଯେପରି ଦର୍ଶକଙ୍କ ମନକୁ ଛୁଇଁଥିଲା, ଏଥର ମଧ୍ୟ ଠିକ ସେହିପରି ହେବ, ସେ ନେଇ ଆମେ ଖୁବ୍ ଯତ୍ନବାନ ଅଛୁ।’
ସୂଚନାଯୋଗ୍ୟ, ୨୦୨୨ ଏପ୍ରିଲ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ପ୍ରଦର୍ଶିତ ହୋଇ ‘ଆହେ ନୀଳଶଇଳ’ ବିପୁଳ ଦର୍ଶକ ସମର୍ଥନ ହାସଲ କରିଥିଲା। ତେବେ ବହୁ ଆଗ୍ରହୀ ଦର୍ଶକ ନାଟକ ଦେଖିବାରୁ ବଞ୍ଚିତ ହୋଇଥିଲେ। ସେବେଠାରୁ ପୁଣି ଥରେ ‘ଆହେ ନୀଳଶଇଳ’ର ପ୍ରଦର୍ଶନ ଲାଗି ନାଟ୍ୟପ୍ରେମୀ ମହଲରୁ ଅନୁରୋଧ ହୋଇ ଆସୁଥିଲା।
ଅଷ୍ଟାଦଶ ଶତାବ୍ଦୀ ଓଡ଼ିଶାର ଏକ ଚର୍ଚ୍ଚିତ ଅଧ୍ୟାୟକୁ ଆଧାର କରି ‘ଚକଲେଟ୍ ପ୍ରଡକ୍ସସନ୍ସ’ ପକ୍ଷରୁ ‘ଆହେ ନୀଳଶଇଳ’ ନାଟକ ପ୍ରସ୍ତୁତ କରାଯାଇଛି। ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମର ବିଷଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନରକ୍ଷା ଲାଗି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବ ଅକଥନୀୟ ଅତ୍ୟାଚାରର ଶିକାର ହୋଇଛନ୍ତି ତାହା ନାଟକରେ ଉପସ୍ଥାପନ ହୋଇଛି। ଏହାର କାହାଣୀ କଥାସମ୍ରାଟ୍ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ।
ଖିମଜୀ ଜୁଏଲର୍ସ ଉପସ୍ଥାପିତ ‘ଆହେ ନୀଳଶଇଳ’ ନାଟକ ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ.ପ୍ରତିମା ହୋତା। ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବୀରେନ୍ ରାୟ। ଏଥିରେ ଅଭିନେତା ଲରେନ୍ସ ଗଜପତି ରାମଚନ୍ଦ୍ର ଦେବ, ସୋଫିଆ ଆଲମ୍ ମହାରାଣୀ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ବହୁ ପ୍ରମୁଖ କଳାକାର ଅନ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ‘ବୁକ୍ ମାଇଁ ସୋ’ ବ୍ୟତୀତ 9853035104 ନମ୍ବରକୁ ଯୋଗାଯୋଗ କରି ନାଟକର ଅଗ୍ରିମ ଟିକେଟ କ୍ରୟ କରିହେବ ବୋଲି ପ୍ରଯୋଜନା ସଂସ୍ଥା ‘ଚକଲେଟ୍ ପ୍ରଡକସନ୍ସ’ ପକ୍ଷରୁ ଜଣାଯାଇଛି ।