ଢେଙ୍କାନାଳ: ‘ମୁଁ ଚାରି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ରାଜନୀତିରେ ରହିଛି। ଅନେକ ନିର୍ବାଚନ ଲଢ଼ିଛି। ମୋତେ ଗଲାଥର ସରକାରୀ କଳ ଲଗାଇ ହରାଇ ଦିଆଗଲା। ଏଥର ମୋତେ ହତ୍ୟା କରିବାକୁ ଷଡ଼୍ଯନ୍ତ୍ର ଚାଲିଛି। ମୋତେ ଏହାର ଆଭାସ ମିଳୁଛି। ଏ ପର୍ଯ୍ୟନ୍ତ ମୋତେ ଜିଲ୍ଲା ପୁଲିସ ପକ୍ଷରୁ ସୁରକ୍ଷାକର୍ମୀ ଦିଆଯାଇନାହିଁ।’ ‘ସମ୍ବାଦ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବର୍ତ୍ତମାନର ବିଜେପି ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ରନାରାୟଣ ପାଣି। ରୁଦ୍ର କହିଛନ୍ତି, ସେ ଶାସକ ଦଳ ବିରୋଧରେ ଲଢ଼େଇ କରୁଛନ୍ତି। ୨୦୧୬ରୁ ଜଣେ କନିଷ୍ଠ ସଚିବଙ୍କ ବିଷୟରେ ସତ ଉଗାଳି ଚାଲିଛନ୍ତି। ତେଣୁ ତାଙ୍କୁ ଟାର୍ଗେଟ୍ କରାଯାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସୁସମ୍ପର୍କ ଯୋଗୁଁ ଗଲାଥର ସରକାରୀ କଳ ଲଗାଇ ତାଙ୍କୁ ହରାଇ ଦିଆଯାଇଥିଲା। ବିଜେପି ବିଧାୟକ ପ୍ରାର୍ଥୀମାନେ ଯେତିକି ଭୋଟ୍ ପାଇଥିଲେ ତା’ଠାରୁ ସେ ଅଧିକ ଭୋଟ୍ ପାଇଥିଲେ। ଏଥର ମଧ୍ୟ ଓଡ଼ିଶାରେ ପରିବର୍ତ୍ତନର ହାୱା ଆରମ୍ଭ ହୋଇଛି।
ତୃଣମୂଳସ୍ତରରୁ ସେ ପରିବର୍ତ୍ତନର ସଙ୍କେତ ମିଳୁଛି। ବିଜେପି ଏଥର ରାଜ୍ୟରେ ନିଶ୍ଚିତ ସରକାର ଗଠନ କରିବ ବୋଲି ରୁଦ୍ର କହିଛନ୍ତି। ସମସ୍ତ ଲୋକସଭା ଆସନରେ ବିଜେପି ବିଜୟୀ ହେବ। ଢେଙ୍କାନାଳ ସାଂସଦ ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀମାନେ ଜିତିବେ। ଲୋକେ ପରିବର୍ତ୍ତନ ପାଇଁ ମନ ବଳାଇଥିବାରୁ ଏଥର ମୋଦୀ ସୁନାମି ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ୧୯୯୧ ମସିହାରେ ସେ ମୁଖ୍ୟସ୍ରୋତ ରାଜନୀତିରେ ରହିଛନ୍ତି। ଅନେକ ନିର୍ବାଚନ ଲଢ଼ିଛନ୍ତି ଓ ରାଜନୀତିକୁ ପାଖରୁ ଦେଖିଛନ୍ତି। ଏବେ ବିଜେଡିର ଏକ୍ସପାଏରି ତାରିଖ ସରିବା ପାଖେଇ ଆସିଲାଣି। ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାକୁ ଯେଉଁ ଦୃଢ଼ୋକ୍ତି ଦେଖାଇଛନ୍ତି, ତାହା ନିଶ୍ଚିତ ଫଳପ୍ରଦ ହେବ। ଓଡ଼ିଶାରେ ବିଜେପି ସରକାର ହେବାରୁ କେହି ଅଟକାଇ ପାରିବେ ନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhhshsshf.jpg)