ଭୁବନେଶ୍ବର: ଓଡିଶାରେ ଡିସେମ୍ବର ଦ୍ବିତୀୟ ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଆମକୁ ଏବେଠୁ ସତର୍କ ରହି କାର୍ଯ୍ୟ କରିବାକୁ ପଡିବ। ଆଜି ସାପ୍ତାହିକ କୋଭିଡ୍ ମୁକାବିଲା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏଭଳି ସତର୍କ କରାଇଛନ୍ତି। ସିଧା ସିଧା କହିଛନ୍ତି ଯେ ଆମକୁ ଅଧିକ ସତର୍କ ରହିବାକୁ ପଡିବ। ଏ କ୍ଷେତ୍ରରେ ସାମାନ୍ୟ ଢିଲାପଣ ଆଦୌ ଗ୍ରହଣୀୟ ନୁହେଁ। କେବଳ ସେତିକି ନୁହେଁ, ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡାଇବାକୁ ହେଲେ ଆଦୌ କୋହଳ ମନୋଭାବ ପୋଷଣ ନ କରି ପୂର୍ବଭଳି କୋଭିଡ୍ ନିୟମ ଯେମିତିକି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ହାତ ଧୋଇବା ଆଦି ବ୍ୟବସ୍ଥାକୁ କଡାକଡି ଭାବରେ ଜାରି ରଖିବାକୁ ପଡିବ। ଲକ୍ଡାଉନ ପରି କଠିନ ପରିସ୍ଥିତିକୁ ଏଡାଇବା ପାଇଁ ଏହାହିଁ ଶ୍ରେଷ୍ଠ ଉପାୟ ବୋଲି କୁହାଯାଇପାରେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦିଓ ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ କମିଛି ଏବଂ ଏହା ସନ୍ତୋଷଜନକ। ତଥାପି ଓନାମ୍ ପର୍ବ ପାଳନ ପରେ କେରଳରେ ଯେଉଁ ପରିସ୍ଥିତି ଉପୁଜିଲା, ଦିଲ୍ଲୀରେ ବର୍ତମାନ ଯେଉଁ ଅବସ୍ଥା ଦେଖାଦେଲେଣି, ସେକଥାକୁ କେହି ଭୁଲିଯିବା ଉଚିତ୍ ନୁହେଁ। ଆଗକୁ ଦୀପାବଳି ଆସୁଥିବାରୁ ଠିକ୍ ଦୁର୍ଗାପୂଜା ଭଳି ସମସ୍ତଙ୍କୁ ଶୃଙ୍ଖଳା ଓ ସଂଯମ ରକ୍ଷା କରି ପର୍ବ ପାଳନ କରିବାକୁ ହେବ।
କୋଭିଡ ପରବର୍ତ୍ତୀ ଯତ୍ନ ଉପରେ ଗୁରୁତ୍ବ, ସ୍ବତନ୍ତ୍ର ପ୍ରୋଟୋକଲ୍ ପାଇଁ ନିର୍ଦେଶ
ଟିକାକରଣରେ ନିୟୋଜିତ ହେବେ ୩ ଲକ୍ଷ କର୍ମଚାରୀ, ୩୭୫୨ ସଂସ୍ଥା
ଡିେସମ୍ବରରେ ପୁରୀ, ସମ୍ବଲପୁର ଓ ବାଲେଶ୍ବରରେ ହେବ ସେରୋ ସର୍ଭେ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୀପାବଳି କଟକଣା ତଦାରଖ କରିବା ପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲାଗସ୍ତ କରିବାକୁ ନିର୍ଦେଶ ଦେଇଥିଲେ। ସମସ୍ତ କଟକଣା ଯେଭଳି କଡ଼ାକଡି ଭାବେ ପାଳନ ହୁଏ, ତାହା ନିଶ୍ଚିତ କରିବା ଲାଗି ଜିଲ୍ଲାପାଳ ଓ ଏସ୍.ପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋଭିଡ୍ ପରବର୍ତ୍ତୀ ସମସ୍ୟା ଏବେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ଘଟଣା ସଂପର୍କରେ ସୂଚାଇଥିଲେ ମୁଖ୍ୟମନ୍ତ୍ରୀ। ସେ କହିଥିଲେ, କୋଭିଡରେ ଆକ୍ରାନ୍ତ ବ୍ୟକ୍ତିମାନେ ସୁସ୍ଥ ହେବା ପରେ ପରବର୍ତ୍ତୀ ସମୟରେ ସେମାନଙ୍କ ଠାରେ କେତେକ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଛି। ତେଣୁ ସ୍ବାସ୍ଥ୍ୟ ବିଭାଗ ପରିସ୍ଥିତି ଉପରେ ନଜର ରଖିବା ସହିତ ଉପଯୁକ୍ତ ପ୍ରୋଟୋକଲ୍ ପ୍ରସ୍ତୁତ କରିବାକୁ ହେବ। ଏଥିପାଇଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ।
ଅନ୍ୟପକ୍ଷରେ କୋଭିଡ୍ ଜନିତ ଆର୍ଥିକ ଶିଥିଳତା ସମୟରେ ଗରିବ ଲୋକମାନେ ଯେଭଳି ବିଶେଷ ପ୍ରଭାବିତ ନ ହେବେ, ତାକୁ ଦୃଷ୍ଟିରେ ରଖି ଜୀବିକା କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଥିଲେ। ବିଶେଷକରି ମନରେଗା, ମିସନ ଶକ୍ତି, ସହରାଞ୍ଚଳରେ ମଜୁରୀ ଭିତ୍ତିକ ନିଯୁକ୍ତି କାର୍ଯ୍ୟକ୍ରମ ଯେଭଳି ବ୍ୟାହତ ନ ହେବ, ସେ ନେଇ ଦୃଷ୍ଟି ଦେବା ଲାଗି ବିଭିନ୍ନ ବିଭାଗର ସଚିବଙ୍କୁ ନିର୍ଦେଶ ଦେଇଥିଲେ। ମିସନ ଶକ୍ତି,ଏମ୍ଏସ୍ଏମ୍ଇ ଓ ଚାଷୀଙ୍କୁ ଠିକ୍ ସମୟରେ ଋଣ ଯୋଗାଇବା ଉପରେ ଧ୍ୟାନ ଦେବା ଲାଗି ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ରାଜ୍ୟରେ କୋଭିଡ୍ ପରବର୍ତ୍ତୀ ଯତ୍ନ ପାଇଁ ପ୍ରୋଟୋକଲ୍ ପ୍ରସ୍ତୁତ କରିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି ବୋଲି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ସେହିପରି ବ୍ୟାପକ ଟିକାକରଣକୁ ଦୃଷ୍ଟିରେ ରଖି କୋଲ୍ଡ ଚେନ୍ ଓ ଡାଟାବେସ୍ କାମ ଜାରି ରହିଛି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।
କୋଭିଡ୍ ପରିଚାଳନା ସ୍ଥିତି ସଂପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ସାରା ଦେଶରେ ପ୍ରତି ୧୦ ଲକ୍ଷରେ ୮୩ ହଜାର ପରୀକ୍ଷା ହେଉଥିବା ବେଳେ, ଆମ ରାଜ୍ୟରେ ୧ ଲକ୍ଷ ୨ ହଜାର ଟେଷ୍ଟିଂ କରାଯାଇଛି। ଜାତୀୟ ସ୍ତରରେ ଆରୋଗ୍ୟ ହାର ୯୨ ପ୍ରତିଶତ ଥିବାବେଳେ, ଆମ ରାଜ୍ୟରେ ଏହା ୯୫.୩୨ ପ୍ରତିଶତରେ ପହଞ୍ଚିଛି। ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇ ୦.୪୬ ପ୍ରତିଶତ ରହିଛି।
ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିଅରିଂ କମିଟି ଗଠନ କରାଯାଇଥିବା ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟାସ୍କେଫାର୍ସ ଏବଂ ଜିଲ୍ଲାପାଳ ମାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଟାସ୍କଫୋର୍ସ ଗଠନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଟିକାକରଣ ନିମନ୍ତେ ୩୭୫୨ଟି ସରକାରୀ ଓ ଘରୋଇ ପ୍ରତିଷ୍ଠାନ ଚିହ୍ନଟ କରାଯାଇଥିବା ବେଳେ ୩ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି ସ୍ବାସ୍ଥ୍ୟ ସଚିବ କହିଥିଲେ। ସେହିପରି ପୁରୀ, ସମ୍ବଲପୁର ଓ ବାଲେଶ୍ବରରେ ଆଗାମୀ ଡିସେମ୍ବରରେ ସେରୋ ସର୍ଭେ କରାଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/naveen.jpg)