ଧାର୍ଯ୍ୟ ସମୟରେ ଇସିଆରପି-୨ ପୂରଣ ନେଇ ଆଶଙ୍କା

ଅନୁମୋଦିତ ପାଣ୍ଠିର ଖର୍ଚ ହୋଇଛି ମାତ୍ର ୫% ପ୍ରତିଶତ
୩୧ ସୁଦ୍ଧା ସବୁ ଜିଲ୍ଲାରେ ଶିଶୁରୋଗ ୟୁନିଟ୍‌ କାର୍ଯ୍ୟକ୍ଷମ ହେବ ତ?

ଭୁବନେଶ୍ୱର : ରାଜ୍ୟ‌ରେ କରୋନାର ସମ୍ଭାବ୍ୟ ତୃତୀୟ ଲହରର ଉପଯୁକ୍ତ ମୁକାବିଲା ହୋଇପାରିବ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଲାଣି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ତୃତୀୟ ଲହର ପାଇଁ ଗଠିତ ଜରୁରୀକାଳୀନ କୋଭିଡ ରେସପନ୍‌ସ ପ୍ୟାକେଜ୍(ଇସିଆରପି)-୨ ଧାର୍ଯ୍ୟ ସମୟ ଭିତରେ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅର୍ଥ ଥାଇ ମଧ୍ୟ ରାଜ୍ୟ ସରକାର ଖର୍ଚ କରିପାରି ନାହାନ୍ତି। ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଏହାକୁ ନଜରରେ ରଖି ଚଳିତମାସ ୩୧ତାରିଖ ସୁଦ୍ଧା ଶିଶୁଙ୍କ ପାଇଁ ସ୍ବତନ୍ତ୍ରଭାବେ ୟୁନିଟ୍‌ ପ୍ରସ୍ତୁତ ଲାଗି ଜିଲ୍ଲାମାନଙ୍କୁ କୁହାଯାଇଥିଲା। ହେଲେ ଏସବୁର ସ୍ଥିତି କ’ଣ ତାହା ଅନ୍ଧାରରେ ରହିଛି।

ଇସିଆରପି-୨ରେ କୋଭିଡ କେୟାର କେନ୍ଦ୍ର, ଶିଶୁରୋଗ ଆଇସିୟୁ, ଅକ୍ସିଜେନ ଯୋଗାଣ, ଗୁରୁତର ରୋଗୀଙ୍କ ଗମନାଗମନ, ଡାଏଗ୍ନୋଷ୍ଟିକ୍‌ ଓ ଟେଲିମେଡିସିନ୍ ହବ୍ ଇତ୍ୟାଦି ପାଇଁ ଅର୍ଥ ଖର୍ଚ ପାଇଁ ନିଷ୍ପତ୍ତି ହୋଇଛି। ଏଥିରେ କେନ୍ଦ୍ର ସରକାର ୫୧୭,୧୮ କୋଟି ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ୩୪୪.୭୮‌କୋଟିକୁ ମିଶାଇ ସମୁଦାୟ ୮୬୧.୯୬ କୋଟି ଟଙ୍କା ଖର୍ଚ ହେବ। ତହିଁରୁ ପ୍ରକଳ୍ପ ଅନୁମୋଦିତ ପ୍ଲାନ୍‌ରେ ୭୯୦.୬୯ କୋଟି ଟଙ୍କା ଅନୁମୋଦିନ ହୋଇଛି। ଗତମାସ ସୁଦ୍ଧା ଏଥିରୁ ୪୨.୪୯ କୋଟି ଅର୍ଥାତ୍ ୫.୩୭ ପ୍ରତିଶତ ଅର୍ଥ ଖର୍ଚ ହୋଇଛି। ଆସନ୍ତା ମାର୍ଚ ୩୧ ସୁଦ୍ଧା ଇସିଆରପି-୨ର ଅବଧି ରହିଛି। ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଫେବ୍ରୁଆରି ଶେଷ ସପ୍ତାହରେ ରାଜ୍ୟରେ କରୋନାର ତୃତୀୟ ଲହର ଶୀର୍ଷ ସଂକ୍ରମଣ ହୋଇପାରେ ବୋଲି ସୂଚନା ଦିଆଯାଇଛି। ରାଜ୍ୟ ସରକାର ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ରଭାବେ ଶଯ୍ୟା ସଂରକ୍ଷିତ କରାଯାଇଥିବା ଦାବି କରୁଛନ୍ତି। ମାତ୍ର ପ୍ରକଳ୍ପର ଅବଧି ଶେଷ ହେବାକୁ ଆଉ ୩ମାସ ଥିବା ବେଳେ ଜିଲ୍ଲାସ୍ତରରେ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ୟୁନିଟ୍‌ ପ୍ରତିଷ୍ଠା ଜାଗା ସମସ୍ୟାରେ ଲଟକିଛି। କରୋନାର ଦୁଇ ଲହର ସମୟରେ ରାଜ୍ୟରେ ନମୁନା ପରୀକ୍ଷା, ହସ୍ପିଟାଲ ଶଯ୍ୟା ନେଇ ଯେଉଁ ସମସ୍ୟାର ପାହାଡ଼ ସୃଷ୍ଟି ହୋଇଥିଲା। ତେଣୁ ତୃତୀୟ ଲହର ସମୟରେ ସମାନ ସ୍ଥିତି ଉପୁଜିବ ଆଶଙ୍କାକୁ ଏଡ଼ାଇ ଦେଇ‌ ହେବନାହିଁ।

ନିକଟରେ ସ୍ବାସ୍ଥ୍ୟ ବିଭାଗର ହୋଇଥିବା ‌ବୈଠକରେ ଦେବଗଡ଼, କଟକ, ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବତନ୍ତ୍ର ଶିଶୁରୋଗ ୟୁନିଟ୍‌ ପାଇଁ ଜାଗା ଚିହ୍ନଟ କରି ୩୧ତାରିଖ ସୁଦ୍ଧା ଏସବୁ ଜିଲ୍ଲାରେ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି କୁହାଯାଇଛି। କେବଳ ଏସବୁ ଜିଲ୍ଲା ନୁହେଁ, କଟକ ଶିଶୁ ଭବନକୁ ମଧ୍ୟ ପ୍ରସ୍ତୁତ ରଖିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ରାଜ୍ୟର ୧୫ଟି ସ୍ଥାନରେ ୫୦ ଶଯ୍ୟା ବିଶିଷ୍ଟ ଫିଲ୍‌ଡ ହସ୍ପିଟାଲ ନିର୍ମାଣରେ ଜାଗା ସମସ୍ୟା ସୃଷ୍ଟି ହୋଇଥିବା ନଜରକୁ ଆସିଛି। ତେଣୁ ଏସବୁର ନିର୍ଦ୍ଦିଷ୍ଟ ସ୍ଥାନ ସଂପର୍କରେ ପୂର୍ତ ବିଭାଗକୁ ସୂଚନା ଦିଆଯିବ। ସେହିପରି ଟେଲିମେଡିସିନ୍‌କୁ ସୁଦୃଢ଼ କରିବା ଲାଗି ଜିଲ୍ଲାସ୍ତରରେ ଏଥିପାଇଁ ଆବଶ୍ୟକ କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ କିଣାଯିବ। ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ ଏ ନେଇ ଆବଶ୍ୟକ ସହାୟତା ପ୍ରଦାନ କରାଯିବ। ସେହିପରି ହସ୍ପିଟାଲ ଏମ୍‌ଆଇଏସ୍‌(ଇ-ଶୁଶ୍ରୁତ) ପାଇଁ ଆଇଟି ବିଭାଗ ଆବଶ୍ୟକ ଆଇଟି ଭିତ୍ତିଭୂମି ଯୋଗାଇ ଦେବାକୁ ବୈଠକରେ କୁହାଯାଇଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଦେବଗଡ଼, କଟକ, ନୟାଗଡ଼ ଓ ନୟାଗଡ଼ ଜିଲ୍ଲାରେ ସ୍ବତନ୍ତ୍ର ଶିଶୁରୋଗ ୟୁନିଟ୍‌ ପାଇଁ ଜାଗା ଚିହ୍ନଟ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟ ଚାଲିଛି। ମାତ୍ର କିଛି ଜିଲ୍ଲାରେ ଏବେ ବି ଚହ୍ନଟ ଅପେକ୍ଷାରେ ରହିଛି। ୩୧ ତାରିଖ ପରେ ସବୁକିଛି ସ୍ପଷ୍ଟ ହୋଇପାରିବ। ଅନ୍ୟ ରାଜ୍ୟମାନେ ଏଥିରେ ଟଙ୍କା ଅନୁମୋଦନ କରି ନ ଥିବା ବେଳେ ଓଡ଼ିଶା ଏଥିରେ ଆଗରେ ରହିଛି। ମାର୍ଚ ବେଳକୁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି ଶେଷ ହୋଇଥିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର