ନଦୀ ଥାଇ ବି ମେଣ୍ଟୁନି ଜିଲ୍ଲାବାସୀଙ୍କ ଶୋଷ

ଅନୁଗୁଳ: ଓଡ଼ିଶାର ଦୁଇ ପ୍ରମୁଖ ନଦୀ ମହାନଦୀ ଓ ବ୍ରାହ୍ମଣୀ ଅନୁଗୁଳ ଜିଲ୍ଲା ଦେଇ ଯାଇଛି। ହେଲେ, ଏ ପର୍ଯ୍ୟନ୍ତ ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାଣି ମୁନ୍ଦେ ମିଳୁନି। ପ୍ରତି ଘରକୁ ଟ୍ୟାପ୍‌ରେ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ସରକାର ଢେର ଦିନ ହେଲା କେବଳ ସ୍ବପ୍ନ ଦେଖାଇଚାଲିଛନ୍ତି। ମେଗା ଜଳପ୍ରକଳ୍ପ କରି ଘରେ ଘରେ ପାଣି ଦେବାକୁ ଯୋଜନା ବି ହୋଇଛି। ହେଲେ ବିଭିନ୍ନ କାରଣ ପାଇଁ ଏହା ଅଟକି ରହିଥିଲାବେଳେ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ପାଣି ଅଭାବରେ ଛଟପଟ ହେଉଛନ୍ତି। ଶିଳ୍ପ ସଂସ୍ଥାକୁ ପାଣି ଦେବା ପାଇଁ ସରକାର ଓ ପ୍ରଶାସନ ଯେଉଁ ଆଗ୍ରହ ଦେଖାଉଛନ୍ତି, ଲୋକଙ୍କୁ ପିଇବା ପାଣି ଦେବାପାଇଁ ଏତେଟା ଗୁରୁତ୍ବ ଦେଉ ନ ଥିବାରୁ ଲୋକଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଛି।

ଅନୁଗୁଳ ଜିଲ୍ଲାରେ ଜଳ ଉତ୍ସର ଅଭାବ ନାହିଁ। ରାଜ୍ୟର ବୃହତ୍ତମ ନଦୀ ମହାନଦୀ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଅନୁଗୁଳ ବ୍ଲକ ଦେଇ ପ୍ରବାହିତ ହୋଇଛି। ନଦୀଠାରୁ ଅଳ୍ପ ଦୂରତାରେ କିଶୋରନଗର ବ୍ଲକ୍ ରହିଛି। ଏପଟେ ବ୍ରାହ୍ମଣୀ ବି ଜିଲ୍ଲାର ଛାତି ଉପରେ ଯାଇଛି। କଣିହାଁ ଓ ତାଳଚେର ବ୍ଳକ୍‌ ଦେଇ ଏହି ନଦୀ ଯାଇଥିଲା‌ବେଳେ ଛେଣ୍ଡିପଦା, ପାଳଲହଡ଼ା ଓ ବଅଁରପାଳ ବ୍ଲକ୍‌ ନଦୀଠାରୁ ଅଳ୍ପ ଦୂରତାରେ ରହିଛି। ପୁଣି ବ୍ରାହ୍ମଣୀ ଉପରେ ରେଙ୍ଗାଳିରେ ଏକ ଡ୍ୟାମ୍ ଓ ସମଲଠାରେ ଏକ ବ୍ୟାରେଜ ନିର୍ମାଣ କରି ଜଳ ଗଚ୍ଛିତ ରଖାଯାଇଛି। ଏଠାରୁ ଜିଲ୍ଲାର ବିଭିନ୍ନ ଶିଳ୍ପସଂସ୍ଥାକୁ ଅନବରତ ପାଣି ଯୋଗାଇ ଦିଆଯାଉଛି। ହେଲେ ଲୋକମାନଙ୍କ ପାଇଁ ପାନୀୟ ଜଳର ଅଭାବ ରହିଛି। ଜିଲ୍ଲାବାସୀଙ୍କୁ ଏହି ଦୁଇ ନଦୀରୁ ପାଣି ଦେବା ପାଇଁ ଯୋଜନା ହୋଇଛି ସିନା, ଏ ପର୍ଯ୍ୟନ୍ତ ଲୋକଙ୍କୁ ପାଣି ମୁନ୍ଦେ ମିଳିପାରୁନାହିଁ।

ଖଣି ଖାଦାନ ପାଇଁ ତାଳଚେର, କଣିହାଁ ଓ ଛେଣ୍ଡିପଦାରେ ଭୂତଳ ଜଳ ମିଳିବାରେ ସମସ୍ୟା ହେଉଛି। ଅବଶିଷ୍ଟ ଅଞ୍ଚଳରେ ମଧ୍ୟ ଭଲ ମାନର ପାନୀୟ ଜଳ ମିଳୁନି। ତେଣୁ ଜଳଜନିତ ରୋଗର ଶିକାର ହେଉଛନ୍ତି ଜିଲ୍ଲାବାସୀ। ବିଶେଷକରି ବିଭିନ୍ନ ବ୍ଲକ୍‌ରେ କିଡ୍‌ନିରୋଗ ଆତଙ୍କ ସୃଷ୍ଟି କରି ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ୩ଟି ମେଗା ଜଳଯୋଗାଣ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥିରୁ ତାଳଚେର, ଛେଣ୍ଡିପଦା ଓ ପାଳଲହଡ଼ା ବ୍ଳକର ସବୁ ଗାଁ ସମେତ କଣିହାଁ ଓ ବଅଁରପାଳ ବ୍ଲକର କିଛି ଗାଁକୁ ପାଣି ଯୋଗାଇବା ପାଇଁ ଯୋଜନା କରାଯାଇଥିଲା।

ଫଳରେ ପାଖାପାଖି ୫ ଲକ୍ଷ ଲୋକ ଉପକୃତ ହୋଇପାରିବେ। ସମଲ ବ୍ୟାରେଜରୁ ବ୍ରାହ୍ମଣୀ ପାଣି ଆଣି ତା‌ଳଚେର, ଛେଣ୍ଡିପଦା ଓ ପାଳଲହଡ଼ା ବ୍ଳକର ସବୁ ପଞ୍ଚାୟତକୁ ଏହି ଯୋଜନାରେ ପାଣି ଯୋଗାଇ ଦିଆଯିବ। ସେହିପରି କଣିହାଁ ବ୍ଲକର ୯ଟି ପଞ୍ଚାୟତ ଓ ବଅଁରପାଳ ବ୍ଲକର କିଛି ପଞ୍ଚାୟତ ଏହି ପ୍ରକଳ୍ପରୁ ଫାଇଦା ପାଇବେ। କିନ୍ତୁ ବିଭିନ୍ନ କାରଣ ପାଇଁ ଏ ପର୍ଯ୍ୟନ୍ତ ଏହି ୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିନାହିଁ। ଛେଣ୍ଡିପଦା ଓ ତାଳଚେରରେ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲାବେଳେ ପାଳଲହଡ଼ାରେ ଅଧପନ୍ତରିଆ ହୋଇ ପଡ଼ିଛି। ମାର୍ଚ୍ଚ ସୁଦ୍ଧା ଏହି ୩ ପ୍ରକଳ୍ପ ଶେଷ କରି ଲୋକଙ୍କୁ ପାଣି ଦେବାକୁ ଯୋଜନା କରାଯାଇଥିଲାବେଳେ ଏଥିରୁ ଲୋକେ ପାଣି ପାଇବାକୁ ଆହୁରି ଅନ୍ୟୂନ ବର୍ଷେ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

ଅପରପକ୍ଷରେ ଆଠମଲ୍ଲିକ ଓ କିଶୋରନଗର ବ୍ଲକ ପାଇଁ ମହାନଦୀରେ ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣର ଯୋଜନା ହୋଇଛି। ପ୍ରଥମ ପ୍ରକଳ୍ପରୁ କିଶୋରନଗର ବ୍ଳକର ୨୩ଟି ପଞ୍ଚାୟତ ଓ ଆଠମଲ୍ଲିକ ବ୍ଳକର ୩ଟି ପଞ୍ଚାୟତକୁ ପାଣି ମିଳିବ। ଦ୍ବିତୀୟ ପ୍ରକଳ୍ପରୁ ଆଠମଲ୍ଲିକ ବ୍ଲକର ୨୧ଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଇ ଦିଆଯିବ। ଏହି ଦୁଇ ପ୍ରକଳ୍ପ ପାଇଁ ୩୯୬.୨୭ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ୨୪ ମାସ ଭିତ‌ରେ ଏହି କାମ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ହେଲେ ଏହି ଦୁଇ ପ୍ରକଳ୍ପ କେବଳ ଟେଣ୍ଡର ପ୍ରକ୍ରିୟା ଭିତରେ ଅଟକି ରହିଛି।

ଅପରପକ୍ଷରେ ଅନୁଗୁଳ ଓ ବଅଁରପାଳ ବ୍ଳକକୁ ପାନୀୟ ଜଳଯୋଗାଣ ପାଇଁ ଆଉ ଦୁଇଟି ମେଗା ପ୍ରକଳ୍ପ ମଧ୍ୟ ନିର୍ମାଣ କରାଯିବ। ଟିକରପଡ଼ାର ଗଇଁଦି ନିକଟରୁ ମହାନଦୀରୁ ପାଣି ଅଣାଯାଇ ଏହା ଅନୁଗୁଳ ବ୍ଲକ୍‌ର ବିଭିନ୍ନ ଗାଁକୁ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ଅନୁଗୁଳ ପ୍ରକଳ୍ପ ପାଇଁ ୩୦୪ କୋଟି ଓ ବଅଁରପାଳ ପ୍ରକଳ୍ପ ପାଇଁ ୧୦୮ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। ହେଲେ ଏହି ଦୁଇ ପ୍ରକଳ୍ପ ପାଇଁ ଏ ପର୍ଯ୍ୟନ୍ତ ଟେଣ୍ଡର ବି କରାଯାଇନି।
ଏଥିନେଇ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବି.ଆର. ପଣ୍ଡା କହିଛନ୍ତି ଯେ ଛେଣ୍ଡିପଦା ବ୍ଲକ ପାଇଁ ନିର୍ମାଣାଧୀନ ପ୍ରକଳ୍ପ ପ୍ରାୟ ‌ଶେ‌ଷ ହୋଇଗଲାଣି। ସେହିପରି ପାଳଲହଡ଼ା ଓ ତାଳଚେର ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଡିସେମ୍ବର ସୁଦ୍ଧା ଛେଣ୍ଡିପଦା ଓ ତାଳଚେର ପ୍ରକଳ୍ପରୁ ସବୁ ଲୋକଙ୍କୁ ପାଣି ମିଳିବ। ପାଳଲହଡ଼ା ପ୍ରକଳ୍ପରୁ ମାର୍ଚ୍ଚ ସୁଦ୍ଧା ଲୋକମାନେ ପାଣି ପାଇବେ। ଏପଟେ କି‌ଶୋରନଗର ଓ ଆଠମଲ୍ଲିକ ବ୍ଲକର ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଥିଲାବେଳେ ଅନୁଗୁଳ ଓ ବଅଁରପାଳ ବ୍ଳକର ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ମିଳିଛି।

ସମ୍ବନ୍ଧିତ ଖବର