ବଜାରରେ ବିଅର୍ ଅଭାବ: ମାସକୁ ବେପାର ୩୩୦ କୋଟି

କଟକ : ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ବିଅର ଅଭାବ ସୃଷ୍ଟି ହୋଇଛି। ଗ୍ରୀଷ୍ମ ଋତୁରେ ରାଜ୍ୟରେ ମାସକୁ ହାରାହାରି ୩୩୦ କୋଟି ଟଙ୍କାର ବିଅର ଗ୍ରାହକ ପିଉଛନ୍ତି। ଏଥିରୁ କେବଳ ନିର୍ଦ୍ଦିଷ୍ଟ ଏକ ବ୍ରାଣ୍ଡ୍‌ର ବିଅର୍ ୧୬୫ କୋଟି ଟଙ୍କାର ବ୍ୟବସାୟ କରୁଛି। କିନ୍ତୁ ବଜାରରେ ଏବେ ଏହି ଚାହିଦା ଥିବା ବ୍ରାଣ୍ଡର ବିଅର୍ ପର୍ଯ୍ୟାପ୍ତ ମିଳିପାରୁନାହିଁ। ଅଣଚାହିଦା ବ୍ରାଣ୍ଡର ବିଅରକୁ ବାଧ୍ୟବାଧକତାରେ ମଦ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ଦିଆଯାଉଛି। ଏହି ବିଅର୍ ପ୍ରତି ଗ୍ରାହକଙ୍କ ଚାହିଦା ନଥିବାରୁ ବିଅର ବିକ୍ରି ହେଉନାହିଁ। ବିଅର ବିକ୍ରି ହେଉନଥିବାରୁ ମାସିକିଆ ଏମଜିକ୍ୟୁ ପୂରଣ କରିବା ପାଇଁ ମଦ ବ୍ୟବସାୟୀମାନେ ନାକେଦମ୍ ହେଲେଣି। ଚାହିଦା ଥିବା ବିଅର୍ ବଜାରକୁ ନଛାଡ଼ିବା ପଛରେ କି ପ୍ରକାର ଉଦ୍ଦେଶ୍ୟ ରହିଛି, ତାହାକୁ ନେଇ ବ୍ୟବସାୟୀମାନେ ପ୍ରଶ୍ନ କଲେଣି।

ସୂଚନା ଅନୁଯାୟୀ, ବିଅରର ଏମଜିକ୍ୟୁ(ମିନିମମ୍‌ ଗ୍ୟାରେଣ୍ଟେଡ୍ କ୍ବାଣ୍ଟିଟି) ଭୁବନେଶ୍ବର ସହର ପାଇଁ ଦୋକାନ ପିଛା ୧୫ ଶହ ପେଟି ଥିବା ବେଳେ କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବରର ଭଳି ପୌର ନିଗମ ଅଞ୍ଚଳ ପାଇଁ ଏମଜିକ୍ୟୁ ୮୫୦ ପେଟି, ଗ୍ରାମାଞ୍ଚଳ ପାଇଁ ୪୦୦ ପେଟି ରହିଛି। ସେହିଭଳି ଯାଜପୁର, କେନ୍ଦ୍ରାପଡ଼ା ଭଳି ପୌରାଞ୍ଚଳ ପାଇଁ ସ୍ବତନ୍ତ୍ର ଏମଜିକ୍ୟୁ ସ୍ଥିର କରାଯାଇଛି। ମାସକ ଭିତରେ ନହେଲେ ବି ବର୍ଷକ ଭିତରେ ଜଣେ ମଦ ବ୍ୟବସାୟୀ ଧାର୍ଯ୍ୟ ପରିମାଣର ଏମଜିକ୍ୟୁ କୋଟା ପୂରଣ କରିବାକୁ ବାଧ୍ୟ। ବର୍ଷା ଓ ଶୀତ ଋତୁରେ ମାସିକ ଅଧା ପେଟି ବି ବିଅର ବିକ୍ରି କରିବା କଷ୍ଟକର ହୋଇପଡ଼େ। ସେଥିପାଇଁ ମାର୍ଚ୍ଚ, ଏପ୍ରିଲ, ମେ, ଜୁନ୍ ୧୪ ତାରିଖ ଯାଏ ୪ ମାସ ଖରା ଦିନେ ମଦ ବ୍ୟବସାୟୀମାନେ ପୂରା ବର୍ଷର ଏମଜିକ୍ୟୁର ୮୦ ପ୍ରତିଶତ ପୂରଣ କରିଦିଅନ୍ତି। ଅବଶିଷ୍ଟ ଏମଜିକ୍ୟୁ ବର୍ଷ ସାରା ପୂରଣ ହୁଏ।

India Today

ଖରା ଦିନେ ରାଜ୍ୟରେ ମାସକୁ ୨୦ ଲକ୍ଷ ପେଟି ବିଅର୍ ଆବଶ୍ୟକ ପଡୁଛି। ସେଥିରୁ ନିର୍ଦ୍ଦିଷ୍ଟ ଭାବେ ଚାହିଦା ଥିବା ଗୋଟିଏ କମ୍ପାନିର ବିଅର୍‌ ୧୦ ଲକ୍ଷ ପେଟି ଆବଶ୍ୟକ ପଡୁଛି। କିନ୍ତୁ ଏହି ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ର ବିଅର୍ ବଜାରରେ ପହଞ୍ଚି ପାରୁନଥିବା ମଦ ବ୍ୟବସାୟୀମାନେ ଖୋଲାଖୋଲି ଅଭିଯୋଗ କରିଛନ୍ତି। ଯେଉଁ ମଦର ଚାହିଦା ବଜାରରେ ନାହିଁ, ତାକୁ ଓଏସବିସି(ଓଡ଼ିଶା ରାଜ୍ୟ ପାନୀୟ ନିଗମ) ପକ୍ଷରୁ ବାଧ୍ୟ କରି ମଦ ବ୍ୟବସାୟୀଙ୍କୁ ଦିଆଯାଉଛି। ଏହି ବିଅର୍ ଗ୍ରାହକ କିଣୁ ନଥିବାରୁ ମଦ ବ୍ୟବସାୟୀମାନେ ବାର୍ଷିକ ବିଅରର ଏମଜିକ୍ୟୁ କୋଟା ପୂରଣ କରିପାରୁନାହାନ୍ତି। ଏହି କାରଣରୁ ରାଜ୍ୟରେ ପାଖାପାଖି ୮୦ ପ୍ରତିଶତ ବ୍ୟବସାୟୀ ଏମଜିକ୍ୟୁ ପୂରଣ କରିପାରୁନାହାନ୍ତି। ଯେତିକି ବିଅର ଏମଜିକ୍ୟୁ ମଦ ବ୍ୟବସାୟୀଙ୍କର ବାକି ପଡ଼ିଛି, ଆସନ୍ତା ଦୁଇବର୍ଷ ଭିତରେ ତାହା ଶେଷ ହେବା ବି କଷ୍ଟକର ହୋଇପଡ଼ିବ ବୋଲି ବ୍ୟବସାୟୀମାନେ ଅଭିଯୋଗ ଆଣିଛନ୍ତି। ଏମଜିକ୍ୟୁ କୋଟା ପୂରଣ ନହେଲେ ମଦ ବ୍ୟବସାୟୀ ଡ୍ୟୁଟିର ୨୦୦ ପ୍ରତିଶତ ଜରିମାନା ସରକାରଙ୍କ ନିକଟରେ ପୈଠ କରିବେ।

ରାଜ୍ୟରେ ପାରାଦୀପ, ବଲାଙ୍ଗୀର, ଟାଙ୍ଗୀରେ ଥିବା ଗୋଟିଏ ଲେଖାଏ ଓ ଖୋର୍ଧାରେ ଦୁଇଟି ଲେଖାଏ ବିଅର୍ ଫ୍ୟାକ୍ଟ୍ରି ରହିଛି। ସର୍ବାଧିକ ବିଅର୍ ଖୋର୍ଧାରୁ ମାସିକ ୧୫ ଲକ୍ଷ ପେଟି ଉତ୍ପାଦନ ହେଉଛି। କିନ୍ତୁ ଏହି ବିଅର୍ ଫ୍ୟାକ୍ଟ୍ରିରୁ ବିଅର୍ ମଦ କାଉଣ୍ଟରରେ ଚାହିଦା ଅନୁଯାୟୀ ପହଞ୍ଚିପାରୁ ନାହିଁ। ରାଜ୍ୟରେ ଥିବା ଠିପି ଖୋଲା, ଠିପି ବନ୍ଦ, ପୁଲିସ ଓ ଆର୍ମି କ୍ୟାଣ୍ଟିନ୍, କ୍ଲବକୁ ମିଶାଇ ମୋଟ ୨ ହଜାର ୮୨ ମଦ ଦୋକାନରେ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ବିଅର ପହଞ୍ଚି ପାରୁନଥିବାରୁ ମଦ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର