ଢେଙ୍କାନାଳ : ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଉନ୍ନତ କରିବାକୁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବା କହୁଛନ୍ତି। ହେଲେ ଢେଙ୍କାନାଳ ଜିଲ୍ଲାରେ ବହୁ ସଂଖ୍ୟାରେ ଡାକ୍ତର ପଦ ଫାଙ୍କା ପଡ଼ିଥିବା ବେଳେ ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି। ଫଳରେ ରୋଗୀସେବା ବ୍ୟାହତ ହେଉଥିବା ବେଳେ ଜିଲ୍ଲାବାସୀ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରି ଅଜଥା ଖର୍ଚ୍ଚାନ୍ତ ହୋଇ ହଇରାଣ ହେଉଛନ୍ତି।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୨ଟି ଡାକ୍ତର ପଦ ରହିଛି। ସେଥିରୁ ମାତ୍ର ୩୧ଟି ପଦରେ ଡାକ୍ତର ରହିଥିବା ବେଳେ ଅନ୍ୟଗୁଡିକ ଫାଙ୍କା ପଡ଼ିଛି। ମୁଖ୍ୟ ଚିକିତ୍ସାଳୟର ପରିବାର କଲ୍ୟାଣ ବିଭାଗ, ଯକ୍ଷ୍ମା ଓ କୁଷ୍ଠ ନିରାକରଣ ବିଭାଗରେ ଆଦୌଁ ଡାକ୍ତର ନଥିବା ଜଣାପଡ଼ିଛି। ଏଫ୍ଏମ୍ଟି ବିଭାଗ ଡାକ୍ତର ଉମାକାନ୍ତ ଖେଜୁରିଆ ଭିଜିଲାନ୍ସ ହାତରେ ଧରାପଡ଼ିବାରୁ ୨୦୨୨ ଜୁଲାଇ ମାସରୁ ନିଲମ୍ବିତ ହୋଇଛନ୍ତି। ଛାତି ଓ ଯକ୍ଷ୍ମା ବିଭାଗ ଡାକ୍ତର ଆଦିତ୍ୟ କୁମାର ରାୟ ୨୦୧୬ରୁ ଲମ୍ବା ଛୁଟିରେ ଯାଇଛନ୍ତି ଯେ ଆଉ ଫେରିନାହାନ୍ତି। ସେହିପରି ଅନ୍ୟ କେତେକ ଡାକ୍ତର ମଧ୍ୟ ଟ୍ରେନିଂରେ ଯାଇ ଆଉ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ଏହି ୩୧ ଜଣ ଡାକ୍ତରଙ୍କ ମଧ୍ୟରୁ ଯେଉଁମାନେ ରାତ୍ରି ଡିୟୁଟି କରିଥାନ୍ତି, ସେମାନଙ୍କୁ ସପ୍ତାହରେ ଗୋଟିଏ ଦିନ ଛୁଟି ଦିଆଯାଏ। ଏହାବ୍ୟତୀତ ବିଭିନ୍ନ କାର୍ଯ୍ୟ ନେଇ ଡାକ୍ତରମାନେ ଛୁଟିରେ ରହୁଥିବାରୁ ଚିକିତ୍ସାଳୟରେ ଡାକ୍ତର ଅଭାବ ରହିଛି। ତେବେ ଆବଶ୍ୟକ ଡାକ୍ତର ଅଭାବରୁ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ବର୍ହିଃ ବିଭାଗ (ଓପିଡ଼ି) ସହ ଚିକିତ୍ସାଳୟର ଅନ୍ୟ ବିଭାଗଗୁଡ଼ିକରେ ଜଣେ ଡାକ୍ତରଙ୍କ ଦ୍ୱାରା ରୋଗୀସେବା ସମ୍ଭବ ହେଉନାହିଁ। ୩ ଶହ ଶଯ୍ୟା ଓ ୭ ମହଲା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଅନୁଯାୟୀ ଡାକ୍ତର ନିଯୁକ୍ତ କରାଯାଉ ନାହିଁ। ଫଳରେ ବହୁ ସଂଖ୍ୟାରେ ରୋଗୀ ଏଠାକୁ ଆସୁଥିଲେ ମଧ୍ୟ ଉତ୍ତମ ରୋଗୀସେବା ନପାଇ ନିରାଶ ହେଉଛନ୍ତି।
ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ୟତୀତ ଜିଲ୍ଲାରେ ମୋଟ ୨୯୪ଟି ମଞ୍ଜୁରୀ ପାପ୍ତ ଡାକ୍ତର ପଦବି ରହିଛି। ସେଥିମଧ୍ୟରୁ ୧୦୪ଟି ପଦବିରେ ଡାକ୍ତର ରହିଥିବା ବେଳେ ୧୯୦ ଟି ପଦ ଫାଙ୍କା ପଡ଼ିଛି। ୩ ଜଣ ଡାକ୍ତରଙ୍କୁ ଡେପୁଟେସନ୍ରେ ଅନ୍ୟ ଡାକ୍ତରଖାନାକୁ ପଠାଯାଇଛି। ଗତ ୨୦୨୦ ଓ ୨୦୨୨ରୁ ୩ ଜଣ ଡାକ୍ତର ଲମ୍ବା ଛୁଟିରେ ଯାଇଛନ୍ତି। ସେମିତି କିଛି ଡାକ୍ତର ଉଚ୍ଚଶିକ୍ଷା ପାଇଁ ଯାଇଥିବା ଜଣାପଡ଼ିଛି। ଅଲ୍ଟ୍ରା ସାଉଣ୍ଡ କୋର୍ସ କରିବା ଲାଗି ୨ ଜଣ ଡାକ୍ତର କଟକ ଯାଇଛନ୍ତି। ସମଗ୍ର ଜିଲ୍ଲାରେ ମଧ୍ୟ ଆବଶ୍ୟକତାରୁ କମ୍ ଡାକ୍ତର ରହିଥିବାରୁ ଡାକ୍ତର ସଙ୍କଟ ସୃଷ୍ଟି ହୋଇଛି। ସେହିଭଳି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ୧୮ ଜଣଙ୍କ ଡାକ୍ତରଙ୍କ ସ୍ଥାନରେ ମାତ୍ର ୫ ଜଣ ଡାକ୍ତର ରୋଗୀ ଦେଖୁଛନ୍ତି। ହେଲେ ସେମାନଙ୍କ ମଧ୍ୟରୁ ୪ ଜଣ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡେପୁଟେସନ୍ରେ ଯାଇଥିବା ବେଳେ ଜଣେ ଇସ୍ତଫା ଦେଇଛନ୍ତି। ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ୧୮ ଜଣ ଡାକ୍ତରଙ୍କ ବଦଳରେ ମାତ୍ର ୮ ଜଣ ଡାକ୍ତର ରହିଛନ୍ତି। ସଦର ବ୍ଲକ୍ ବେଲ୍ଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୭ଟି ପଦବିରୁ ୧୧ଟି ଫାଙ୍କା ପଡ଼ିଛି। ମାତ୍ର ୬ ଜଣ ଡାକ୍ତର ଏବେ କାର୍ଯ୍ୟରତ ଅଛନ୍ତି। ଓଡ଼ାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫ଟି ପଦରୁ ୪, ହିନ୍ଦୋଳ ବ୍ଲକ୍ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୬ଟି ଡାକ୍ତର ପଦରୁ ୮, କଙ୍କଡ଼ାହାଡ଼ ବ୍ଲକ୍ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫ଟି ଡାକ୍ତର ପଦବିରୁ ୬, ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ରପୁର ଗାଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୭ଟି ଡାକ୍ତର ପଦରୁ ମାତ୍ର ୪ଟି ପଦବିରେ ଡାକ୍ତର ରହିଛନ୍ତି। ଠିକ୍ ସେମିତି ପର୍ଜଙ୍ଗ ବ୍ଲକ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୬ଟି ପଦବିରୁ ୫, କାମାକ୍ଷାନଗର ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪ଟି ପଦବି ମଧ୍ୟରୁ ୬, ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ଟି ପଦରୁ ୩, ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫ଟି ପଦରୁ ୪ଟି ପଦବିରେ ଡାକ୍ତର ରହିଛନ୍ତି। ସେଥିମଧ୍ୟରେ ଜଣେ ଡାକ୍ତର ଚାକିରିରୁ ଇସ୍ତଫା ଦେଇଥିବା ବେଳେ ଅନ୍ୟଜଣେ ଅଲ୍ଟ୍ରାସାଉଣ୍ଡ ଟ୍ରେନିଂ ପାଇଁ ଯାଇଥିବା ଜଣାପଡ଼ିଛି।
ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଡାକ୍ତର ମରୁଡ଼ି ଦେଖାଦେଇଛି। ଡାକ୍ତର ଅଭାବ ପାଇଁ ସରକାରୀ ଡାକ୍ତରଖାନାମାନଙ୍କରେ ରୋଗୀସେବା ବ୍ୟାହତ ହେଉଛି। ଯାହା ଫଳରେ ରୋଗୀ ବାଧ୍ୟରେ ଜିଲ୍ଲାପାର ହୋଇ ଡାକ୍ତର ଦେଖାଇବାକୁ ଯାଉଛନ୍ତି। ନହେଲେ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ନ ପାଇ ଘରୋଇ ଡାକ୍ତରଖାନାରେ ଅର୍ଥଶ୍ରାଦ୍ଧ କରୁଛନ୍ତି। ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଆଲୋଡ଼ନ ଖେଳିଯାଇଛି। ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ଲୋକେ ଦାବି କରିଛନ୍ତି।