ଶ୍ରୀମନ୍ଦିର ସୁରକ୍ଷାରେ ବି ଦୁର୍ନୀତି: କାଗଜପତ୍ରରେ ୧୯୧, ବାସ୍ତବରେ କାମ କରୁଛି ୬ଟି ସିସିଟିଭି

ପୁଲିସ ମୁଣ୍ଡାଇଥିଲା ସୁରକ୍ଷା ଦାୟିତ୍ବ, ବ‌ର୍ଷେ ତଳେ ଖର୍ଚ୍ଚ ହୋଇଥିଲା ୮୦ ଲକ୍ଷ

ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ପରେ ମନ୍ଦିର ସୁରକ୍ଷାରେ ଥିବା ଚରମ ଅବହେଳା ପଦାରେ ପଡ଼ିଛି। ନିୟୋଜିତ ମାଳମାଳ ଅଧିକାରୀ କେମିତି ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ ମୁଣ୍ଡାଇଥିଲେ, ତାହା ଅଭିଯୁକ୍ତ ଜଗନ ଧରା ପକାଇ ଦେଇଛି। ସେପଟେ ଏହାଠାରୁ ଆଉ ଅଧିକ ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣା ହେଉଛି, ସୁରକ୍ଷା ଆଳରେ ବଡ଼ ବଡ଼ ଦୁର୍ନୀତି ବି କରାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ବର୍ଷେ ତଳେ ପ୍ରାୟ ୮୦ ଲକ୍ଷ ଟଙ୍କା ସିସିଟିଭି ଲଗାଇବାରେ ଖର୍ଚ୍ଚ କରାଯାଇଥିଲେ ବି ଏହା କେବଳ କାଗଜକଲମରେ ଚାଲିଛି। ୧୯୧ଟି ସିସିଟିଭି ଲଗାଯାଇଥିବା କାଗଜପତ୍ରରେ ଦର୍ଶା ଯାଇଥିଲେ ବି ମାତ୍ର ୬ଟି ସିସିଟିଭି ଶ୍ରୀମନ୍ଦିରରେ କାମ କରୁଥିବା ଜଣାପଡ଼ିଛି। ଏତେ ବଡ଼ ଦୁର୍ନୀତି ପୁଲିସର ସୁରକ୍ଷା ବ୍ୟବସ୍ଥା ତଥା ଦୁର୍ନୀତିଖୋର ମନୋବୃତ୍ତିକୁ ଧରା ପକାଇ ଦେଇଛି। ଯାହା ଭକ୍ତ ଓ ସେବାୟତ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।
ମିଳିଥିବା ସୂଚନା ମୁତାବକ, ପୂର୍ବରୁ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରହିଥିଲା। ଏହାର କଣ୍ଟ୍ରୋଲ ରୁମ୍‌ ଟାଉନ୍‌ ଥାନା ପରିସରରେ ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ଖର୍ଚ୍ଚ ଭରଣା କରିଥିଲା ଓ ଠିକା ସଂସ୍ଥା ଭାବେ ପୁଲିସ ହାଉସିଂ ‌କର୍ପୋରେସନ୍‌ ଏହି କାମ କରିଥିଲା। କିନ୍ତୁ ପ୍ରଳୟଙ୍କରୀ ବାତ୍ୟା ‘ଫନି’ରେ ଏହି ସିସିଟିଭି ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା। ଟାଉନ୍‌ ଥାନା

କଣ୍ଟ୍ରୋଲ ରୁମ୍‌ ଛାରଖାର ହୋଇଯାଇଥିଲା। ପବନ ମାଡ଼ରେ ଏହାର ଟାୱାର ଗଳି ପଡ଼ିଥିଲା। ଏହି ଭିତ୍ତିଭୂମି ସଜାଡ଼ିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପୁଣିଥରେ ଜିଲ୍ଲା ପୁଲିସକୁ ଦାୟିତ୍ବ ଦେଇଥିଲା। ଜିଲ୍ଲା ପୁଲିସ ପୁଲିସ ହାଉସିଂ ‌କପୋରେସନ୍‌କୁ ଏହାର ଟେଣ୍ଡର ଦେଇଥିଲା। ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ସିସିଟିଭି ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଥିବା କୁହାଯାଇଥିଲା। ପୁଲିସ ହାଉସିଂ କର୍ପୋରେସନ୍‌ ଏହି ଟଙ୍କାରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ୧୯୧ଟି ସିସିଟିଭି ଲଗାଇଥିବା ଦର୍ଶାଇଥିଲା। ଏହାର କଣ୍ଟ୍ରୋଲ ରୁମ୍‌ ଟାଉନ୍‌ ଥାନା ପରିସରରେ ରହିବ ବୋଲି କୁହାଯାଇଥିଲା। କିନ୍ତୁ ସ୍ଥିତି ସମ୍ପଳର୍ଣ୍ଣ ଭିନ୍ନ। ଯେଉଁ ୧୯୧ ସିସିଟିଭି କଥା କୁହାଯାଉଛି, ତାର ନାଁ ଗନ୍ଧ ନାହିଁ। ମାତ୍ର ୬ଟି ସିସିଟିଭି ଏତେ ବଡ଼ ଶ୍ରୀମନ୍ଦିରକୁ ଜଗୁଛି। ଟାଉନ୍‌ ଥାନାରେ ଯେଉଁ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ ବୋଲି କୁହାଯାଉଥିଲା, ତାକୁ ସମୟ ପରେ ସମୟ ଗଡ଼ାଇ ଚାଲିଛି ଜିଲ୍ଲା ପୁଲିସ ଓ ପୁଲିସ ହାଉସିଂ କର୍ପୋରେସନ୍‌। କେବଳ ୬ଟି ସିସିଟିଭିର କଣ୍ଟ୍ରୋଲ ରୁମ୍‌ ସିଂହଦ୍ବାର ଫାଣ୍ଡିରେ ଖୋଲି ଦେଇ ଜିଲ୍ଲା ପୁଲିସ ଚୁପ୍‌ ବସିଛି। ସେପଟେ ମାସିକ ରକ୍ଷଣାବେକ୍ଷଣ ନେବାରେ ପୁଲିସ ହାଉସିଂ କର୍ପୋରେସନ୍‌ ଊଣା ବି କରୁନି।

ସୁରକ୍ଷାର ମାନବସମ୍ବଳ ଉପରେ ନଜର ପକାଇଲେ, ଶ୍ରୀମନ୍ଦିର ପ୍ରଶାସନ ଜିଲ୍ଲା ପୁଲିସକୁ ଏହି ଦାୟିତ୍ବ ନ୍ୟସ୍ତ କରିଛି। ଏଥିପାଇଁ ବାର୍ଷିକ କୋଟି କୋଟି ଟଙ୍କା ବି ଖର୍ଚ୍ଚ କରୁଛି। ଯେଉଁ ଖର୍ଚ୍ଚରେ ଜିଲ୍ଲା ପୁଲିସ ଶ୍ରୀମନ୍ଦିର ଭିତରେ ଓ ବାହାରେ ପୁଲିସ ନିଯୋଜିତ କରୁଛି। ସେପଟେ ଓଏସ୍‌ଏପି ସୁରକ୍ଷା ଦାୟିତ୍ବ ନେଇଛି। ଏଥିପାଇଁ ସୁରକ୍ଷା ଦାୟିତ୍ବରେ ଓଏସ୍‌ଏପିର ଜଣେ ଆସିଷ୍ଟାଣ୍ଡ୍‌ କମାଣ୍ଡାଣ୍ଡଙ୍କ ସହ ସୁବେଦାର, ଡେପୁଟି ସୁବେଦାର, ମେଜର ହାବିଲ୍‌ଦାର, ହାବିଲ୍‌ଦାର, କନ୍‌ଷ୍ଟେବଳ ବି ରହିଛନ୍ତି। ଏମାନେ ଶ୍ରୀମନ୍ଦିରର ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ବଡ଼ କଥା‌ ହେଉଛି, ଏହି ଅଧିକାରୀଙ୍କ ପାଇଁ ବି ଶ୍ରୀମନ୍ଦିର ପ୍ରଶାସନ ମୋଟା ଅଙ୍କର ଟଙ୍କା ଜିଲ୍ଲା ପୁଲିସ ଓ ଓଏସ୍‌ଏପିଙ୍କୁ ଗଣୁଛି। କିନ୍ତୁ କାମ ଘର ଶୂନ୍‌। କେହି ବି ନିଜ କାମ ଠିକ୍‌ ଢ଼ଙ୍ଗରେ କରୁନାହାନ୍ତି। ସୁରକ୍ଷାକୁ ପାଦରେ ଆଡ଼େଇ ଦେଇ କେବଳ ଅତିଥି ଚର୍ଚ୍ଚାରେ ସମସ୍ତେ ମାତିଛନ୍ତି। ଯାହା ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କୁ ବିପଦ ଭିତରକୁ ‌ଠେଲି ଦେଇଛି। ଏଭଳି ସ୍ଥିତିରେ କେବଳ ଜେଟିପିଙ୍କୁ ଦୋଷ ଦେଇ ବଡ଼ ବଡ଼ ଅଧିକାରୀମାନେ ଖସିଯିବାକୁ ଉଦ୍ୟମ କରୁଛନ୍ତି। ଭକ୍ତ ଜାଣିବା ଦରକାର ଯେ ଜେଟିପିଙ୍କ ପ୍ରମୁଖ ଦାୟିତ୍ବ ହେଉଛି ନୀତିକାନ୍ତି ଶୃଙ୍ଖଳିତ କରିବା। କେଉଁ ସେବାୟତ ଶ୍ରୀମନ୍ଦିରକୁ ଯାଉଛନ୍ତି, ସେମାନଙ୍କୁ ଚିହ୍ନଟ କରିବା। କିନ୍ତୁ ସୁରକ୍ଷା ଦାୟିତ୍ବ ସମ୍ପୂର୍ଣ୍ଣ ଭାବେ ଜିଲ୍ଲା ପୁଲିସ ଓ ଓଏସ୍‌ଏପି ଦ୍ବାରା ନିୟୋଜିତ ଅଧିକାରୀଙ୍କ ଉପରେ ନ୍ୟସ୍ତ। ତଥାପି ଶ୍ରୀମନ୍ଦିର ସୁରକ୍ଷା ଦିଗରେ ଅବହେଳା ପରେ ଅବହେଳା ହିଁ କରାଯାଉଛି। ଏ ସମ୍ପର୍କରେ ଖୁଣ୍ଟିଆ ନିଯୋଗ ସଭାପତି ହଜୁରି କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଶ୍ରୀମନ୍ଦିର କାହାରି ପୈତୃକ ସମ୍ପତ୍ତି ନୁହେଁ। ଏହା ଅଗଣିତ ଭକ୍ତ ସମାଜର।

ଆଜି ରୋଷଘରେ ପଶି ଚୁଲି ଭଙ୍ଗାରୁଜା କରାଗଲା। ଯଦି କେହି ବୋମା ଫିଙ୍ଗି ଦେଇଥାନ୍ତା, ରୋଷ ପାଇଁ ପାଣି ଯାଉଥିବା କୂଅରେ ବିଷ ଢ଼ାଳି ଦେଇଥାନ୍ତା, ‌ତେବେ ପରିସ୍ଥିତି କ’ଣ ହୋଇଥାନ୍ତା। ସାରା ବିଶ୍ବରେ ଶ୍ରୀମନ୍ଦିର ବଦନାମର ବୋଝ ମୁଣ୍ଡାଇଥାନ୍ତା। ଏଣୁ ଯେଉଁ ଅଧିକାରୀ, ଜେଟିପିମାନେ ଏଭଳି ଚରମ ଅବହେଳା କରିଛନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ। ସେହିପରି ସିସିଟିଭି ଦୁର୍ନୀତିର ମଧ୍ୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯାହା ଆଗାମୀ ଦିନରେ ଦୃଷ୍ଟାନ୍ତ ସାଜିବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି ଏସ ଚନ୍ଦ୍ରଶେଖର ରାଓ କହିଛନ୍ତି, ଶ୍ରୀମନ୍ଦିରରେ ମାତ୍ର ୬ଟି ସିସି କ୍ୟାମେରା କାମ କରୁଛି। ଏହି ସିସି କ୍ୟାମେରାର ଫୁଟେଜ୍‌ ବି ମନ୍ଦିର ପ୍ରଶାସନ ଦେଖିପାରିବନି। ଏହା ଜିଲ୍ଲା ପୁଲିସ ପାଖରେ ରହୁଛି। ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଫୁଟେଜ୍‌ ଦେଖିବାର କି ସିସିଟିଭିରେ ନଜର ରଖିବାର କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର