ଗଛରେ ଲାଗିଛି ବିଦ୍ୟୁତ୍‌ ତାର

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ପ୍ରାଣୀ ଚିକିତ୍ସାଳୟ ପରିସରରେ ଗଛରେ ଲାଗିଛି ବିଦ୍ୟୁତ୍ ତାର। ଦୀର୍ଘ ଦିନ ହେଲାଣି ୧୦ରୁ ଊର୍ଦ୍ଧ୍ବ ଗଛ ସ୍ପର୍ଶରେ ବିଦ୍ୟୁତ୍ ତାର ଆସିଥିଲେ ହେଁ ଏହାର ପ୍ରତିକାର କରାଯାଉ ନାହିଁ। ବିଦ୍ୟୁତ୍ ସରବରାହ ଯୋଗୁଁ ଗଛଗୁଡ଼ିକର ଡାଳ ମଧ୍ୟ କେତେକାଂଶରେ ଜଳିପୋଡ଼ି ଯାଇଛି। ଆରଡି ବିଭାଗ ଠାରୁ ପ୍ରାଣୀ ଚିକିତ୍ସାଳୟ, ଡାକ୍ତରଖାନାକୁ ଏହି ବିଦ୍ୟୁତ୍ ଲାଇନ୍ ଯାଇଛି। ଗଛରେ ବିପଦପୂର୍ଣ୍ଣ ଭାବେ ତାର ଯାଇଥିବା ନେଇ  ବିଦ୍ୟୁତ୍ ବିଭାଗକୁ ବହୁବାର ମୌଖିକ ଭାବେ କୁହା ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି।

ବିଦ୍ୟୁତ୍ ବିଭାଗର ଦାୟିତ୍ବହୀନତା ପାଇଁ କେତେବେଳେ ମଣିଷ ତ ପୁଣି କେତେବେଳେ ଐତିହ୍ୟ ପ୍ରାଣୀ ହାତୀଙ୍କ ଜୀବନ ଯାଉଛି। ଅତୀତରେ ତେଲକୋଇ ଅଞ୍ଚଳରେ ବିଦ୍ୟୁତ୍‌ ଆଘାତରେ ୬ଟି ହାତୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଗତ ୨୨ ତାରିଖରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ତଥାପି  ବିଭାଗ ଯତ୍ନବାନ ହେଉ ନଥିବା ଅଭିଯୋଗ ହେଉଛି। ପ୍ରାଣୀ ଚିକିତ୍ସାଳୟ ପରିସରକୁ ଅତୀତରେ ହାତୀପଲ ମଧ୍ୟ ପଶିଥିବା ନଜିର ରହିଛି। ଅସୁରକ୍ଷିତ ବିଦ୍ୟୁତ୍ ଲାଇନକୁ କେବୁଲ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର