କେଗାଁ : ଗୋଲାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତ ବୋରଗୁମା କୃପାସାଗରରେ ମାଛଚାଷ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ଦିନକ ପରେ ଗ୍ରାମର ଜଣେ ଲୋକଙ୍କୁ ଲିଜ୍ ଦିଆଯାଇ ଥିବାରୁ ଗ୍ରାମବାସୀ ଓ ଏସ୍ଏଚ୍ଜି ପକ୍ଷରୁ ବିରୋଧ କରାଯାଇଛି।
ପ୍ରକାଶ ଯେ, ୨୨/୧୦/୨୦୨୨ ସନ୍ଧ୍ୟାରେ ପଞ୍ଚାୟତ କାର୍ଯ୍ୟାଳୟରୁ ଲିଜ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ୨୩/୧୦/୨୦୨୨ ଅପରାହ୍ନ ୩ଟାରେ ବୋରଗୁମା ଗ୍ରାମର ସହଦେବ ମାଝୀଙ୍କୁ ମାଛ ଚାଷ କରିବାକୁ ୫ ବର୍ଷ ପାଇଁ ଲିଜ୍ ଦିଆଯାଇଥିବାରୁ ଗ୍ରାମବାସୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ଅସନ୍ତୋଷ ପ୍ରକାଶ ପାଇଛି। ଯେ କୌଣସି ପୋଖରୀ ନିଲାମ କରିବାକୁ ହେଲେ ୧୫ ଦିନ ପୂର୍ବରୁ ପଞ୍ଚାୟତ ଜରିଆରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥାଏ। ବିଜ୍ଞପ୍ତି ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଜଣେ ଲୋକଙ୍କୁ ଡାକି ଲିଜ୍ ଦିଆଯାଇଥିବା ବେଆଇନ୍ ବୋଲି ଅଭିଯୋଗ ହେଉଛି। ଏହି ଲିଜ୍କୁ ତୁରନ୍ତ ବାତିଲ୍ କରାଯାଉ ବୋଲି ଗ୍ରାମବାସୀ ତଥା ଏସ୍ଏଚ୍ଜି ସଦସ୍ୟା ଧର୍ମଗଡ଼ ଉପଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି। ନିୟମ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।