ପାରଳାଖେମୁଣ୍ତି : ଗଜପତି ଜିଲ୍ଲାର ବିଭିନ୍ନ ମଣ୍ତିରେ ପୁନର୍ବାର ଆରମ୍ଭ ହୋଇଛି ଟୋକନ୍ ପାଇଁ ଅସନ୍ତୋଷ ଏବ˚ ଚାଷୀ ଚିହ୍ନଟରେ ଅବ୍ୟବସ୍ଥା। ଗତକାଲି କାଶୀନଗର ବ୍ଲକ୍ ଧୋବାଜୟପୁର ଗ୍ରାମର ଚାଷୀମାନେ ଏ ବିଷୟରେ ଜିଲ୍ଲା ଯୋଗାଣ ଅଧିକାରୀ ଏବ˚ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଥିବା ବେଳେ ଗୋଷାଣୀ ଏବ˚ କାଶୀନଗର ବ୍ଲକ୍ରେ ପ୍ରତିବାଦର ସ୍ବର ତୀବ୍ର ହେବାରେ ଲାଗିଛି।
ଜିଲ୍ଲା ଚାଷୀ ସ˚ଘର ଅନ୍ୟତମ ନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକ ପ୍ରତିକ୍ରିୟାରେ କହିଛନ୍ତି, ଡିଜିଟାଲ ଟୋକନ୍ ବ୍ୟବସ୍ଥା ଚାଷୀମାନଙ୍କ ପାଇଁ କାଳ ସାଜିଛି। ସମସ୍ୟା ସୃଷ୍ଟି ହେବା ପଛରେ ମୂଳ କାରଣ ହେଲା ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରିବାରେ ତ୍ରୁଟି ଏବଂ ପଞ୍ଚାୟତ ସମବାୟ ସମିତି ଗୁଡିକର ଦାୟିତ୍ବରେ ଥିବା ସମ୍ପାଦକମାନଙ୍କ ଦୁର୍ନୀତି। ଅନେକ ସମ୍ପାଦକ ରାଜନୈତିକ ଚାପରେ କାର୍ଯ୍ୟ କରୁଛନ୍ତି ଓ ବିଭିନ୍ନ ନିର୍ବାଚିତ ପ୍ରତିନିଧିଙ୍କ ଇସାରାରେ ଟୋକନ୍ ବଣ୍ଟନ ହେଉଛି। ଗତକାଲି ପାରଳାଖେମୁଣ୍ତି ଆସିଥିବା ଚୁଡ଼ଙ୍ଗପୁର ସମବାୟ ସମିତିର ଅନେକ ଚାଷୀ ସୂଚନା ଦେଇଛନ୍ତି, ସେମାନେ ଆଜି ପର୍ଯ୍ୟନ୍ତ କେଉଁ ପ୍ରଣାଳୀରେ ଟୋକନ୍ ଦେବା ପାଇଁ ଚାଷୀ ଚିହ୍ନଟ ହେଉଛନ୍ତି ତାହାର କିଛି ତଥ୍ୟ ପାଇଲେ ନାହିଁ। ଗ୍ରାମରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଚାଷ କରୁନଥିବା ସତ୍ତ୍ବେ ଟୋକନ୍ ବ୍ୟବସ୍ଥାରେ ତାଙ୍କ ନାମ ରହିଛି। ଦୁର୍ନୀତିର ପ୍ରମାଣ ଏ ଘଟଣାରୁ ସ୍ପଷ୍ଟ ମିଳୁଥିବା ବେଳେ ବିଗତ ବର୍ଷ ଗୁଡ଼ିକରେ ଗୋଷାଣୀ ବ୍ଲକ୍ରେ ସମବାୟ ସମିତି ସମ୍ପାଦକମାନଙ୍କ ପରିବାର ସଦସ୍ୟଙ୍କ ନାମରେ ଟୋକନ୍ ମିଳିଥିବା ଘଟଣା ପଦାକୁ ଆସିଥିଲା।
ମଣ୍ତି ପାଇଁ ଟୋକନ୍ ନଥିଲେ ଧାନ ବିକ୍ରୟ ହୋଇପାରିବ ନାହିଁ। ଏଥିଯୋଗୁଁ ସମସ୍ତ ଚାଷୀ ଟୋକନ୍ ପାଇଁ ବ୍ୟସ୍ତ। ତେବେ ୭୦ ପ୍ରତିଶତରୁ ଅଧିକ ଚାଷୀ ଡିଜିଟାଲ୍ ବ୍ୟବସ୍ଥା ବିଷୟରେ ଅବଗତ ନଥିବା ଯୋଗୁଁ ସେମାନେ ଇ-ସେବା କେନ୍ଦ୍ର ନଚେତ ସାଇବର କାଫେ ଉପରେ ସ˚ପୂର୍ଣ୍ଣ ଭାବେ ନିର୍ଭର କରନ୍ତି। ଏପରିକି ବହୁ ଚାଷୀ ସେମାନଙ୍କ ଦସ୍ତଖତ ସମବାୟ ସମିତି ସମ୍ପାଦକମାନଙ୍କ ଇସାରାରେ କରିଥାନ୍ତି ଓ ଠକେଇର ଶିକାର ହୁଅନ୍ତି। ତେଣୁ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ସହ ତ୍ରୁଟି ସଜାଡ଼ିବା ପାଇଁ ବ୍ୟବସ୍ଥା ରଖିବା ଆବଶ୍ୟକ ବୋଲି ବହୁ ଚାଷୀ ଦାବି କରିଛନ୍ତି। ଚଳିତ ବର୍ଷ ୨୭,୦୦୦ ହେକ୍ଟର ଜମିରୁ ୬.୪୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସ˚ଗ୍ରହ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ଆବଶ୍ୟକ ପଡ଼ିଲେ ଅଧିକ ଧାନ ଉଠାଇବା ପାଇଁ ଅନୁମତି ଅଣାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/paddy.jpg)