ସମ୍ବଲପୁର: ଆଜି (ଜୁନ୍‌ ୧) ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୫.୬୦ ଫୁଟ। ସମାନ ତାରିଖରେ ୨୦୨୩ ମସିହାରେ ଏହା ୬୦୪. ୧୭ ଫୁଟ, ୨୦୨୨ ମସିହାରେ ୬୦୦.୮୩ ଥିଲା। ଅର୍ଥାତ୍‌ ଗତବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଜଳଭଣ୍ଡାରରେ ଅଧିକ ପାଣି ରହିଛି। ବର୍ତ୍ତମାନ ଜଳଭଣ୍ଡାରକୁ ୯୭୭ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ୧୪ ହଜାର ୬୦୮ କ୍ୟୁସେକ ନିଷ୍କାସିତ ହେଉଛି। ଏହି ପରିପ୍ରେକ୍ଷୀରେ ହୀରାକୁଦ ଜଳଭଣ୍ଡାରର ତ୍ରୁଟିପୂର୍ଣ୍ଣ ଜଳ ପରିଚାଳନା ଯୋଗୁଁ ୧୨ କୋଟି ଟଙ୍କାର ବିଜୁଳି ଉତ୍ପାଦିତ ହୋଇ ପାରିନଥିବା ଗୁରୁତର ଅଭିଯୋଗ ହୋଇଛି।

Advertisment

ଅବହେଳା: ହୋଇପାରିଲାନି ୧୨ କୋଟିର ବିଦ୍ୟୁତ୍‌ ଉତ୍ପାଦନ!
ଆବଶ୍ୟକତା ଅନୁସାରେ ଜଳ ଉପଯୋଗ ହେଉଛି : ଜଳଭଣ୍ଡାର କର୍ତ୍ତୃପକ୍ଷ

ରାଜ୍ୟ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ରବୀନ୍ଦ୍ର ପଣ୍ଡାଙ୍କ ଅନୁସାରେ, ଜୁନ ୧ତାରିଖ ରେ ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର ୫୯୭.୭୧ ଫୁଟ ରହିବା କଥା। କିନ୍ତୁ ଜୁନ ୧ ରେ ଜଳସ୍ତର ୬୦୫.୬୦ ଫୁଟ ରହିଛି l ଜଳ ଭଣ୍ଡାର ରେ ପ୍ରାୟ ପାଖାପାଖି ୦.୫୦ ନିୟୁତ ଏକର ଫୁଟ ଜଳ ଅଧିକ ସଂଚିତ ହୋଇ ରହିଛି l ଯଦି ସଂଚିତ ଜଳକୁ ଠିକ୍‌ ଭାବେ ପରିଚାଳନା କରି ଜୁନ ୧୫ ତାରିଖ ସୁଦ୍ଧା ବ୍ୟବହାର କରିବା ଉଚିତ। ନଚେତ ମୌସୁମୀ ବର୍ଷା ଯୋଗୁଁ ତାହା ବନ୍ୟା ଜଳରେ ପରିଣତ ହୋଇଯିବ l ଫଳରେ ପ୍ରାୟ ପାଖାପାଖି ୪୦ ନିୟୁତ ୟୁନିଟ ବିଦ୍ୟୁତ୍‌ କ୍ଷତି ହେବାର ଯଥେଷ୍ଟ ଆଶଂକା ଅଛି। ୟୁନିଟ ପିଛା ୩ ଟଙ୍କା ଦର ଧାରା ଗଲେ ତେବେ ପାଖାପାଖି ୧୨ କୋଟି ଟଙ୍କାର ବିଦ୍ୟୁତ୍‌ ନଷ୍ଟ ହେବାର ଆଶଂକା ରହିଛି। ମେ’ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ହୀରାକୁଦ ସେଚାଞ୍ଚଳର ରବି ଜଳସେଚନ ପାଇଁ ପାଖାପାଖି ୦.୫୦ ନିୟୁତ ଏକର ଫୁଟ ପାଣିର ଆବଶ୍ୟକତା ଥାଏ।

ବଳକା ପାଣିକୁ ଦୈନିକ ହାରାହାରି ସେକେଣ୍ଡ ପ୍ରତି ୫ ହଜାର ଘନଫୁଟ ଜଳ ବିଦ୍ୟୁତ୍‌ ଉତ୍ପାଦନ ବ୍ୟବହାର କରାଗଲେ ଜୁନ ୧୫ ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୫୯୮ ଫୁଟ ଛୁଇଁବ। ସୂଚନା ଅନୁସାରେ ଜଳଭଣ୍ଡାରର ୧୩ ହଜାର ୬୭୬ କ୍ୟୁସେକ୍‌ ଜଳ ପାୱାର ଚାନେଲରେ ଉପଯୋଗ ହେବା ସହ ଦୈନିକ ୧୨୨ ମେଗାୱାଟ୍‌ ବିଜୁଳି ଉତ୍ପାଦିତ ହେଉଛି। ଅନ୍ୟ ପଟେ ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ କହିଛନ୍ତି, ହୀରାକୁଦ ଜଳଭଣ୍ଡାରର ସ୍ଥିତି ବର୍ତ୍ତମାନ ଭଲ ରହିଛି। ଆବଶ୍ୟକତା ଅନୁସାରେ ଜଳ ପରିଚାଳନା ହୁଏ। ବିଜୁଳି ଉତ୍ପାଦନ ଅଧିକ ହେଲେ ପାଣି ସରିଯିବ। ଜୁନ ୨୫ ତାରିଖ ସୁଦ୍ଧା ୫୯୫ ଫୁଟ ରହିବା କଥା। ତଳି ଚାଷ ପାଇଁ ୬୦୦ ଫୁଟ ରଖାଯାଉଛି।