ଭୁବନେଶ୍ବର: ଓଡ଼ିଶାର ୪୧ ଲକ୍ଷ ୩୨ ହଜାର ୨୬୮ ପିଲାଙ୍କୁ ମଧ୍ୟାହ୍ନଭୋଜନ ମିଳୁଛି। ୫୦ ହଜାର ୨୬୨ ବିଦ୍ୟାଳୟରେ ପ୍ରଥମରୁ ୮ମ ‌ଶ୍ରେଣୀ ମଧ୍ୟରେ ପଢ଼ୁଥିବା ପିଲାମାନେ ଦୈନିକ ମଧ୍ୟାହ୍ନଭୋଜନ ଖାଉଛନ୍ତି। ରାଜ୍ୟ ସରକାର କାଗଜପତ୍ରରେ ଏଭଳି ତଥ୍ୟ ଦେଖାଉଥିବା ବେଳେ କେତେ ପିଲା ଖାଉଛନ୍ତି ତାହାର ହିସାବ ଗଣଶିକ୍ଷା ବିଭାଗ ପାଖରେ ନାହିଁ। ଯେତେବେଳେ କି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି ଯେ ପ୍ରତି ବିଦ୍ୟାଳୟ ଦୈନିକ ମଧ୍ୟାହ୍ନଭୋଜନ ତଥ୍ୟ ପ୍ରଦାନ କରିବା ବାଧ୍ୟତାମୂଳକ। କୌଣସି ପରିସ୍ଥିତିରେ ବି ବିଦ୍ୟାଳୟ ତଥ୍ୟ ଲୁଚାଇପାରିବେ ନାହିଁ। ଏଥିପାଇଁ ସ୍ବତନ୍ତ୍ର ପୋର୍ଟାଲ ରହିଛି, ଯାହା ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସମ୍ପର୍କରେ ଜଣାଇବେ। ମାତ୍ର ଏବେ ବିଦ୍ୟାଳୟଗୁଡ଼ିକ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକୁ ଖାତିର ହିଁ କରୁନାହାନ୍ତି। କେତେ ପିଲା ମଧ୍ୟାହ୍ନ‌ଭୋଜନ ଖାଇଲେ ତାହାର ତଥ୍ୟ ଦେବା ଦୂରେ ଥାଉ, କେତେ ପିଲା ଉପସ୍ଥିତ ରହିଛନ୍ତି ସେ ବିଷୟରେ ବି ଜଣାଉ ନାହାନ୍ତି।

Advertisment

କେବଳ ସେତିକି ନୁ‌ହେଁ, ସ୍କୁଲ କାନ୍ଥରେ ମଧ୍ୟାହ୍ନଭୋଜନ ସମ୍ପର୍କିତ ତଥ୍ୟ ଲେଖିବାକୁ କୁହାଯାଇଥିଲେ ମଧ୍ୟ ତାହା ପାଳନ ହେଉନାହିଁ। କେଉଁଠି ବ୍ୟାନର୍‌ ଚିରିଯାଇଛି ତ ଆଉ କେଉଁଠି ଲିଭିଥିବା ନଜରକୁ ଆସୁଛି। ବର୍ଷକ ତଳେ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା ଯେ ବିଦ୍ୟାଳୟ କାନ୍ଥରେ ମଧ୍ୟାହ୍ନଭୋଜନ ତଥ୍ୟ ସମେତ ହେଲ୍‌ପ ଲାଇନ୍‌ ନମ୍ବର ସ୍ପଷ୍ଟ ଭାବେ ଲେଖାଯିବ। ସ୍କୁଲ କାନ୍ଥରେ ମଧ୍ୟାହ୍ନ ଭୋଜନ ଲୋଗୋ ସହ ୬ ଦିନର ଖାଇବା ତାଲିକା, ଛାତ୍ରଛାତ୍ରୀଙ୍କ ଅଧିକାର, ହେଲ୍‌ପ ଲାଇନ୍‌ ନମ୍ବର (୧୮୦୦୩୪୫୬୭୨୨) ଆଦି ପେଣ୍ଟିଂ କରାଯିବ। ୫ଟି ନିୟମ ଯଥା ନିରାପଦ, ସ୍ବଚ୍ଛ ଓ ସ୍ବାସ୍ଥ୍ୟକର ପରିବେଶ, ପୁଷ୍ଟିକର ଭୋଜନ ରନ୍ଧନ ଓ ପରିବେଷଣ, ଖାଇବା ପୂର୍ବରୁ ଓ ପରେ ହାତ ଧୋଇବା, ଲିଙ୍ଗଗତ, ସାମାଜିକ ବାଛବିଚାର ଦୂରୀକରଣ, ନିରାପଦ ପାନୀୟଜଳ ବ୍ୟବସ୍ଥା ବିଷୟ ରହିବ। କେଉଁ ‌ଶ୍ରେଣୀର ଛାତ୍ରଛାତ୍ରୀ କେତେ କ୍ୟାଲୋରି ଓ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବେ ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିବାକୁ କୁହାଯାଇଥିଲା। ବର୍ଷକ ପରେ ମଧ୍ୟ ସ୍କୁଲ କାନ୍ଥରେ ସେଭଳି କୌଣସି ପରିବର୍ତ୍ତନ ହୋଇନାହିଁ।

ଦୈନିକ ତଥ୍ୟ ଦେଉନାହାନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ
କାନ୍ଥରେ ନାହିଁ କ୍ୟାଲୋରି, ପୁଷ୍ଟିକର ଖାଦ୍ୟ ହିସାବ
ଅଧିକାରୀଙ୍କ ତାଗିଦ୍‌ ପରେ ବି କେହି ଶୁଣୁନାହାନ୍ତି

ସେପଟେ ଜାନୁଆରି ମାସର ତଥ୍ୟ ଉପରେ ନଜର ପକାଇଲେ ଜଣାପଡ଼ିଛି ଯେ ଦୈନିକ କେତେ ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଉଛି, ସେ ବାବଦରେ ୨୪.୮% ବିଦ୍ୟାଳୟ ତଥ୍ୟ ପ୍ରଦାନ କରିନାହାନ୍ତି। ଏହି ତାଲିକାରେ କନ୍ଧମାଳ ଜିଲ୍ଲା ସବୁଠାରୁ ତଳେ ରହିଛି। ଜିଲ୍ଲାର ୩୭.୬% ବିଦ୍ୟାଳୟ ମଧ୍ୟାହ୍ନଭୋଜନ ତଥ୍ୟ ଦେଇନାହାନ୍ତି। ନୂଆପଡ଼ା, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, ଗଜପତି, ରାୟଗଡ଼ା ଜିଲ୍ଲା ୩୦ରୁ ୪୦% ବିଦ୍ୟାଳୟ ପିଲାଙ୍କ ତଥ୍ୟ ଦେଇ ନଥିଲେ। ରାଜ୍ୟର ରାଜଧାନୀ ଥିବା ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ଅଧିକ ଚିନ୍ତାଜନକ। ଏଠାରେ ୨୦.୬% ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ତଥ୍ୟ ସାମ୍ନାକୁ ଆସିପାରି ନଥିଲା। ତେବେ ଏ କ୍ଷେତ୍ରରେ କଟକ ଜିଲ୍ଲାର ବିଦ୍ୟାଳୟଗୁଡ଼ିକ ଆଗରେ ରହିଛନ୍ତି। ଜିଲ୍ଲାର ୯୨.୨% ବିଦ୍ୟାଳୟ ମଧ୍ୟାହ୍ନଭୋଜନ ତଥ୍ୟ ପ୍ରଦାନ କରିଥିଲେ। ଜାନୁଆରି ମାସରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ପିଏମ୍‌ ପୋଷଣର ରାଜ୍ୟ ନୋଡାଲ୍‌ ଅଧିକାରୀ ରଘୁରାମ ଆର ଆୟାର ଏହା ଉପରେ ସମୀକ୍ଷା କରିବା ସହ ପଦକ୍ଷେପ ନେବାକୁ ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଫେବ୍ରୁଆରି ସରି ମାର୍ଚ୍ଚ ମାସ ହୋଇଥିଲେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ମାର୍ଚ୍ଚ ୧ ତଥ୍ୟ ଅନୁଯାୟୀ ରାଜ୍ୟର ୫୦ ହଜାର ୨୬୨ ବିଦ୍ୟାଳୟ ମଧ୍ୟରୁ ୭,୪୨୭ ବିଦ୍ୟାଳୟ ଅର୍ଥାତ୍ ମାତ୍ର ୧୩.୮% ବିଦ୍ୟାଳୟ ତଥ୍ୟ ଦେଇଥିଲେ। ୪ଲକ୍ଷ ୯୦ ହଜାର ୩୪ଜଣ ପିଲା ବିଦ୍ୟାଳୟ ଆସିଥିଲେ। ସେଥିମଧ୍ୟରୁ ୪ଲକ୍ଷ ୮୭ହଜାର ୫୨୯ ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ଖାଇଛନ୍ତି। ଅର୍ଥାତ୍‌ ମୋଟ ପିଲାଙ୍କ ମଧ୍ୟରୁ ୧୧.୫% ଖାଇଛନ୍ତି। ଫେବ୍ରୁଆରି ୨୮ ତଥ୍ୟ ଅନୁଯାୟୀ ୫୦,୨୬୨ ବିଦ୍ୟାଳୟ ମଧ୍ୟରୁ ୮,୭୧୧ ବିଦ୍ୟାଳୟ ଅର୍ଥାତ୍‌ ମାତ୍ର ୧୬.୫% ବିଦ୍ୟାଳୟ ତଥ୍ୟ ଦେଇଛନ୍ତି ଯେ ୫ଲକ୍ଷ ୮୩ହଜାର ୮୧୨ ପିଲା ମଧ୍ୟାହ୍ନଭୋଜନ ଖାଇଛନ୍ତି। ଦାବି ମୁତାବକ ମଧ୍ୟାହ୍ନଭୋଜନ ମୂଲ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ବିଦ୍ୟାଳୟଗୁଡ଼ିକ କାହିଁକି ତଥ୍ୟ ପ୍ରଦାନ କରୁନାହାନ୍ତି? ସରକାରଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ବିଦ୍ୟାଳୟ ତାହାକୁ ପାଳନ କରିବାରେ କାହିଁକି ହେୟଜ୍ଞାନ କରୁଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି।