ଭୁବନେଶ୍ବର : ଓଡ଼ିଶାରେ ମଦ ବିକ୍ରି ଦିନକୁ ଦିନ ବଢ଼ୁଥିବା ବେଳେ ମଦୁଆଙ୍କ ସଂଖ୍ୟା ମଧ୍ୟ ବଢ଼ିଗଲାଣି। ବହୁ ଯୁବପିଢ଼ି ନିଶାଗ୍ରସ୍ତ ହୋଇ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ଏପରିକି ରାଜ୍ୟର ସବୁଠୁ ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ ‘ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍’ ଯୋଗୁଁ ହେଉଛି। ତେଣୁ ମଦକୁ ରାଜ୍ୟରେ ନିଷେଧ କରିବାକୁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଦାବି କରୁଛନ୍ତି। ମଦମୁକ୍ତ ଓଡ଼ିଶା ନେଇ ବହୁ ଦାବି ହେଉଥିଲେ ହେଁ ରାଜ୍ୟ ସରକାରଙ୍କର ଏନେଇ ଏବେ କୌଣସି ଯୋଜନା ନାହିଁ ବୋଲି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ଜଣାଇଛନ୍ତି।
ବିଧାୟକ ଭାସ୍କର ମଢ଼େଇ ଏକ ଅଣତାରାକା ପ୍ରଶ୍ନରେ ପଚାରିଥିଲେ ଯେ ଓଡ଼ିଶାର ଯୁବସମାଜ ନିଶା କାରବାରରେ ଲିପ୍ତ ରହୁଛନ୍ତି। ଓଡ଼ିଶାକୁ ‘ମଦମୁକ୍ତ ଓଡ଼ିଶା’ ଗଠନ କରିବେ କି? ଏନେଇ ସରକାରଙ୍କ ଆଭିମୁଖ୍ୟ କ’ଣ? ଏହାର ଉତ୍ତର ଦେଇ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଯୁବ ସମାଜ ନିଶା କାରବାରରେ ଲିପ୍ତ ରହୁଥିବା ଅଭିଯୋଗ ତଥ୍ୟ ଭିତ୍ତିକ ନୁହେଁ, ବରଂ ମଦ୍ୟପାନରେ ଅଭ୍ୟସ୍ତ ଥିବା ଲୋକମାନଙ୍କୁ ସୁଲଭ ତଥା ଉତ୍ତମମାନର ମଦ ଅନୁମୋଦିତ ଦରରେ ଯୋଗାଇ ଏହାକୁ ନିୟନ୍ତ୍ରଣାତ୍ମକ କରାଯାଇଛି। ଓଡ଼ିଶାକୁ ‘ମଦ ମୁକ୍ତ ଓଡ଼ିଶା’ ଗଠନ ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ। ଆମ ରାଜ୍ୟର ପାର୍ଶ୍ବବର୍ତ୍ତୀ ରାଜ୍ୟଗୁଡ଼ିକରେ ତଥା ଦେଶର ଅଧିକାଂଶ ରାଜ୍ୟରେ ନିଶା ନିବାରଣ ହୋଇନଥିବାରୁ ସେଠାରୁ ଆମ ରାଜ୍ୟକୁ ଚୋରାରେ ମଦ ଆସିବାର ଆଶଙ୍କା ଅଛି। ଏହାଛଡ଼ା ନିଶା ନିବାରଣର ସୁଯୋଗ ନେଇ ଚୋରା ନିଶା/ମଦ ବେପାରୀମାନେ ସେମାନଙ୍କ ବେଆଇନ କାରବାରକୁ ବ୍ୟାପକ ଭାବେ ପ୍ରସାରଣକରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ଓଡ଼ିଶାକୁ ‘ମଦମୁକ୍ତ ଓଡ଼ିଶା’ ଗଠନ ଏକ ବାସ୍ତବଧର୍ମ ପଦକ୍ଷେପ ହୋଇନପାରେ।
ଅବକାରୀ ମନ୍ତ୍ରୀଙ୍କ ଏହିଭଳି ଉତ୍ତରକୁ ଆଜି ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଏନେଇ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର ସଭାପତି ତଥା ମଦମୁକ୍ତ ଓଡ଼ିଶା ନେଇ ଦୀର୍ଘ ବର୍ଷ ହେଲା ଲଢେଇ ଜାରି ରଖିଥିବା ପଦ୍ମଚରଣ ନାୟକ କହିଛନ୍ତି ଯେ, ବିଷାକ୍ତ ମଦ ପିଇ ଯେତିକି ଲୋକ ମରୁଛନ୍ତି ବା ଆର୍ଥିକ କ୍ଷତି ହେଉଛି, ଶୁଦ୍ଧ ମଦ ଚାଲୁଥିବାରୁ ସମାଜର ତା’ ଠାରୁ ଅଧିକ କ୍ଷତି ହେଉଛି। ରାଜ୍ୟ ସରକାର ଏନେଇ ନିଜର ଆଭିମୁଖ୍ୟ ବଦଳାଇବା ଦରକାର।
ଅବକାରୀ ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ, ଆମ ରାଜ୍ୟର ପାର୍ଶ୍ବବର୍ତ୍ତୀ ରାଜ୍ୟରେ ନିଶା ନିବାରଣ ହୋଇନଥିବାରୁ ଆମ ରାଜ୍ୟକୁ ଚୋରାରେ ମଦ ଆସିବାର ଆଶଙ୍କା ଅଛି। ଏଠାରେ ପ୍ରଶ୍ନ ଉଠୁଛି ବିହାରରେ ୨୦୧୬ମସିହାରେ ମଦ ନିଷେଧ ହେବାବେଳେ ସେଠାକର ରାଜ୍ୟ ସରକାର କ’ଣ ଏକଥା ଭାବିନଥିଲେ? ଯଦି ବିହାରର ପାର୍ଶ୍ବବର୍ତ୍ତୀ ରାଜ୍ୟଗୁଡ଼ିକରେ ମଦ ବିକ୍ରି ହେବା ସତ୍ତ୍ବେ ବିହାରରେ ମଦ ସଂପୂର୍ଣ୍ଣ ଭାବେ ନିଷେଧ ହୋଇପାରିଛି ତେବେ ଓଡ଼ିଶାରେ କାହିଁକି ହୋଇପାରିବନି? ଯଦି ରାଜ୍ୟ ସରକାର ବିହାର ଫର୍ମୁଲା ଆପଣାଇବେ ତେବେ ବିହାର ପରି ଓଡ଼ିଶାରେ ସଂପୂର୍ଣ୍ଣ ମଦ ନିଷେଧ ହୋଇପାରନ୍ତା। କିନ୍ତୁ ମନ୍ତ୍ରୀଙ୍କ ଉତ୍ତର ଦର୍ଶାଉଛି ଯେ, ରାଜ୍ୟ ସରକାର ‘ମଦମୁକ୍ତ ଓଡ଼ିଶା’ ଦିଗରେ ଅଧିକ କିଛି ଆଲୋଚନା ପର୍ଯ୍ୟାଲୋଚନା କରିବାକୁ ଚାହୁଁନାହାନ୍ତି।