ବ୍ୟାସନଗର:ବ୍ୟାସନଗର ପୌରାଞ୍ଚଳରେ ସ୍ବଚ୍ଛ ଭାରତ ସଫେଇ ଅଭିଯାନ ବାଟହୁଡ଼ିଛି। ଗୋଟିଏ ପରେ ଗୋଟିଏ କରି ୧୬ ଟି ବ୍ୟାଟେରି ଚାଳିତ ସଫେଇ ଗାଡ଼ି ‘ସ୍ବଚ୍ଛ ସବାରି’ ଅଚଳ ହୋଇଗଲାଣି। ଅବଶିଷ୍ଟ ୧୦ଟି ସବାରିରେ ଯାହା ଯେମିତି ଅଳିଆ ଉଠାଯାଉଛି। ପରିଣାମ ଏବେ ପ୍ରତି ୱାର୍ଡର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଅଳିଆ ଗଦା ହେଲାଣି। ଅକାରଣ ବିବାଦରୁ ବିତର୍କରେ ରହିଥିବା ବ୍ୟାସନଗର ପୌରାଞ୍ଚଳରେ ଅସଲ ପ୍ରସଙ୍ଗକୁ ଲୋକପ୍ରତିନିଧିମାନେ ଆଖିବୁଜିଦେଇଥିବା ଅଭିଯୋଗ ହୋଇଛି।
୨୦୨୦ ରେ ପ୍ରଥମ ପର୍ଯ୍ୟାୟରେ ଅତୁଲ କମ୍ପାନିର ୬ ଗୋଟି ବ୍ୟାଟେରି ଗାଡ଼ି ଓ ଦ୍ବିତୀୟ ପର୍ଯ୍ୟାୟରେ ଜାଇଡିକା କମ୍ପାନିର ୨୦ ଗୋଟି ଗାଡ଼ି, ମୋଟ ୨୬ ୱାର୍ଡ ପାଇଁ ୨୬ ଗୋଟି ଗାଡ଼ି ସରକାର ଯୋଗାଇ ଦେଇଥିଲେ। ବର୍ଜ୍ୟବସ୍ତୁ ପରିବହନ କରିବା ନିମନ୍ତେ ୨୮ ଜଣ ମହିଳାଙ୍କୁ ନିଯୁକ୍ତି ଦିଆଯାଇଥିଲା। ପ୍ରତିଦିନ ୱାର୍ଡରେ ଘରଘର ବୁଲି ଏହି ଗାଡ଼ିଗୁଡ଼ିକ ଅଳିଆ ସଂଗ୍ରହ କରୁଥିଲେ। ସଚେତନତା ସୃଷ୍ଟି କରିବା ପାଇଁ ୨୬ ଜଣ ସ୍ଵଚ୍ଛ ସାଥୀ ନିଯୁକ୍ତି ପାଇଥିଲେ। ତଦାରଖ କରିବା ପାଇଁ ୪ ଜଣ ସୁପରଭାଇଜର ନିୟୋଜିତ ହୋଇଥିଲେ। ମରାମତି ଅଭାବରୁ ୧୬ ଗୋଟି ସ୍ଵଚ୍ଛ ସବାରି କୋମାକୁ ଚାଲିଯିବା ପରେ ଏତେ ସବୁ ଆଡ଼ମ୍ବର କେଉଁ କାମକୁ ବୋଲି ପ୍ରଶ୍ନ ଉଠିଲାଣି। କମ୍ପାନି ଦୁଇବର୍ଷ ପର୍ଯ୍ୟନ୍ତ ମରାମତି କରିବ ବୋଲି ଚୁକ୍ତି କରିଥିଲା। ଏବେ କମ୍ପାନି ସଜାଡ଼ୁଛି ନା ପୌରସଂସ୍ଥା କରୁଛି। ଏବେ ଅନେକ ୱାର୍ଡକୁ ସ୍ଵଚ୍ଛ ସବାରି ଯାଉନାହିଁ କି ସକାଳୁ ସ୍ବଚ୍ଛ ଭାରତର ନାରା ଶୁଭୁନାହିଁ। ବାଧ୍ୟ ହୋଇ ଲୋକମାନେ ଯିଏ ଯେଉଁଠି ପାରିଲେ, ସେଠାରେ ପକାଇଲେ।
ବଡ଼କଥା ହେଉଛି ସଫେଇ ଦାୟିତ୍ଵ ପୌରସଂସ୍ଥା ନିଜ ହାତରେ ରଖିଛି। ପ୍ରତିଦିନ ୧୩୧ ଜଣ ଶ୍ରମିକ ଯୋଗାଇଦେବା ପାଇଁ ଢେଙ୍କାନାଳର ସବ୍ୟସାଚୀ ମହାକୁଳ ଠିକାସଂସ୍ଥା ଅନୁମତି ପାଇଛି। ଏଣେ ୬୦ ଜଣ ଜରି ଗୋଟାଳିଙ୍କୁ ସଫେଇ ଶ୍ରମିକ ଭାବେ ନିୟୋଜିତ କରାଯାଇଛି। ପୌରସଂସ୍ଥାର ନିୟମିତ ସଫେଇ କର୍ମଚାରୀ ୨୨ ଜଣ ଅଛନ୍ତି। ପ୍ରତିଦିନ ପାଖାପାଖି ୨ ଶହ ସଫେଇ ଶ୍ରମିକ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ତଦାରଖ କରିବା ପାଇଁ ୭ ଜଣ ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯାଇଛି। ପୌରସଂସ୍ଥାର ୨ ଗୋଟି ଟ୍ରାକ୍ଟର ଓ ଗୋଟିଏ ଟାଟା ଏସି ମଧ୍ୟ ରହିଛି। ସଫେଇ ପାଇଁ କୋଟିକୋଟି ଟଙ୍କାର ସାଜସରଞ୍ଜାମ ଥିବା ସତ୍ତ୍ବେ ବିଭିନ୍ନ ସ୍ଥାନରେ ଅଳିଆଗଦା ପୌର କର୍ତ୍ତୃପକ୍ଷଙ୍କ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି।