ଭୁବନେଶ୍ବର: ସାରା ବିଶ୍ୱରେ ବଙ୍ଗୋପସାଗର ସବୁଠାରୁ ଅଧିକ ବାତ୍ୟାପ୍ରବଣ ସମୁଦ୍ର। ଅଧିକାଂଶ ବାତ୍ୟାର ଲ୍ୟାଣ୍ଡଫଲ୍ ଓଡ଼ିଶା କିମ୍ୱା ଏହାର ଆଖପାଖ ଅଞ୍ଚଳରେ ହୋଇଥାଏ। ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରତିହତ କରିହେବ ନାହିଁ, କିନ୍ତୁ ବିପର୍ଯ୍ୟୟ ଦ୍ୱାରା ହେଉଥିବା କ୍ଷୟକ୍ଷତିକୁ ନିଶ୍ଚିତ ଭାବେ କମ୍ କରିହେବ। ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ବେଳେ ‘ଶୂନ ମୃତ୍ୟୁ’ ଆମର ଲକ୍ଷ୍ୟ। ଏଥିରେ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଆଜି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଜୁନ୍ରୁ ଅକ୍ଟୋବର ପର୍ଯ୍ୟନ୍ତ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହିତ ହୋଇଥାଏ। ଏହି ସମୟରେ ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଯୋଗୁ ବହୁ ଧନ ଜୀବନ କ୍ଷୟ କ୍ଷତି ହୋଇଥାଏ, ତେଣୁ ଏହି ସମୟ ଆମ ସମସ୍ତଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଜିରୋ କାଜୁଆଲଟି ଟାର୍ଗେଟ୍ କେବଳ ମନୁଷ୍ୟ କ୍ଷେତ୍ରରେ ନୁହେଁ, ଗୃହପାଳିତ ପଶୁଙ୍କ କ୍ଷେତ୍ରରେ ବି ଲାଗୁ ହେବ। ଆମକୁ ବନ୍ୟା, ବାତ୍ୟା ମୁକାବିଲା ନିମନ୍ତେ ବିପର୍ଯ୍ୟୟ ପରିସ୍ଥିତିର ଉପଯୁକ୍ତ ସମୀକ୍ଷା କରିବାକୁ ପଡ଼ିବ। ଆଗୁଆ ସତର୍କ ସୂଚନା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରାଣିଚିକିତ୍ସା କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଓଡ୍ରାଫ, ଏନ୍ଡିଆର୍ଏଫ୍, ଓସ୍ଡମା ଏବଂ ଅଗ୍ନିଶମ ବାହିନୀକୁ ତ୍ୱରିତ ପଦକ୍ଷେପ ନିମନ୍ତେ ସବୁବେଳେ ସଜାଗ ରଖିବାକୁ ପଡ଼ିବ। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କଲେ ଆମେ ବିପର୍ଯ୍ୟୟର ସଫଳ ମୁକାବିଲା କରିପାରିବା।ବର୍ଷକ ମଧ୍ୟରେ ଆମ ସରକାର ଲୋକଙ୍କ ପାଖରେ ସବୁ ପରିସ୍ଥିତିରେ ଠିଆ ହୋଇଛି ଓ ଆଗାମୀ ଦିନରେ ମଧ୍ୟ ଠିଆ ହେବେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ପରିଣାମକୁ ଜଳସେଚନ ମାଧ୍ୟମରେ କମ୍ କରିହେବ ବୋଲି କହିଥିଲେ। ଏଥିପାଇଁ ରାଜ୍ୟ ସରକାର ଆଗାମୀ ୫ବର୍ଷରେ ୧୫ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାସହ ଅଦିନିଆ ବର୍ଷା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପରେ କିପରି ସରକାର ସହାୟତାର ହାତ ବଢ଼ାଇଛନ୍ତି ଏବଂ ଗ୍ରୀଷ୍ମପ୍ରବାହର ସଫଳ ମୁକାବିଲା କରାଯାଇଛି ସେନେଇ ସୂଚନା ଦେଇଥିଲେ।
ସେହିପରି ବିପର୍ଯ୍ୟୟର ଆଶୁ ମୁକାବିଲା କରିବା ପାଇଁ ବିଭାଗଗୁଡ଼ିକ ସେମାନଙ୍କର ବିପର୍ଯ୍ୟୟ ପରିଚାଳନା ଯୋଜନାଗୁଡ଼ିକୁ ଠିକ୍ ଭାବେ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ଯେମିତି ଜଳସମ୍ପଦ ବିଭାଗ ଜଳପ୍ରବାହର ସୁପରିଚାଳନା ଏବଂ ଦୁର୍ବଳ ନଦୀବନ୍ଧ ଗୁଡ଼ିକ ପ୍ରତି ତୀକ୍ଷ୍ଣ ନଜର ରଖିବ। ବର୍ଷାଦିନେ ସ୍ୱାସ୍ଥ୍ୟ ସମସ୍ୟା ଓ ସାପ କାମୁଡ଼ା ଚିନ୍ତାର ବିଷୟ ହୋଇଥିବାରୁ ସ୍ବାସ୍ଥ୍ୟ ବିଭାଗ ଏବଂ ଅନ୍ୟ ବିଭାଗଗୁଡ଼ିକ ନଳକୂପ ଗୁଡ଼ିକର ବିଶୋଧନ ସହିତ ଯଥେଷ୍ଟ ପରିମାଣର ଔଷଧ ଓ ଆଣ୍ଟିସ୍ନେକ୍ ଭେନମ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ମହଜୁଦ୍ ରଖିବା ଦରକାର।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ବିପର୍ଯ୍ୟୟର ସୁପରିଚାଳନା ପାଇଁ ଦକ୍ଷ ମାନବ ସମ୍ୱଳ ଓ ଆଧୁନିକ ଉପକରଣ ନିହାତି ଆବଶ୍ୟକ। ଏଥିପାଇଁ ଆମ ସରକାର ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପାଣିପାଗ ସମ୍ୱନ୍ଧୀୟ ଠିକ୍ ତଥ୍ୟ ହାସଲ ପାଇଁ ସମ୍ୱଲପୁର ଓ ବାଲେଶ୍ୱରରେ ଦୁଇଟି ଡୋପଲାର ରାଡାର, ଭୁବନେଶ୍ୱରରେ ଆଉ ଗୋଟିଏ ରାଡାର ସ୍ଥାପନ ହେବ। ବଜ୍ରପାତକୁ ରୋକିବା ପାଇଁ ଜଙ୍ଗଲ ବିଭାଗ ସହାୟତାରେ ପର୍ଯ୍ୟାପ୍ତ ପରିମାଣର ତାଳ ଗଛ ରୋପଣ କରାଯାଇଛି। ବାତ୍ୟା ଓ ବନ୍ୟାଦ୍ୱାରା ପ୍ରଭାବିତ ୨୫ ଟି ଜିଲ୍ଲାରେ ୯୦୯ ଟି ବହୁମୂଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି।
ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ, ପ୍ରାକୃତିକ ବିପର୍ଯ୍ୟୟ କମିଟିର ସଦସ୍ୟ ଥିବା ସାଂସଦ, ବିଧାୟକମାନେ ଉପସ୍ଥିତ ଥିଲେ। ବିଭିନ୍ନ ବିଭାଗର ସଚିବମାନେ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡି.କେ ସିଂହ ସ୍ବାଗତ ଭାଷଣ ଦେଇଥିବାବେଳେ ଓସ୍ଡମାର ପରିଚାଳନା ନିର୍ଦ୍ଦେଶକ କମଳଲୋଚନ ମିଶ୍ର ଧନ୍ୟବାଦ ଦେଇଥିଲେ।
‘ଶୂନ ମୃତ୍ୟୁ’ ସହ ସାଲିସ୍ ନାହିଁ: ମୁଖ୍ୟମନ୍ତ୍ରୀ
ସାରା ବିଶ୍ୱରେ ବଙ୍ଗୋପସାଗର ସବୁଠାରୁ ଅଧିକ ବାତ୍ୟାପ୍ରବଣ ସମୁଦ୍ର। ଅଧିକାଂଶ ବାତ୍ୟାର ଲ୍ୟାଣ୍ଡଫଲ୍ ଓଡ଼ିଶା କିମ୍ୱା ଏହାର ଆଖପାଖ ଅଞ୍ଚଳରେ ହୋଇଥାଏ। ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରତିହତ କରିହେବ ନାହିଁ, କିନ୍ତୁ ବିପର୍ଯ୍ୟୟ ଦ୍ୱାରା ହେଉଥିବା କ୍ଷୟକ୍ଷତିକୁ ନିଶ୍ଚିତ ଭାବେ କମ୍ କରିହେବ।
/sambad/media/media_files/2025/06/26/krthsdgf-2025-06-26-02-18-53.jpg)